ଗଞ୍ଜାମ: ପତ୍ନୀକୁ ଅତି କୌଶଳରେ ଘରୁ ମଟର ସାଇକେଲରେ ନେଇ ରାସ୍ତାରେ ଅମାନୁଷିକଭାବେ ହତ୍ୟା କରିବାସହ ତାକୁ ଏକ ଦୁର୍ଘଟଣାର ରୂପ ଦେବା ଶେଷରେ ମହଙ୍ଗା ପଡିଛି । ଅଭିଯୁକ୍ତ ସ୍ୱାମୀ ଦୋଷୀ ସାବ୍ୟସ୍ତ ହେବା ସହ ଶେଷରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛି । ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଡକ୍ଟର ଅରୁଣ କୁମାର ସାହୁ ଏଭଳି ଏକ ଐତିହାସିକ ରାୟ ଶୁଣାଇଛନ୍ତି ।
ମିଳିଥିବା ଅଭିଯୋଗ ପ୍ରକାରେ ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ବ୍ରାହ୍ମଣପଦର ଗ୍ରାମର ଜୟକୃଷ୍ଣ ପାତ୍ର ନିଜ ପତ୍ନୀ ରାଜଲକ୍ଷ୍ମୀ ପାତ୍ର(୩୨)ଙ୍କୁ ଯୌତୁକ ନିର୍ଯାତନା ଦେଇ ଆସୁଥିବାବେଳେ ଅନେକ ସମୟରେ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଗତ ୩/୨/୨୦୧୬ ତାରିଖରେ ରାଜଲକ୍ଷ୍ମୀଙ୍କୁ ଜୀବନରୁ ଶେଷ କରିଦେବାକୁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥିଲେ । ଏନେଇ ସେ ବ୍ରାହ୍ମଣପଦର-ଭଞ୍ଜନଗର ରାସ୍ତାର ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ପୂର୍ବରୁ ଜଣକୁ ସେଟ୍ କରିଥିଲେ । ଆଉ ସେହି ରାସ୍ତାରେ ଗଲାବେଳେ ଅର୍ତକିତ ଡାଳଖାଇ ନିକଟରେ ସେ ବାଇକ୍ ରଖି ସେଠାରେ ପୂର୍ବରୁ ଛକି ରହିଥିବା ଜଣେ ନାବାଳକ ସହ ମିଶି ରାଜଲକ୍ଷ୍ମୀଙ୍କୁ କାଠ ଫାଳିଆରେ ପିଟି ପିଟି ମାରିଦେଇ ଦୁର୍ଘଟଣାର ରୂପ ଦେଇଥିଲେ । ମୃତ ରାଜଲକ୍ଷ୍ମୀର ଭାଇ ପର ଦିନ ତାରାସିଂ ଥାନାରେ ତାଙ୍କ ଭଉଣୀକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ଜୟକୃଷ୍ଣ ପାତ୍ରକୁ ଗିରଫ କରି କୋର୍ଟଚାଲଣ କରିଥିବାବେଳେ ଅନ୍ୟତମ ଅଭିଯୁକ୍ତ ନାବାଳକକୁ ବ୍ରହ୍ମପୁର ସ୍ଥିତ ବାଳସୁଧାର ଗୃହକୁ ପଠାଇ ଦେଇଥିଲା । ଏହି ମାମଲାର ବିଚାର ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ଙ୍କ କୋର୍ଟରେ ଆରମ୍ଭ ହୋଇଥିବାବେଳେ ମୋଟ ୨୮ଜଣଙ୍କ ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରାଯାଇଥିଲା । ତେବେ ପାରିପାଶ୍ୱିର୍କ ସ୍ଥିତି ଓ ପୁଲିସ ଦ୍ୱାରା ସଂଗୃହୀତ ହୋଇଥିବା ଅଭିଯୁକ୍ତର ମୋବାଇଲ ଫୋନ୍ ଟ୍ରାକିଂର ବାର୍ତ୍ତାଳପକୁ ବିଚାରକୁ ନେଇ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଡ. ଅରୁଣ କୁମାର ସାହୁ ଅଭିଯୁକ୍ତ ଜୟକୃଷ୍ଣ ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଛନ୍ତି ।