ମାଲକାନଗିରି: ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ନପାରି ରୋଗ ଯନ୍ତ୍ରଣାରେ ଛଟ ପଟ ହୋଇ ଜଣେ କିଡନୀ ରୋଗୀ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏପରି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ତାଣ୍ଡବାଇ ପଞ୍ଚାୟତ ଅନ୍ତର୍ଗତ ଏମ୍ ଭି ୯୯ ଗ୍ରାମରେ ଘଟିଛି । ସେହି ଗ୍ରାମର ଦୀପକ ମଣ୍ଡଳ(୩୫) ଜଣେ ଅତ୍ୟନ୍ତ ଗରିବ ଲୋକ ସେ ଗତ କିଛି ବର୍ଷ ହେଲା କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ । ଘରେ ଯାହା ଟଙ୍କା ପଇସା ଥିଲା ସବୁ ତାଙ୍କ ଚିକିତ୍ସା ବାଟରେ ଖର୍ଚ୍ଚ ହୋଇଗଲା, ହେଲେ ସେ ଭଲ ହୋଇ ପରିଲେ ନାହିଁ । ଡାକ୍ତର କହିଲେ ବଡ ହସ୍ପିଟାଲକୁ ଯାଇ ଚିକିତ୍ସା ହେବା ପାଇଁ । ସେଥି ପାଇଁ ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକତା ଥିବାରୁ ଅର୍ଥ ଯୋଗାଡ଼ କରି ନପାରି ଘରେ ବିଛଣାରେ ପଡିରହିଲେ । ତାଙ୍କ ପତ୍ନୀ କୁଲିମଜୁରୀ ଖଟି ଯାହା ଟଙ୍କା ଅଣନ୍ତି ସେଥିରେ ତାଙ୍କର ଔଷଧ କିଣିବା ଓ ପରିବାର ଚଳିବା କଷ୍ଟ କର ହୋଇ ପଡିଥାଏ ।
ତେଣୁ ସେ ନିଜର ମାନସିକ ଭାରସାମ୍ୟ ହରାଇ ଆଜି ବିଷ ପିଇ ଦେଇଥିଲେ । ତାଙ୍କୁ ପରିବାର ଲୋକେ ନିକଟସ୍ଥ ଏମ୍ ଭି ୭୯ ପ୍ରାଥମିକ ଚିକିତ୍ସାଳୟକୁ ନେଇଥିଲେ, ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସୂଚନା ମୁତାବକ ଦୀପକ ଦୀର୍ଘବର୍ଷ ଧରି କିଡ୍ନୀ ଏବଂ ଅନ୍ୟ କାରଣରୁ ଦେହ ଅସୁସ୍ଥ ରହି ରୋଗାଗ୍ରସ୍ତ ଅବସ୍ଥାରେ ଜୀବନ ବିତାଉଥିଲେ । ସେ କୌଣସି କଠିନ କାର୍ଯ୍ୟ କରିବାରେ ମଧ୍ୟ ସାମର୍ଥ୍ୟ ନଥିଲେ ଯାହା ଫଳରେ ଘରେ ହିଁ ବିଶ୍ରାମ ନେବାକୁ ବାଧ୍ୟ ହେଉଥିଲେ ।
ଦୀପକଙ୍କ ଆର୍ôଥକ ଅବସ୍ଥା ମଧ୍ୟ ବହୁତ ଖରାପ ରହିଥିବାରୁ ଚିକତ୍ସିତ ମଧ୍ୟ ହେଉ ପାରୁ ନଥିବା ଜଣାପଡିଛି । ଆଜି ଦୀପକଙ୍କ ସ୍ତ୍ରୀ କୁଲି କାମରେ ଜମିକୁ ଯାଇଥିବା ବେଳେ ଦୀପକ ବିଷ ପିଇ ଦେଇଥିଲେ । ଦୀପକ ଙ୍କ ବଡ଼ ପୁଅର ବୟସ ମାତ୍ର ୧୦ ବର୍ଷ ହୋଇଥିବା ବେଳେ ଆଉ ଦୁଇଟି ଛୋଟ ଝିଅଙ୍କ ଭବିଷ୍ୟତ ଅନ୍ଧାର ହୋଇ ଯାଇଛି । ଦୀପକଙ୍କ ମୃତ୍ୟୁ ପରେ ପରିବାର ଲୋକେ ଅସହାୟ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଏମଭି୭୯ ଥାନା ପୁଲିସ ପହଁଛି ମୃତ ଶରୀର ଜବତ କରି ଶବବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି ।