କନ୍ଧମାଳ : ପ୍ରେମିକାକୁ ଦେଖା କରି ନିଜର ମନର କଥା କହିଥାନ୍ତେ ପ୍ରେମିକ । ପ୍ରେମିକର ଆସିବା ବାଟକୁ ଚାହିଁ ଅପେକ୍ଷା କରିଥିଲେ ପ୍ରେମିକା । ହେଲେ ସବୁ କିଛି ଆଶାରେ ରହିଗଲା । ପ୍ରେମିକାକୁ ଦେଖା କରିବାକୁ ଆସି ନିଖୋଜ ହୋଇଗଲେ ପ୍ରେମିକ, ଆଉ ୧୦ ଦିନ ପରେ ମିଳିଲା କେବଳ ତାଙ୍କର ଖପୁରୀ, ହାଡ଼ । ଆଉ ପ୍ରେମିକର ହତ୍ୟାକାରୀ ସାଜିଥିଲେ ପ୍ରେମିକାର ପରିବାର । ପ୍ରେମିକାକୁ ଦେଖା କରିବାକୁ ଆସି ହତ୍ୟାର ଶିକାର ହେଲା ପ୍ରେମିକ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଲଣ୍ଡାଗାଁ ପୁଟୁକିପାଲି ଗାଁରେ । ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ାର ସୁକଦେବ ରଣା । ଗତ ୨୬ ତାରିଖରେ ସୁକଦେବ ପ୍ରେମିକାଙ୍କୁ ଭେଟ କରିବାକୁ ଜଣେ ସାଙ୍ଗଙ୍କ ସହ ବାଇକ ଯୋଗେ କନ୍ଧମାଳ ଲଣ୍ଡାଗାଁ ପୁଟୁକିପାଲି ଯାଇଥିଲେ । ତେବେ ସାଙ୍ଗ ଫେରି ଆସିଥିଲେ । ସୁକଦେବ ସେଠାରେ ରହିଯାଇଥିଲେ, କିନ୍ତୁ ଆଉ ଫେରିନଥିଲେ ।
ପରେ ପ୍ରେମିକାଙ୍କ ପରିବାର ଲୋକେ ତାଙ୍କୁ ଘରୁ ନେଇଯାଇ ନୃଶଂସ ଭାବେ ହତ୍ୟା କରି ଜଙ୍ଗଲରେ ପିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ତନାଘନା ପରେ ୧୦ ଦିନ ପରେ ସୁକଙ୍କ ଗଳିତ ମୃତଦେହ ମିଳିଲା । ଏହି ମାମଲାରେ ପ୍ରେମିକାର ବାପା ଓ ଦୁଇ ସଂପର୍କୀୟ ଭାଇଙ୍କୁ ଗିରଫ କରିଛି ବାଲିଗୁଡ଼ା ପୋଲିସ । କ୍ରାଇମସ୍ପଟରେ ଅଭିଯୁକ୍ତ ମାନଙ୍କୁ ନେଇ ହତ୍ୟାକାଣ୍ଡର କ୍ରାଇମସିନ୍ ରିକ୍ରିଏଟ ମଧ୍ୟ କରିଛି ପୋଲିସ । କ୍ରାଇମସ୍ପଟରୁ ଜବତ ହାଡ଼ ଓ ଖପୁରୀର ଯାଞ୍ଚ ପାଇଁ ବ୍ରହ୍ମପୁର ଏମକେସିଜି ଏଫଏମଟିକୁ ପଠାଯିବ ବୋଲି ପୋଲିସ କହିଛି । ହତ୍ୟାକାଣ୍ଡରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ରହିଛି, ସେ ନେଇ ବାଲିଗୁଡା ପୋଲିସ ଅଧିକ ତଦନ୍ତ ଚଳାଇଛି ।