ସମୟ ସରୁଛି, ହେଲେ ହଟୁନି ଡିଜିପି ନିଯୁକ୍ତିକୁ ନେଇ ସସ୍ପେନ୍ସ । ଓଡ଼ିଶାର ପରବର୍ତ୍ତୀ ପୂର୍ଣ୍ଣକାଳୀନ ପୁଲିସ ଡିଜି କିଏ ହେବେ, ସେନେଇ ଏଯାଏଁ ନିଷ୍ପତ୍ତି ହୋଇନାହିଁ । ଅନ୍ୟପଟେ ଆସନ୍ତାକାଲି ସରୁଛି ବର୍ତ୍ତମାନର ପୁଲିସ ଡିଜି ବିନୟତୋଷ ମିଶ୍ରଙ୍କ କାର୍ୟ୍ୟକାଳ । ତାଙ୍କୁ ଅବସର ପାଇଁ ଗୃହ ବିଭାଗ ପକ୍ଷରୁ ଅନୁମତି ମିଳିସାରିଛି । ତେଣୁ ନୂଆ ଡିଜିପି ନିଯୁକ୍ତି ନେଇ ସରକାରଙ୍କ ଆଗାମୀ ପଦକ୍ଷେପ ଉପରେ ନଜର ରହିଛି ।ସୂଚନା ଅନୁସାରେ, ଆଜି କିମ୍ବା ଆସନ୍ତାକାଲି ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ କାମଚଳା ଡିଜି ଭାବେ ନିଯୁକ୍ତି ଦେଇପାରନ୍ତି ସରକାର। ଗତ ସେପ୍ଟେମ୍ବର ୨୯ରେ ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । କିନ୍ତୁ ଏଯାଏଁ ରାୟ ପ୍ରକାଶ ପାଇନାହିଁ। ଏହି କାରଣରୁ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି ବିଳମ୍ବ ହୋଇପାରେ । ବର୍ତ୍ତମାନ ଡିଜିପି ଦୌଡ଼ରେ ଚାରି ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନାଁ ଚର୍ଚ୍ଚାରେ ରହିଛି। ୧୯୯୦ ବ୍ୟାଚ୍ର ସୁଧାଂଶୁ ଷଡ଼ଙ୍ଗୀ ଏବେ ଅଗ୍ନିଶମ ବିଭାଗର ଡିଜି ଅଛନ୍ତି। ଓଡ଼ିଶା ପୁଲିସରେ ଦୀର୍ଘଦିନର ଅଭିଜ୍ଞତା ସହ ସେ ପୂର୍ବରୁ ଟୁଇନ୍ ସିଟିର ପୁଲିସ କମିସନର ମଧ୍ୟ ରହିଥିଲେ।
ସେହିପରି ୧୯୯୩ ବ୍ୟାଚ୍ର ଆର୍.ପି. କୋଚେ ଏବେ ଗୁଇନ୍ଦା ନିର୍ଦ୍ଦେଶକ ଅଛନ୍ତି । ୧୯୯୪ ବ୍ୟାଚ୍ର ସଞ୍ଜୀବ ପଣ୍ଡା ମଧ୍ୟ ଡିଜିପି ଦୌଡ଼ରେ ଅଛନ୍ତି । ସେ ପୂର୍ବରୁ ଟୁଇନ୍ ସିଟି ପୁଲିସ କମିସନର ଭାବେ କାର୍ୟ୍ୟ କରିବା ସହ କ୍ରାଇମବ୍ରାଞ୍ଚ ଓ ଆଣ୍ଟି ନକ୍ସଲ ଅପରେସନରେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ଅନ୍ୟପଟେ ୧୯୯୪ ବ୍ୟାଚ୍ର ଯଶୋବନ୍ତ ଜେଠୱା ଏବେ ଭିଜିଲାନ୍ସ ନିର୍ଦ୍ଦେଶକ ଅଛନ୍ତି । ତେବେ ଚର୍ଚ୍ଚା ହେଉଛି, ଆର୍.ପି. କୋଚେଙ୍କୁ କାମଚଳା ଡିଜି ଭାବେ ଦାୟିତ୍ୱ ମିଳିପାରେ । ହେଲେ ଏନେଇ ସରକାରୀ ଘୋଷଣାକୁ ଅପେକ୍ଷା ରହିଛି ।










