ଭୁବନେଶ୍ୱର: ଆରମ୍ଭ ହେଲା ବିଧାନସଭାର ଶୀତ ଅଧୀବେଶନ । ଶୀତ ଅଧିବେଶନ ଆରମ୍ଭରୁ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମେ ଶୋକ ପ୍ରସ୍ତାବ ଆଗତ କରିଥିଲେ । କହିଥିଲେ ଯେ, ଦିବଙ୍ଗତ ସଦସ୍ୟଙ୍କ ଆତ୍ମାର ସଦଗତି କାମନା କରିବା ସହ ଅର୍ଣ୍ଣବ ଜନିତ ଭୂସ୍ଖଳନରେ ଜୀବନ ଯାଇଥିବା ମୃତକଙ୍କ ପରିବାର ପାଇଁ ସମବେଦନା ଜଣାଉଛି । ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରସ୍ତାବକୁ ସମର୍ଥନ କରି ଅର୍ଣ୍ଣବ ପ୍ରଭାବରେ ଜୀବନ ଯାଇଥିବା ସଦସ୍ୟଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ଦିବଙ୍ଗତ ମାନଙ୍କ ଆତ୍ମାର ଶାନ୍ତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଥିଲେ । ଏଥିସହ ଅର୍ଣ୍ଣବ ଜନିତ ଭୂସ୍ଖଳନରେ ଗଜପତିର ପ୍ରାୟ ୧୦ ଜଣଙ୍କ ଜୀବନ ଯାଇଥିବା ମୃତକଙ୍କ ଆତ୍ମାର ସଦଗତି କାମନା କରିଥିଲେ । ଶେଷରେ ସିପିଆଇ ଏମ ଦଳର ନେତା ଲକ୍ଷ୍ମଣ ମୁଣ୍ଡା ଶୋକ ପ୍ରସ୍ତାବକୁ ସମର୍ଥନ କରି ଦିବଙ୍ଗତ ସଦସ୍ୟଙ୍କ ଆତ୍ମାର ସଦଗତି କାମନା କରିବା ସହ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ, ଗଜପତି, କନ୍ଧମାଳରେ ହୋଇଥିବା ଭୂସ୍ଖଳନ ଓ କ୍ଷୟକ୍ଷତି ପାଇଁ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାକୁ ସମବେଦନା ଜଣାଇଥିଲେ । ଶେଷରେ ବାଚସ୍ପତି ସୁରମା ପାଢୀ ମଧ୍ୟ ଶୋକ ପ୍ରସ୍ତାବକୁ ସମର୍ଥନ କରି ଦିବଙ୍ଗତ ସଦସ୍ୟଙ୍କୁ ମନେ ପକାଇ ଦୁଃଖ ପ୍ରକାଶ କରିବା ସହ ୨୯ ତାରିଖରେ ହୋଇଥିବା ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ, ଗଜପତିରେ ଭୂସ୍ଖଳନ ଯୋଗୁଁ ଜୀବନ ଯାଇଥିବା ମୃତକଙ୍କ ପରିବାକୁ ସମବେଦନା ଜଣାଇଥିଲେ । ଦିବଙ୍ଗତ ସଦସ୍ୟଙ୍କ ପାଇଁ ଗୃହରେ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଶୀତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ଡିସେମ୍ବର ୩୧ ଯାଏ ଚାଲିବ ବିଧାନସଭାର ଶୀତ ଅଧୀବେଶନ ।










