ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବାରିପଦାଠାରେ ଓଡ଼ିଶା ଫାର୍ମାସି ଅଫିସର୍ସ ସର୍ଭିସ୍ ଆସୋସିଏସନ୍, ମୟୂରଭଞ୍ଜ ଶାଖା ପକ୍ଷରୁ ଆୟୋଜିତ ୬୫ତମ ଜାତୀୟ ଫାର୍ମାସି ସପ୍ତାହ ପାଳନ ସମାରୋହରେ ରାଜ୍ୟର ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସେ ଚଳିତ ବର୍ଷର ବିଷୟବସ୍ତୁ “ସ୍ୱସ୍ଥ ଭାରତ: ଆଣ୍ଟିମାଇକ୍ରୋବାୟାଲ୍ ପ୍ରତିରୋଧର ମୁକାବିଲା” ଉପରେ ଆଲୋକପାତ କରିବା ସହ ଜନସ୍ୱାସ୍ଥ୍ୟ ସୁରକ୍ଷା ଓ ଆଣ୍ଟିମାଇକ୍ରୋବିଆଲ୍ ରେଜିଷ୍ଟାନ୍ସର ମୁକାବିଲାରେ ଫାର୍ମାସିଷ୍ଟମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ।
ମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷର ବିଷୟବସ୍ତୁ ସମସାମୟିକ ଜନସ୍ୱାସ୍ଥ୍ୟ କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନକୁ ପ୍ରତିଫଳିତ କରୁଛି। ଆଣ୍ଟିମାଇକ୍ରୋବିଆଲ୍ ରେଜିଷ୍ଟାନ୍ସ ବା ଜୀବାଣୁରୋଧୀ ଔଷଧ ପ୍ରତି ଜୀବାଣୁଙ୍କ ପ୍ରତିରୋଧକ କ୍ଷମତା ବୃଦ୍ଧି ଆଜି ସମଗ୍ର ବିଶ୍ୱ ପାଇଁ ଏକ ଗମ୍ଭୀର ସ୍ୱାସ୍ଥ୍ୟଗତ ଆହ୍ୱାନ। ଆଣ୍ଟିବାୟୋଟିକ୍ ଓ ଅନ୍ୟାନ୍ୟ ଆଣ୍ଟିମାଇକ୍ରୋବିଆଲ୍ ଔଷଧର ଅନିୟନ୍ତ୍ରିତ ତଥା ଅନାବଶ୍ୟକ ବ୍ୟବହାର ଏହି ସମସ୍ୟାକୁ ଅଧିକ ଜଟିଳ କରୁଛି। ଏହି ସମସ୍ୟାର ମୁକାବିଲା ପାଇଁ ଔଷଧର ଯୁକ୍ତିଯୁକ୍ତ ଓ ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ଜନସଚେତନତା ଏବଂ ସମସ୍ତଙ୍କ ସାମୂହିକ ପ୍ରୟାସ ଅତ୍ୟନ୍ତ ଜରୁରୀ। ଡାକ୍ତରଙ୍କ ପରାମର୍ଶ ବିନା ଆଣ୍ଟିବାୟୋଟିକ୍ ସେବନ ନକରିବା, ନିର୍ଦ୍ଧାରିତ ଔଷଧର ମାତ୍ରା ଓ ସମୟ ଅନୁସରଣ କରିବା ଏବଂ ଚିକିତ୍ସା ମଧ୍ୟଭାଗରେ ନିଜ ଇଚ୍ଛାରେ ଔଷଧ ବନ୍ଦ ନକରିବା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଆବଶ୍ୟକ।
ମନ୍ତ୍ରୀ ଆହୁରି କହିଥିଲେ ଯେ, ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଫାର୍ମାସିଷ୍ଟମାନେ ଔଷଧର ସଠିକ୍ ବ୍ୟବହାର, ରୋଗୀ ସୁରକ୍ଷା ଓ ଉତ୍ତମ ଔଷଧ ସେବା ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଆସୁଛନ୍ତି। ରୋଗୀଙ୍କୁ ଔଷଧର ଉପଯୁକ୍ତ ମାତ୍ରା, ସେବନ ପ୍ରଣାଳୀ, ସମୟ ଏବଂ ସମ୍ଭାବ୍ୟ ପାର୍ଶ୍ୱପ୍ରତିକ୍ରିୟା ସମ୍ପର୍କରେ ସଠିକ୍ ସୂଚନା ଦେବା ସହ ଔଷଧର ସୁରକ୍ଷିତ ବ୍ୟବହାର ସୁନିଶ୍ଚିତ କରିବାରେ ସେମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଫାର୍ମାସିଷ୍ଟମାନଙ୍କ ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ସେବା ମନୋଭାବ ଏକ ଦୃଢ଼ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ଗଠନରେ ବିଶେଷ ସହାୟକ ହୋଇଥାଏ। ଔଷଧ ବିତରଣଠାରୁ ଆରମ୍ଭ କରି ରୋଗୀ ସୁରକ୍ଷା, ଔଷଧର ଗୁଣବତ୍ତା ଓ ଉପଯୁକ୍ତ ଔଷଧ ସେବା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ଅବଦାନ ସ୍ୱାସ୍ଥ୍ୟସେବାକୁ ଅଧିକ ଦକ୍ଷ ଓ ଜନକୈନ୍ଦ୍ରିକ କରିଥାଏ।
ଆଣ୍ଟିମାଇକ୍ରୋବିଆଲ୍ ରେଜିଷ୍ଟାନ୍ସର ମୁକାବିଲା କେବଳ ଡାକ୍ତର କିମ୍ବା ଫାର୍ମାସିଷ୍ଟଙ୍କ ଦାୟିତ୍ୱ ନୁହେଁ; ଏଥିପାଇଁ ସ୍ୱାସ୍ଥ୍ୟକର୍ମୀ, ଔଷଧ ବିକ୍ରେତା, ସରକାରୀ ସଂସ୍ଥା ଓ ସାଧାରଣ ଜନତାଙ୍କ ସମନ୍ୱିତ ପ୍ରୟାସ ଆବଶ୍ୟକ। ସଚେତନତା, ଦାୟିତ୍ୱପୂର୍ଣ୍ଣ ଔଷଧ ବ୍ୟବହାର ଓ ସଂକ୍ରମଣ ନିୟନ୍ତ୍ରଣ ପଦକ୍ଷେପ ମାଧ୍ୟମରେ ଏହି ଆହ୍ୱାନର ସଫଳ ମୁକାବିଲା କରାଯାଇପାରିବ। ସମାରୋହରେ ମନ୍ତ୍ରୀ ଏକ ସୁସ୍ଥ, ସୁରକ୍ଷିତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଚେତନତା, ଦାୟିତ୍ୱପୂର୍ଣ୍ଣ ଔଷଧ ବ୍ୟବହାର ଓ ସାମୂହିକ ପ୍ରୟାସକୁ ଆଗେଇ ନେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଜାତୀୟ ଫାର୍ମାସି ସପ୍ତାହର ଏହି ପାଳନ ଫାର୍ମାସିଷ୍ଟମାନଙ୍କ ଗୁରୁତ୍ୱପୂର୍ଣ୍ଣ ସେବାକୁ ସ୍ୱୀକୃତି ଦେବା ସହ ଔଷଧର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ମାଧ୍ୟମରେ ଜନସ୍ୱାସ୍ଥ୍ୟ ସୁରକ୍ଷାର ସଂକଳ୍ପକୁ ଆହୁରି ଦୃଢ଼ କରିଛି। ଉକ୍ତ ଉତ୍ସବରେ ପି ଆର ଏମ୍ ମେଡିକାଲ କଲେଜ ଓ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡଃ ରୀତାଞ୍ଜଳୀ ବେହେରା, ବାରିପଦା ସିଡିଏମ୍ଓ ଡଃ ବିଶ୍ଵନାଥ ଦାସ ଏବଂ ଓଡ଼ିଶା ଫାର୍ମାସି ଅଫିସର୍ସ ସର୍ଭିସ୍ ଆସୋସିଏସନ୍, ମୟୂରଭଞ୍ଜ ଶାଖା ସଭାପତି ଚିନ୍ମୟ କୁମାର ସିହ୍ନାଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଯୋଗଦେଇଥିଲେ।










