ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ବୀରମିତ୍ରପୁର ପୌରପାଳିକା କର୍ମଚାରୀ ବୈବସ୍ୱତ ମନୁ ରାଉତ । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । PMAY-URBAN ଯୋଜନା ଅଧୀନରେ ବାକି ଟଙ୍କା ମଞ୍ଜୁର କରାଇଦେବା ପାଇଁ ଲାଞ୍ଚ ନେଉଥିଲେ । ସୂଚନାନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବୀରମିତ୍ରପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ‘ଇନ୍ଫ୍ରାଷ୍ଟ୍ରକଚର୍ ଏକ୍ସପର୍ଟ’ ଭାବେ କାର୍ଯ୍ୟରତ ବୈବସ୍ୱତ ମନୁ ରାଉତ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି । PMAY-Urban ଯୋଜନା ଅଧୀନରେ ଘର ନିର୍ମାଣ ପାଇଁ ମଞ୍ଜୁର ହୋଇଥିବା ମୋଟ ଅଢେଇ ଲକ୍ଷ ଟଙ୍କାରୁ ବାକି ଥିବା ୧,୩୦,୦୦୦ ଟଙ୍କା ପ୍ରଦାନ କରାଇଦେବା ପାଇଁ ସେ ଜଣେ ହିତାଧିକାରୀଙ୍କ ଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ । ହିତାଧିକାରୀ ଜଣଙ୍କ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ, ଅଭିଯୁକ୍ତ ବାକି ଟଙ୍କା ମଞ୍ଜୁର କରୁନଥିଲେ । ଏହା ବଦଳରେ, ସେ ୩୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ଅଭିଯୋଗକାରୀ ଜଣେ ଗରିବ ଆଦିବାସୀ ଏବଂ ଉକ୍ତ ଆବାସ ଯୋଜନାର ହିତାଧିକାରୀ ହୋଇଥିବାରୁ, ସେ ଟଙ୍କା ଦେଇପାରିବେନି ବୋଲି କହିଥିଲେ । ହେଲେ ବାକି ଟଙ୍କା ମଞ୍ଜୁର ନହେବାରୁ ସେ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ । ପୂର୍ବ ପ୍ରସ୍ତୁତି ମୁତାବକ ବୈବସ୍ୱତ ଆଜି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା । ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା ।










