ରାଉରକେଲା: ରାଉରକେଲାରେ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ। ବେଆଇନ ଜମି କାରବାରକୁ ବିରୋଧ କରିବାରୁ ଆକ୍ରମଣ ହୋଇଥିବା ଅଭିଯୋଗ। ରାଉରକେଲା ନିକଟ ଝିରପାଣିର ଜାମସେରା ଘାଟରେ ଘଟିଛି ଏଭଳି ଘଟଣା। ଆକ୍ରମଣର ଶିକାର ହୋଇଛନ୍ତି ବୀରମିତ୍ରପୁର ତହସିଲ ଅନ୍ତର୍ଗତ ଖୁଣ୍ଟଗାଁରେ କାର୍ଯ୍ୟରତ ଆରଆଇ ଶ୍ରୀକାନ୍ତ ପାତ୍ର।
ସୂଚନା ଅନୁସାରେ, ଗତ ଶୁକ୍ରବାର ସନ୍ଧ୍ୟାରେ ସରକାରୀ କାମ ସାରି ନିଜ ମୋଟରସାଇକେଲରେ ରାଉରକେଲା ଉଦିତନଗରସ୍ଥିତ ବାସଭବନକୁ ଫେରୁଥିଲେ ଶ୍ରୀକାନ୍ତ। ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ପିଛା କରି ଝିରପାଣି ନିକଟରେ ଅଟକାଇଥିଲେ। ପରେ ତାଙ୍କୁ ମାଡ଼ ମାରିବା ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଏଥିରେ ତାଙ୍କ ହାତ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ତେବେ ବେଆଇନ ଜମି କାରବାରରେ ସହଯୋଗ ନକରିବାରୁ ଜମି ମାଫିଆମାନେ ଏଭଳି ଆକ୍ରମଣ କରିଥାଇପାରନ୍ତି ବୋଲି ଆରଆଇ ଅଭିଯୋଗ କରିଛନ୍ତି। ତେବେ ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।










