ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବି.ଏମ୍.ସି. ହସ୍ପିଟାଲଠାରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ା ସଞ୍ଜୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମଧୁମେହ ଦିବସ ୨୦୨୬ର ରାଜ୍ୟସ୍ତରୀୟ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମଧୁମେହ ସମ୍ପର୍କରେ ସଚେତନତା ବୃଦ୍ଧି, ରୋଗର ଶୀଘ୍ର ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ଓ ପରିଚାଳନାକୁ ପ୍ରୋତ୍ସାହିତ କରିବା।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ନିର୍ଦ୍ଦେଶକ (ଅଣସଂକ୍ରାମକ ରୋଗ)ଡ଼. ବିନୟ କୁମାର ଦାସ ମହାପାତ୍ର, ଯୁଗ୍ମ ନିର୍ଦ୍ଦେଶକ (ଅଣସଂକ୍ରାମକ ରୋଗ) ଡ଼. ବିନୟ କୁମାର ସାହୁ , ମୁଖ୍ୟ ଚିକିତ୍ସା ଅଧିକାରୀ, ବି.ଏମ୍.ସି. ହସ୍ପିଟାଲ ଡ଼. ସିଦ୍ଧାର୍ଥ ରାୟ , ପି.ଜି.ଆଇ.ଏମ୍.ଇ.ଆର୍. ଓ କ୍ୟାପିଟାଲ ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡ଼. ଆଶିଷ କୁମାର ଦୀକ୍ଷିତ ଏବଂ ଅନ୍ୟ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଓ ସ୍ୱାସ୍ଥ୍ୟକର୍ମୀମାନେ ଯୋଗଦେଇଥିଲେ ।
ଏହି ଦିବସ ପାଳନ ଅବସରରେ ମଧୁମେହ ଏବଂ ମଧୁମେହ ଜନିତ ରେଟିନୋପାଥି ପାଇଁ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଶିବିର ଆୟୋଜନ କରାଯାଇଥିଲା, ଯେଉଁଥିରେ ରୋଗର ଶୀଘ୍ର ଚିହ୍ନଟ ଓ ସମୟୋଚିତ ଚିକିତ୍ସାକୁ ପ୍ରୋତ୍ସାହନ କରାଯାଇଛି । ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ସୁସ୍ଥ ଜୀବନଶୈଳୀ ଅବଲମ୍ବନ ଏବଂ ମଧୁମେହର ଉପଯୁକ୍ତ ପରିଚାଳନା ଦ୍ୱାରା ବିଭିନ୍ନ ଜଟିଳତାକୁ ରୋକିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା।
କାର୍ଯ୍ୟକ୍ରମରେ ଜାତୀୟ ଅଣ-ସଂକ୍ରାମକ ରୋଗ ନିରାକରଣ ଓ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ୨୦୨୬–୨୭ ବର୍ଷ ପାଇଁ ଉତ୍କୃଷ୍ଟ ପ୍ରଦର୍ଶନ ନିମନ୍ତେ ମାଲକାନଗିରି ଓ ଯାଜପୁର ଜିଲ୍ଲାକୁ ସମ୍ମାନିତ କରାଯାଇଛି । ମଧୁମେହ ସ୍କ୍ରିନିଂ, ଚିକିତ୍ସା ଏବଂ ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ଏହି ଜିଲ୍ଲାଗୁଡ଼ିକର ସଫଳତା ହାସଲ କରିବା ସହ ମଧୁମେହ ରୋଗୀଙ୍କ ଆଭା ଆଇଡି ସୃଷ୍ଟି ସୁନିଶ୍ଚିତ କରିବାରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।









