ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ଆକାଶବାଣୀ ଭବନସ୍ଥିତ ରଙ୍ଗଭବନ ଅଡିଟୋରିୟମରେ ଭାରତୀୟ ପ୍ରେସ ପରିଷଦ (ପ୍ରେସ କାଉନସିଲ୍) ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସ୍ ଦିବସ ସମାରୋହକୁ ସମ୍ବୋଧିତ କରିଛନ୍ତି। ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରି ସେ ଦ୍ରୁତ ପରିବର୍ତ୍ତନଶୀଳ ଗଣମାଧ୍ୟମ ପରିଦୃଶ୍ୟ ଓ ବୈଷୟିକ ଅଗ୍ରଗତି ସହ ଖାପ ଖୁଆଇବାକୁ ସାମ୍ବାଦିକମାନଙ୍କୁ ଆହ୍ୱାନ ଦେଇଥିଲେ। ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତାର ମୂଲ୍ୟବୋଧ ବଜାୟ ରଖିବା ସହ ସମାଜ ପ୍ରତି ଗଣମାଧ୍ୟମର ଦାୟିତ୍ୱ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ।
ଏହି ସମାରୋହରେ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷା ଜଷ୍ଟିସ( ଅବସରପ୍ରାପ୍ତ) ରଞ୍ଜନା ପ୍ରକାଶ ଦେଶାଇ, ସୂଚନା ଓ ପ୍ରସାରଣ ସଚିବ ଚଞ୍ଚଳ କୁମାର, ବିଶିଷ୍ଟ ସାମ୍ବାଦିକ ରଜତ ଶର୍ମା ଏବଂ ପ୍ରେସ୍ କାଉନସିଲ୍ ସଦସ୍ୟ ଡ. ସୁଧାଂଶୁ ତ୍ରିବେଦୀ ଉପସ୍ଥିତ ଥିଲେ। ଚଳିତ ବର୍ଷର ବିଷୟବସ୍ତୁ ‘ସାମ୍ବାଦିକତା: ଲୋକପ୍ରିୟତାବାଦୀ ନା ଦାୟିତ୍ୱପୂର୍ଣ୍ଣ’ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି। ଏହା ଦ୍ରୁତ ସୂଚନା ବିତରଣ ଓ ବୃଦ୍ଧି ପାଉଥିବା ଡିଜିଟାଲ୍ ପ୍ରଭାବ ଯୁଗରେ ସାମ୍ବାଦିକତାର ପରିବର୍ତ୍ତିତ ଭୂମିକାକୁ ଆଲୋକପାତ କରିଥିଲା।
ନାଗରିକଙ୍କୁ ସଶକ୍ତ ଓ ସମାଜକୁ ସୁଦୃଢ଼ କରିବା ପାଇଁ ସାମୂହିକ ଉଦ୍ୟମ ହେଉ: ବୈଷ୍ଣବ
ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ବୈଷୟିକ ପରିବର୍ତ୍ତନର ଅଭୂତପୂର୍ବ ଗତି ଉପରେ ଆଲୋକପାତ କରିଥିଲେ। ଆଗାମୀ ପାଞ୍ଚ ବର୍ଷରେ ଗତ ଦୁଇ ଦଶନ୍ଧିରେ ହୋଇଥିବା ପରିବର୍ତ୍ତନଠାରୁ ଅଧିକ ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ସେ ମତ ଦେଇଥିଲେ। ଯୁବ ସାମ୍ବାଦିକମାନଙ୍କୁ ପରିବର୍ତ୍ତନକୁ ଗ୍ରହଣ କରିବା ସହ ନିରନ୍ତର ନିଜ ଦକ୍ଷତା ବୃଦ୍ଧି କରିବାକୁ ସେ ଉତ୍ସାହିତ କରିଥିଲେ।
ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକର ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱ ଦେଇ ସେ ପ୍ରଶ୍ନ ଉଠାଇଥିଲେ ଯେ, ବଢ଼ୁଥିବା ମିଥ୍ୟା ସୂଚନା, ଡିପଫେକ୍, ଭ୍ରମାତ୍ମକ ବିଜ୍ଞାପନ, ଡିଜିଟାଲ୍ ଗିରଫ ଏବଂ ଶିଶୁମାନଙ୍କୁ ପ୍ରଭାବିତ କରୁଥିବା କ୍ଷତିକାରକ କଣ୍ଟେଣ୍ଟର ମୁକାବିଲା ପାଇଁ କେବଳ କମ୍ୟୁନିଟି ଗାଇଡଲାଇନ ଯଥେଷ୍ଟ କି? ନାଗରିକଙ୍କୁ ସଶକ୍ତ କରିବା ଓ ଉଦୀୟମାନ ଆହ୍ୱାନଗୁଡ଼ିକର ସମାଧାନ ପାଇଁ ପରିବର୍ତ୍ତିତ ଗଣମାଧ୍ୟମ ପରିଦୃଶ୍ୟକୁ କିପରି ନିୟନ୍ତ୍ରଣ ଓ ପରିଚାଳନା କରାଯିବ, ସେ ନେଇ ବିଚାରବିମର୍ଶର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଚାଞ୍ଚଲ୍ୟକର ଓ ଦାୟିତ୍ୱବାନ ସାମ୍ବାଦିକତା ମଧ୍ୟରେ ସୂକ୍ଷ୍ମ ସୀମାରେଖା ରହିଛି: ରଜତ ଶର୍ମା
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରି ବିଶିଷ୍ଟ ସାମ୍ବାଦିକ ରଜତ ଶର୍ମା କହିଥିଲେ ଯେ, ଚାଞ୍ଚଲ୍ୟକର ଓ ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତା ମଧ୍ୟରେ ଏକ ସୂକ୍ଷ୍ମ ସୀମାରେଖା ରହିଛି। ସେ ସମ୍ପାଦକୀୟ ବିବେକ ଓ ଦାୟିତ୍ୱପୂର୍ଣ୍ଣ ଖବର ପ୍ରସାରଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଜରୁରୀକାଳୀନ ପରିସ୍ଥିତି, ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୂର ସମୟର ଅନୁଭୂତିକୁ ସ୍ମରଣ କରି ସେ ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ଖବର ପ୍ରସାରଣ ବେଳେ ବିଶେଷ ଭାବେ ସଂଯମ, ତଥ୍ୟ ଯାଞ୍ଚ ଓ ସମ୍ବେଦନଶୀଳତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ଡିଜିଟାଲ୍ ଗଣମାଧ୍ୟମ ବ୍ୟବସ୍ଥାରେ ଅଧିକ ଉତ୍ତରଦାୟିତ୍ୱ ଆହ୍ୱାନ କରି ସେ ସାମ୍ବାଦିକମାନଙ୍କୁ ଚାଞ୍ଚଲ୍ୟ ଅପେକ୍ଷା ଖବରର ସଠିକତାକୁ ପ୍ରାଥମିକତା ଦେବାକୁ କହିଥିଲେ। ନିଜ ବକ୍ତବ୍ୟର ଶେଷରେ ସେ କହିଥିଲେ, “କମ୍ କୋଳାହଳ, ଅଧିକ ଖବର; କମ୍ ଚାଞ୍ଚଲ୍ୟ, ଅଧିକ ଦାୟିତ୍ୱ” ସାମ୍ବାଦିକମାନଙ୍କ ଲକ୍ଷ୍ୟ ହେବା ଉଚିତ।
ପ୍ରେସ୍ ସ୍ୱାଧୀନତା ଓ ସାମ୍ବାଦିକତାର ମାନଦଣ୍ଡ ପ୍ରତି ପ୍ରତିବଦ୍ଧତା ଦୋହରାଇଲେ ପ୍ରେସ କାଉନସିଲ୍ ଅଧ୍ୟକ୍ଷା
ପ୍ରେସ୍ କାଉନସିଲ୍ର ଅଧ୍ୟକ୍ଷା ଜଷ୍ଟିସ( ଅବସରପ୍ରାପ୍ତ) ରଞ୍ଜନା ପ୍ରକାଶ ଦେଶାଇ ପ୍ରେସ୍ ସ୍ୱାଧୀନତାର ସୁରକ୍ଷା ଓ ସାମ୍ବାଦିକତାର ମାନଦଣ୍ଡର ଉନ୍ନତି ପାଇଁ କାଉନସିଲ୍ର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଗଣମାଧ୍ୟମ କ୍ଷେତ୍ରରେ ଆସିଥିବା ଦ୍ରୁତ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇ ସେ କହିଥିଲେ ଯେ, ବୈଷୟିକ ଅଗ୍ରଗତି ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ମାତ୍ର କିଛି ସେକେଣ୍ଡରେ ସୂଚନା ପହଞ୍ଚିପାରୁଛି। ଏବେ ମୋବାଇଲ୍ ଫୋନ୍ ଓ ଇଣ୍ଟରନେଟ୍ ସଂଯୋଗ ଥିବା ଯେକୌଣସି ବ୍ୟକ୍ତି ଖବର ପ୍ରସାରଣକାରୀ ହୋଇପାରୁଛନ୍ତି। କିନ୍ତୁ ଖବର ପ୍ରସାରଣ କରୁଥିବା ସମସ୍ତେ ସାମ୍ବାଦିକତାର ନୈତିକତା ସମ୍ପର୍କରେ ପ୍ରଶିକ୍ଷିତ କିମ୍ବା ଏହାର ନିୟମାବଳୀ ପ୍ରତି ନିଷ୍ଠା ରଖୁନାହାନ୍ତି ବୋଲି ସେ ମତ ପ୍ରକାଶ କରିଥିଲେ।
ଏଆଇ ସହାୟତା କରିପାରିବ, କିନ୍ତୁ ସାମ୍ବାଦିକଙ୍କ ଦାୟିତ୍ବ ନେଇପାରିବ ନାହିଁ : ଚଞ୍ଚଳ କୁମାର
କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବ ଚଞ୍ଚଳ କୁମାର କହିଥିଲେ ଯେ, ସାମ୍ବାଦିକତାରେ ଜନଆକର୍ଷଣ ଓ ବିଶ୍ୱସନୀୟତା ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ। ଲୋକପ୍ରିୟତା ସତ୍ୟଠାରୁ ଅଧିକ ଗୁରୁତ୍ୱ ପାଇବା ଉଚିତ ନୁହେଁ କିମ୍ବା ଭାଇରାଲ୍ ହେବାର ଆକାଂକ୍ଷା ତଥ୍ୟ ଯାଞ୍ଚକୁ ପଛରେ ପକାଇବା ଉଚିତ ନୁହେଁ ବୋଲି ସେ ମତ ଦେଇଥିଲେ। ଟିଆରପି, କ୍ଲିକ୍ ଓ ଡିଜିଟାଲ୍ ଏନଗେଜମେଣ୍ଟର ବଢ଼ୁଥିବା ପ୍ରଭାବ ଉପରେ ଆଲୋକପାତ କରି ସେ ସମ୍ପାଦକୀୟ ବିବେକ, ତଥ୍ୟ ଯାଞ୍ଚ ଏବଂ ଖବର ଓ ମତାମତ ମଧ୍ୟରେ ପାର୍ଥକ୍ୟ ରଖିବାର ଗୁରୁତ୍ୱ ଉଲ୍ଲେଖ କରିଥିଲେ। କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ସାମ୍ବାଦିକତାରେ ସହାୟତା କରିପାରିବ, କିନ୍ତୁ ଜଣେ ସାମ୍ବାଦିକଙ୍କ ଦାୟିତ୍ୱ ଗ୍ରହଣ କରିପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ।
ପ୍ରେସ୍ କାଉନସିଲ୍ ସଦସ୍ୟ ତଥା ରାଜ୍ୟସଭା ସାଂସଦ ଡ. ସୁଧାଂଶୁ ତ୍ରିବେଦୀ ଅନ୍ତର୍ଜାତୀୟ ସୂଚକାଙ୍କଗୁଡ଼ିକର ସମାଲୋଚନାତ୍ମକ ଯାଞ୍ଚ ଉପରେ ଗୁରୁତ୍ୱ ଦେଇଥିଲେ। ଭାରତ ଏକ ନୂତନ ବିକାଶ ଦିଗରେ ଅଗ୍ରସର ହେଉଥିବା ବେଳେ ସୂଚନାର ସତ୍ୟନିଷ୍ଠା ଓ ଦାୟିତ୍ୱପୂର୍ଣ୍ଣ ପ୍ରସାରଣ ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଥିଲେ।
ସାମ୍ବାଦିକତା ଆଚରଣ ନିୟମାବଳୀର ୨୦୨୬ ସଂସ୍କରଣ ପ୍ରକାଶିତ
ଜାତୀୟ ପ୍ରେସ୍ ଦିବସ ସମାରୋହର ଏକ ପ୍ରମୁଖ ଘଟଣା ଥିଲା ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ସାମ୍ବାଦିକତା ଆଚରଣ ନିୟମାବଳୀର ୨୦୨୬ ସଂସ୍କରଣ ପ୍ରକାଶ। ଏଥିରେ ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ନୂତନ ମାର୍ଗଦର୍ଶିକା ସାମିଲ କରାଯାଇଛି।









