ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନରେ ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ଓ ପିସିସି ସମବାୟ ପ୍ରକୋଷ୍ଠ ପକ୍ଷରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୭ ଜୟନ୍ତୀ ଓ ୭୩ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ଆଜି କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ “ନେହେରୁଙ୍କ ସ୍ୱପ୍ନର ଭାରତବର୍ଷ ଗଠନରେ ସମବାୟର ଭୂମିକା” ଶୀର୍ଷକ ଆଲୋଚନା ଚକ୍ର ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀ ପ୍ରକାଶ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରରେ ପ୍ରଦେଶ କଂଗ୍ରେସ ସମବାୟ ପ୍ରକୋଷ୍ଠର ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେବାସହ ଆଲୋଚନା ଚକ୍ରର ଉପକ୍ରମଣିକା ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥିଭାବେ ଯୋଗଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ବକ୍ତବ୍ୟରେ କହିଲେ ଯେ ପଣ୍ଡିତ ନେହେରୁ ପଞ୍ଚାୟତ ବ୍ୟବସ୍ଥା ଓ ସମବାୟ କ୍ଷେତ୍ରର ଉନ୍ନତି ନିମନ୍ତେ ପରିକଳ୍ପନା କରିଥିଲେ । ଭାରତକୁ ଆଧୁନିକ ରାଷ୍ଟ୍ରଭାବେ ଗଢ଼ିତୋଳିବାରେ ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ।
ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ପିସିସି ଉପସଭାପତି ଶ୍ରୀ ସନ୍ତୋଷ ସିଂ ସାଲୁଜା, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, କଂଗ୍ରେସ ନେତା ଶ୍ରୀ ଶିବାନନ୍ଦ ରାୟ, କିଶୋର ଜେନା, ଜଗଦାନନ୍ଦ ପ୍ରଧାନ ପ୍ରମୁଖ ପଣ୍ଡିତ ନେହେରୁଙ୍କର ବୈଦେଷିକ ନୀତି, ସାମାଜିକ ସଂସ୍କାର ଓ ଧର୍ମନିରପେକ୍ଷତା, କୃଷି ଓ ଗ୍ରାମିଣ ବିକାଶ, ଉଚ୍ଚଶିକ୍ଷା ଓ ବୈଷୟିକ ଅନୁଷ୍ଠାନ ପ୍ରତିଷ୍ଠା, ଅର୍ଥନୈତିକ ଯୋଜନା ଓ ଶିଳ୍ପାୟନ ତଥା ସମବାୟର ବିକାଶ ନିମନ୍ତେ କାର୍ଯ୍ୟକାରୀ ହୋଇଥିବା ବହୁ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଆଜି ମହାତ୍ମା ଗାନ୍ଧୀ, ନେହେରୁ ଓ ଆମ୍ବେଦକରଙ୍କର ଚିନ୍ତାଧାରାକୁ ଏ ସରକାର ଗୁରୁତ୍ୱହୀନ କରିବା କ୍ଷୋଭର ବିଷୟ ବୋଲି କହିଥିଲେ ।
ସେହିପରି ଦୀର୍ଘ ୭୩ ବର୍ଷଧରି ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଆସୁଥିବା ନିଖିଳ ଭାରତ ସମବାୟ ସପ୍ତାହକୁ ଚଳିତବର୍ଷ ବିଜେପି ସରକାର ବନ୍ଦକରିବା ହୀନମନ୍ୟତାର ପରିଚୟ ବୋଲି କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ଶେଷରେ ପିସିସି ସେବାଦଳ ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ସୁଦର୍ଶନ ଦାସ, ଲିଗାଲ ସେଲର ଆଲୋକ ନନ୍ଦ, କନକ ମଲ୍ଲିକ, ଅକ୍ଷୟ କୁମାର ହରିଚନ୍ଦନ, ତରୁଣ ମିଶ୍ର, ନିମାଇଁ ରାଉତରାୟ, ଶ୍ରେୟାସ୍ମିତା ପଣ୍ଡା, ମିହିର ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ, ଜୟକୃଷ୍ଣ ସୁବୁଦ୍ଧି, ସୂର୍ଯ୍ୟକାନ୍ତ ଜେନା, ଲିଙ୍ଗରାଜ ସାହୁ, ପ୍ରାଚୀ ରାଉତରାୟ, ହଳଧର ସେଠୀ, ଆତ୍ମାରାମ ପତି, ଖଗେଶ୍ୱର ମଲ୍ଲିକ, ସଂଜୟ ମିଶ୍ର, ଦେବାଶିଷ ମିଶ୍ର, ବସନ୍ତ ପଣ୍ଡା, ସତ୍ୟବ୍ରତ ନାୟକ, ଅକ୍ଷୟ ମୁଦୁଲି, ରଞ୍ଜନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।










