ବଲାଙ୍ଗୀର: କେବେ ଦୂର ହେବ ଦାଦନ ଯନ୍ତ୍ରଣା ? ପରିବାର ଲୋକଙ୍କ ପେଟ ପୋଷିବା ପାଇଁ ଅନ୍ୟ ରାଜ୍ୟକୁ ଚାଲାଣ ହେଉଛନ୍ତି ଦାଦନ ଶ୍ରମିକ । ତେବେ ବଲାଙ୍ଗୀର ଷ୍ଟେସନରୁ ଉଦ୍ଧାର ହୋଇଛନ୍ତି ଦାଦନ । ୬ ଜଣ ଶିଶୁ ଏବଂ ୧୧ ଜଣ ଦାଦନ ଉଦ୍ଧାର ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ମୁରୀବାହାଲ ବ୍ଲକ ଟିକ୍ରାପଡା ଅଞ୍ଚଳରୁ ଏହି ସବୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଉକ୍ତ ଷ୍ଟେସନରୁ ଉଦ୍ଧାର ପରେ ରେଲୱେ ପୋଲିସକୁ ହସ୍ତାନ୍ତର କରାଯାଇଛି । ସମସ୍ତ ଶ୍ରମିକଙ୍କୁ ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯାଉଥିଲା । କୋଡାସିଂଗା ଅଞ୍ଚଳର ଜଣେ ଦାଦନ ସର୍ତ୍ତା ଏମାନଙ୍କୁ ଚାଲାଣ କରୁଥିଲେ । ତେବେ ପୋଲିସକୁ ଦେଖି ଫେରାର ହୋଇଯାଇଛି ଦାଦନ ସର୍ତ୍ତା ।ଏନେଇ ଶ୍ରମ ବିଭାଗକୁ ମଧ୍ୟ ସୂଚନା ଦିଆଯାଇଛି । ଶ୍ରମ ବିଭାଗର ତଦନ୍ତ ପରେ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ । ପ୍ରାଥମିକ ତଦନ୍ତରୁ ଶ୍ରମିକମାନେ ବିନା ପଞ୍ଜୀକରଣରେ ଯାଉଥିବା ଜଣାପଡିଛି । ତେବେ ମନରେ ପ୍ରଶ୍ନ ଯେ, କେବେ ରାଜ୍ୟରୁ ଲିଭିବ ଦାଦନ ସମସ୍ୟା ? ନିଜ ଅଂଚଳରେ, ଗ୍ରାମରେ କେବେ ମିଳିବ ରୋଜଗାର? ଆର୍ଥିକ ଅନାଟନରେ ଆଉଟୁ ପାଉଟୁ ହେଉଥିବା ଶ୍ରମିକଙ୍କ ଦୁଃଖ କେବେ ବୁଝିବେ ସରକାର ? ବଦଳିଲେ ସରକାର, ହେଲେ ଦାଦନ ସମସ୍ୟାର ସମାଧାନ ହୋଇପାରିଲା ନାହିଁ । ଦୁଇ ପଇସା ପାଇଁ ସେମିତି ଗୋଡ କାଢି ବାହାରକୁ ଯାଉଛନ୍ତି ଶ୍ରମିକ । କ’ଣ ଇସ୍ତାହାର ପତ୍ରରେ ରହିଗଲା କି ପ୍ରସଙ୍ଗ । ସତରେ କ’ଣ ସରକାର ଦେଇଥିବା ପ୍ରତିଶ୍ରୁତି ଭୁଲିଗଲେ କି? ଏ ପ୍ରଶ୍ନର ଉତ୍ତର ଲୋକଙ୍କୁ କେବେ ମିଳିବ ତାହା ଅପେକ୍ଷାରେ ଜନତା ।










