24.1 C
Bhubaneswar
Monday, November 16, 2026
Homeଓଡିଶାଉପର ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲର ପୁନରୁଦ୍ଧାର ପାଇଁ ୨୩୯ କୋଟି ଟଙ୍କା ବ୍ୟୟ

ଉପର ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲର ପୁନରୁଦ୍ଧାର ପାଇଁ ୨୩୯ କୋଟି ଟଙ୍କା ବ୍ୟୟ

ଭୁବନେଶ୍ୱର : ରାଜ୍ୟର ଜଳସେଚନ ଭିତ୍ତିଭୂମିର ଆଧୁନିକୀକରଣ ଏବଂ ଜଳର ସୁବିନିଯୋଗକୁ ଅଧିକ ସୁନିଶ୍ଚିତ କରିବା ଲକ୍ଷ୍ୟରେ କଳାହାଣ୍ଡି ଜିଲ୍ଲାର ଉପର ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲର ୪୨.୬୦୬ କିଲୋମିଟର ଅଂଶର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟ ପାଇଁ ୨୩୯.୧୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।ରାଜ୍ୟ ସରକାରଙ୍କ କେନାଲ ଲାଇନିଂ ଓ ବ୍ୟବସ୍ଥା ପୁନର୍ବାସ କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପର ରିଚ୍‌-୨ ଅନ୍ତର୍ଗତ ୪୧.୧୦୦ କିଲୋମିଟରରୁ ୮୩.୭୦୬ କିଲୋମିଟର ପର୍ଯ୍ୟନ୍ତ କେନାଲର ନବୀକରଣ କରାଯିବ। ଏହାଦ୍ୱାରା କେନାଲରୁ ଜଳ ଚୁଆଁ ଓ ପରିବହନଜନିତ ଜଳକ୍ଷୟ ହ୍ରାସ ପାଇବା ସହ ଜଳଧାରଣ କ୍ଷମତା ଓ ଜଳସେଚନ ଦକ୍ଷତା ବୃଦ୍ଧି ପାଇବ। ଫଳରେ ଆୟକଟ ଅଞ୍ଚଳର ଚାଷଜମିକୁ ଅଧିକ ନିର୍ଭରଯୋଗ୍ୟ ଜଳ ଯୋଗାଣ ସମ୍ଭବ ହେବ।

ଉପର ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ଜୟପାଟଣା, କଲମପୁର ଓ ଜୁନାଗଡ଼ ଅଞ୍ଚଳର କୃଷି କ୍ଷେତ୍ରକୁ ଜଳସେଚନ ସୁବିଧା ଯୋଗାଇଥାଏ। ଏହାର ପରିକଳ୍ପିତ ଆୟକଟ ଅଞ୍ଚଳ ୨୭,୧୯୫ ହେକ୍ଟର ହୋଇଥିବାବେଳେ ବର୍ତ୍ତମାନ ଖରିଫ ଋତୁରେ ୨୫,୮୪୬ ହେକ୍ଟର ଏବଂ ରବି ଋତୁରେ ୨୦,୦୭୪ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳୁଛି। ଏହି ଦୃଷ୍ଟିରୁ ଏହି କେନାଲ କଳାହାଣ୍ଡି ଜିଲ୍ଲାର ଏକ ପ୍ରମୁଖ ଜଳସେଚନ ଭିତ୍ତିଭୂମି ଭାବେ ଗୁରୁତ୍ୱ ବହନ କରୁଛି।

କେନାଲର ଲାଇନିଂ ଓ ଢାଞ୍ଚାଗତ ପୁନରୁଦ୍ଧାର ଦ୍ୱାରା ଜଳ ପରିବହନ କ୍ଷମତା ବୃଦ୍ଧି ପାଇବା ସହ ଉପଲବ୍ଧ ଜଳର ଅଧିକାଂଶ ଭାଗ ଚାଷଜମିରେ ପହଞ୍ଚିପାରିବ। ବିଶେଷକରି କେନାଲର ଶେଷ ଭାଗରେ ଥିବା ଚାଷୀମାନେ ଏହାଦ୍ୱାରା ଅଧିକ ଉପକୃତ ହେବେ। ଉଭୟ ଖରିଫ ଓ ରବି ଋତୁରେ ନିର୍ଭରଯୋଗ୍ୟ ଜଳସେଚନ ସୁବିଧା ମିଳିବା ଫଳରେ ଚାଷୀମାନେ ଅଧିକ ଆତ୍ମବିଶ୍ୱାସର ସହ ଫସଲ ଯୋଜନା କରିପାରିବେ ଏବଂ କୃଷି ଉତ୍ପାଦନ ବୃଦ୍ଧିରେ ଏହା ସହାୟକ ହେବ।

ଉପର ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ଉପର ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଓଡ଼ିଶାର ଏହି ପ୍ରମୁଖ ଜଳଭିତ୍ତିକ ପ୍ରକଳ୍ପ ଅଧୀନରେ ଗୋଦାବରୀ ଅବବାହିକାର ଇନ୍ଦ୍ରାବତୀ ନଦୀରୁ ଜଳ ମହାନଦୀ ଅବବାହିକାର ହାତୀ ନଦୀକୁ ସ୍ଥାନାନ୍ତର କରାଯାଏ। ଏହା ସହିତ ମୁଖୀଗୁଡ଼ା ବିଦ୍ୟୁତ୍ କେନ୍ଦ୍ରରେ ୬୦୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ପରେ ମଙ୍ଗଳପୁର ବ୍ୟାରେଜ୍ ମାଧ୍ୟମରେ ଜଳ କେନାଲ ବ୍ୟବସ୍ଥାକୁ ପ୍ରବାହିତ ହୋଇ କଳାହାଣ୍ଡିର କୃଷି କ୍ଷେତ୍ରକୁ ଜଳସେଚନ ସୁବିଧା ଯୋଗାଇଥାଏ।

ଏହି ପ୍ରକଳ୍ପର ରିଚ୍‌-୨ର ପୁନରୁଦ୍ଧାର ଦ୍ୱାରା କେନାଲ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଧିକ ସୁଦୃଢ଼ ହେବା ସହ ଉପର ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପର ସୁଫଳ ଚାଷୀ ସମାଜ ନିକଟରେ ଦୀର୍ଘକାଳୀନ ଭାବେ ପହଞ୍ଚିପାରିବ।ଜଳସେଚନ ଭିତ୍ତିଭୂମିର ସଂରକ୍ଷଣ, ଆଧୁନିକୀକରଣ ଓ ଦକ୍ଷତା ବୃଦ୍ଧି ମାଧ୍ୟମରେ କୃଷି ଉତ୍ପାଦନ ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସର ଏହା ଏକ ଅଂଶବିଶେଷ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking