ରାଞ୍ଚି: ବିବାହ ଭାଙ୍ଗିବା ପରେ ଆତ୍ମହତ୍ୟା କଲେ ୨୨ବର୍ଷୀୟ ଯୁବତୀ ଶ୍ୱେତା । ତେବେ ତାଙ୍କ ଉଚ୍ଚତା କମ ଥିବାରୁ ବିବାହ ଭାଙ୍ଗିବା ପରେ ସେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଏଭଳି ଦୁଃଖଦ ଘଟଣା ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଅଞ୍ଚଳରେ ଘଟିଛି । ସେ ପୂର୍ବରୁ ମଧ୍ୟ ଉଚ୍ଚତା ଯୋଗୁଁ ଅବସାଦଗ୍ରସ୍ତ ରହୁଥିଲେ । ଆଉ ବିବାହ ଭାଙ୍ଗିବା ପରେ ସେ ଅଧିକ ଚିନ୍ତାଗ୍ରସ୍ତ ହୋଇ ଏହି ନିଷ୍ପତ୍ତି ନେଇଥିବା ପରିବାର ପକ୍ଷରୁ କୁହାଯାଇଛି । ଶ୍ୱେତାଙ୍କ ଆତ୍ମହତ୍ୟା ପରେ ତାଙ୍କ ଉଚ୍ଚତାକୁ ନେଇ ଚର୍ଚ୍ଚା ହେଉଛି । ସେ ନିଜ ଉଚ୍ଚତାକୁ ନେଇ ପୂର୍ବରୁ ମଧ୍ୟ ଚିନ୍ତିତ ରହୁଥିଲେ । ବେଳେ ବେଳେ ସେ ଡିପ୍ରେସନକୁ ମଧ୍ୟ ଚାଲିଯାଉଥିଲେ ବୋଲି ପରିବାର ସଦସ୍ୟ କହିଛନ୍ତି । ତେବେ ଏ ନେଇ ପରିବାର ସଦସ୍ୟ ତାଙ୍କୁ ସବୁବେଳେ ବୁଝାସୁଝା କରୁଥିଲେ । ଉଚ୍ଚତା କମ ହେବା କୌଣସି ବଡ଼ କଥା ନୁହେଁ । ସମାଜରେ କମ ଉଚ୍ଚତା ବିଶିଷ୍ଟ ଅନେକ ଲୋକ ରହିଥିବା ତାଙ୍କୁ କୁହାଯାଉଥିଲା । ଏହା ସତ୍ତ୍ୱେ ବି ସେମାନେ ବଡ଼ ଉପଲବ୍ଧି ହାସଲ କରିଛନ୍ତି । ପରିବାର ଏମିତି ଅନେକ ଉଦାହରଣ ଦେଇ ତାଙ୍କୁ ବୁଝାସୁଝା କରୁଥିଲେ ।
ଏହା ସତ୍ତ୍ୱେ ଉଚ୍ଚତାକୁ ନେଇ ଶ୍ୱେତାଙ୍କ ମନ ବୁଝୁନଥିଲା । ସେ ଦୁଃଖିତ ରହୁଥିଲେ । ତାଙ୍କ ମନରେ ଏହି ଅବଶୋଷ ରହିଥିଲା । ଯେତେବେଳେ ଶ୍ୱେତାଙ୍କ ବିବାହ ବୟସ ହୋଇଥିଲା, ସେତେବେଳେ ପରିବାର ଉତ୍ତମ ବରପାତ୍ର ଖୋଜିବା ଆରମ୍ଭ କରିଥିଲେ । ହେଲେ ଶ୍ୱେତାଙ୍କ ୩ଟି ପ୍ରସ୍ତାବ କମ ଉଚ୍ଚତା ଯୋଗୁଁ ଭାଙ୍ଗିଯାଇଥିଲା । ଯାହାକୁ ଶ୍ୱେତା ସହଜରେ ଗ୍ରହଣ କରିପାରିନଥିଲେ । ଏହାପରେ ସେ ଅଧିକ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ । ରାଞ୍ଚି ଓପି ଅଞ୍ଚଳରେ ଶ୍ୱେତା ବଡ ଭଉଣୀ ଶିଳ୍ପାଙ୍କ ସହିତ ଦଶରଥ ଏନକ୍ଲେଭ ଫ୍ଲାଟ ନଂ ୬୦୩ରେ ରହୁଥିଲେ । ଶ୍ୱେତାଙ୍କ ପିତାମାତା ବିହାରର ଅରବଲ ଅଞ୍ଚଳର ବୋଲି ଜଣାପଡ଼ିଛି । ଶିଳ୍ପା ଗୁରୁବାର ରାତିରେ କୌଣସି ପାରିବାରିକ କାର୍ଯ୍ୟ ଲାଗି ବାହାରକୁ ଯାଇଥିଲେ । ଘରେ ଏକା ଥିବା ଶ୍ୱେତା ଏହି ସମୟରେ ଆତ୍ମହତ୍ୟା କରିଥିଲେ । ଶ୍ୱେତାଙ୍କ ଆତ୍ମହତ୍ୟା ଖବର ପଡୋଶୀ ଶିଳ୍ପାଙ୍କୁ ଓ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ୱେତାଙ୍କ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।