ଭୁବନେଶ୍ୱର : ଏଆଇସିସି ଓବିସି ବିଭାଗ ଓଡ଼ିଶା ପ୍ରଭାରୀ ଶ୍ରୀ ଦେବଦତ୍ତ ୟାଦବଙ୍କ ପରାମର୍ଶ କ୍ରମେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ପଛୁଆବର୍ଗ ବିିଭାଗର ଏକ କାର୍ଯ୍ୟକାରୀ କମିଟି ବୈଠକ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ପଛୁଆବର୍ଗ ବିଭାଗ ଅଧ୍ୟକ୍ଷ ଶ୍ରୀ ସରୋଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏବଂ ସମ୍ମାନୀତ ଅତିଥି ଓଡ଼ିଶା ସହ ପ୍ରଭାରୀ ଶ୍ରୀ ଜେଟି କୁସୁମ କୁମାର ପ୍ରଦୀପ ପ୍ରଜ୍ଜ୍ୱଳନ କରିବାପରେ ମହାତ୍ମା ଗାନ୍ଧୀ, ଡ. ବି.ଆର ଆମ୍ବେଦକର ଓ ମହାତ୍ମା ଜ୍ୟୋତିବା ଫୁଲେଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ ।
ପିସିସି ସଭାପତି ଶ୍ରୀ ଦାସ କହିଲେ ଯେ ପଛୁଆବର୍ଗ ବିଭାଗ ଯେତେ ସଂଗଠିତ ଓ ସୁଦୃଢ଼ ହୋଇପାରିବ ସମାଜର ସେତିକି ବିକାଶ ହୋଇପାରିବ ସେଥିପାଇଁ ଆମକୁ ତଳସ୍ତରରୁ ଜନସାଧାରଣଙ୍କର ନିକଟତର ହେବାକୁ ପଡ଼ିବ । ନିର୍ବାଚନ ସମୟରେ ପ୍ରାର୍ଥୀଙ୍କୁ ଜିତାଇବାରେ ପଛୁଆବର୍ଗ ବିଭାଗର ଏକ ବଡ଼ ଯୋଗଦାନ ରହିବ ବୋଲି ସେ କହିଥିଲେ । ଶ୍ରୀ ଜେଟି କୁସୁମ କୁମାର କହିଲେ ଆଗାମୀ ଡିସେମ୍ବର ୧୦ ତାରିଖ ସୁଦ୍ଧା ଫଛୁଆବର୍ଗ ବିଭାଗର ଜିଲ୍ଲା କମିଟି ଓ ବ୍ଲକ କମିଟି ପୂର୍ଣ୍ଣାଙ୍ଗ ହେବା ଦରକାର । ପ୍ରତ୍ୟେକ ମାସରେ ସଂଗଠନ ସମ୍ପର୍କରେ ସମୀକ୍ଷା କରାଯିବ ଏବଂ ଜିଲ୍ଲା ଅଧ୍ୟକ୍ଷ ମାନଙ୍କ ସହ ସିଧାସଳଖ ଆଲୋଚନା ହେବ ବୋଲି ସେ କହିଥିଲେ ।
ପଛୁଆବର୍ଗ ବିଭାଗ ଉପଦେଷ୍ଟା ଶ୍ରୀ ନଗେନ୍ଦ୍ର ପ୍ରଧାନ, ଶ୍ରୀ ନଟବର ବାରିକ ଏବଂ ଶ୍ରୀ ପ୍ରଫୁଲ୍ଲ ଦାସ କହିଲେ ଯେ ପଛୁଆବର୍ଗ ଜନସାଧାରଣଙ୍କ ପ୍ରତି ସରକାରଙ୍କର ଆନ୍ତରିକତାର ଅଭାବ ଓ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି । ବିଜେଡି ସରକାର ସମୟରେ ଏବଂ ବର୍ତ୍ତମାନ ବିଜେପି ସରକାର ସମୟରେ ମଧ୍ୟ ପଛୁଆବର୍ଗ ଜନସାଧାରଣ ଉପେକ୍ଷିତ ହୋଇଛନ୍ତି । ଆଗାମୀ ଦିନରେ ଏହାର ଜବାବ ଦେବାକୁ ସେମାନେ ସୂଚନା ଦେଇଥିଲେ ।ପୂର୍ବତନ ଓବିସି ଅଧ୍ୟକ୍ଷ ଶ୍ରୀ ବିଜୟାନନ୍ଦ ଚାଉଳିଆ ଓ ବିଷ୍ଣୁଚରଣ ବାରିକ ସଂଗଠନକୁ ସୁଦୃଢ଼ କରିବାପାଇଁ ଉପାଦେୟ ପରାମର୍ଶ ଦେଇଥିଲେ ।ଶେଷରେ ବିଭାଗର ମୁଖପାତ୍ର ଶ୍ରୀ ଚିତ୍ତରଞ୍ଜନ ଜେଠି ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକ ପ୍ରାରମ୍ଭରେ ଉପସ୍ଥିତ ଜିଲ୍ଳା ଅଧ୍ୟକ୍ଷ ଏବଂ କର୍ମକର୍ତ୍ତାମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା ।ଏହି ବୈଠକରେ ଜିଲ୍ଲା ଅଧ୍ୟକ୍ଷ ଓ କର୍ମକର୍ତ୍ତା ସର୍ବଶ୍ରୀ ଟଙ୍କଧର ସାହୁ, ସଂଜୟ ମଣ୍ଡଳ, ବିଶ୍ୱରଞ୍ଜନ ଜେଠୀ, ଅମରଜିତ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ ।










