ବ୍ରହ୍ମପୁର: ଏମକେସିଜି ମେଡିକାଲରେ ମୋବାଇଲ ମନା । ଏଣିକି ଡ୍ୟୁଟି ସମୟରେ ମୋବାଇଲ୍ ଫୋନ୍ ଧରିପାରିବେନି ଏମକେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲର କର୍ମଚାରୀ। ରୋଗୀଙ୍କ ସୁରକ୍ଷା, ଗୋପନୀୟତା ଓ ହସ୍ପିଟାଲର କାର୍ଯ୍ୟ ପରିବେଶକୁ ଗୁରୁତ୍ୱ ଦେଇ ଏହି କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି କର୍ତ୍ତୃପକ୍ଷ । ନଭେମ୍ବର ୧୬ ତାରିଖରେ ଏମକେସିଜି ହସ୍ପିଟାଲର ଅଧୀକ୍ଷକଙ୍କ ପକ୍ଷରୁ ଜାରି ହୋଇଥିବା ଅଫିସ୍ ଅର୍ଡର ଅନୁସାରେ, ଡ୍ୟୁଟି ସମୟରେ ୱାର୍ଡ, ଆଇସିୟୁ, ଅପରେସନ୍ ଥିଏଟର, ଓପିଡି, କ୍ରିଟିକାଲ୍ କେୟାର ଏରିଆ ଓ ଅଫିସ୍ କାର୍ଯ୍ୟସ୍ଥଳୀରେ ମୋବାଇଲ୍ ବ୍ୟବହାର ଉପରେ କଟକଣା ଲଗାଯାଇଛି ।
କେବଳ ଜରୁରୀ ସରକାରୀ ଓ ଚିକିତ୍ସା ସମ୍ବନ୍ଧୀୟ ଯୋଗାଯୋଗ ପାଇଁ ଏହାର ବ୍ୟବହାରକୁ ଅନୁମତି ମିଳିବ। ଏହାସହ ବିନା ଅନୁମତିରେ ରୋଗୀଙ୍କ ଫଟୋ, ଭିଡିଓ କିମ୍ବା ଅଡିଓ ରେକର୍ଡିଂ କରିବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ବିଶେଷକରି ଚେଞ୍ଜିଂ ରୁମ୍ ଓ ଶୌଚାଳୟ ଭିତରେ କିମ୍ବା ନିକଟରେ ଏଭଳି କାର୍ଯ୍ୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏପରିକି କୌଣସି କର୍ମଚାରୀ, ଇଣ୍ଟର୍ନ କିମ୍ବା ଆଉଟସୋର୍ସିଂ କର୍ମଚାରୀ ନିଜ ମୋବାଇଲ୍ କିମ୍ବା ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍କୁ ଡ୍ୟୁଟି ରୁମ୍,ଚେଞ୍ଜିଂ ଏରିଆ କିମ୍ବା ଶୌଚାଳୟରେ ଅସୁରକ୍ଷିତ ଭାବେ ଛାଡ଼ିପାରିବେ ନାହିଁ । ସନ୍ଦେହଜନକ ଭାବେ କୌଣସି ମୋବାଇଲ୍ କିମ୍ବା ଇଲେକ୍ଟ୍ରୋନିକ୍ ଉପକରଣ ରଖାଯାଇଥିବା ଦେଖିଲେ ତାହାକୁ ଜବତ କରିବା ସହ ହସ୍ପିଟାଲ ସୁରକ୍ଷାକର୍ମୀ ଓ ସମ୍ପୃକ୍ତ ଅଧିକାରୀଙ୍କୁ ଜଣାଇବାକୁ ନିର୍ଦ୍ଦେଶ ରହିଛି ।










