କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ ପରୀକ୍ଷା ୨୦୨୭ (ମାଟ୍ରିକ) ଆଗାମୀ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖରେ ଶେଷ ହେବ। ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ନିମନ୍ତେ ଗୋଟିଏ କାର୍ଯ୍ୟସୂଚୀ ଓ ସମାନ ପ୍ରଶ୍ନପତ୍ର କରାଯାଇଥିବା ବୋର୍ଡ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତ୍ୟେକ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧୧.୩୦ରେ ସରିବ। କେବଳ ଗଣିତ ପରୀକ୍ଷାରେ ୧୫ ମିନିଟ ସମୟ ଅଧିକ ଦିଆଯିବ, ଅର୍ଥାତ୍ ଉକ୍ତ ପରୀକ୍ଷା ଦିନ ୧୧.୪୫ରେ ସରିବ। କାର୍ଯ୍ୟସୂଚୀ ଅନୁଯାୟୀ, ମାର୍ଚ୍ଚ ୧୨ ତାରିଖ ଶୁକ୍ରବାର ପ୍ରଥମ ଭାଷା ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ ଓ ତେଲୁଗୁ, ୧୫ ତାରିଖ ସୋମବାର ବିଜ୍ଞାନ, ୧୭ ତାରିଖ ବୁଧବାର ଗଣିତ, ୧୮ ତାରିଖ ଗୁରୁବାର ଟିଏଲ ଭିଜୁଆଲ ଆର୍ଟ ପ୍ରାକ୍ଟିକାଲ, ୧୯ ତାରିଖ ଶୁକ୍ରବାର ସାମାଜିକ ବିଜ୍ଞାନ, ୨୪ ତାରିଖ ବୁଧବାର ଦ୍ୱିତୀୟ ଭାଷା ଇଂରାଜୀ, ହିନ୍ଦୀ, ପରିବେଶ ଓ ଜନସଂଖ୍ୟା ଶିକ୍ଷା (କେବଳ ମୂକ-ବଧିର ପରୀକ୍ଷାର୍ଥୀଙ୍କ ପାଇଁ) ଏବଂ ୨୫ ତାରିଖ ଗୁରୁବାର ତୃତୀୟ ଭାଷା ହିନ୍ଦୀ ଓ ଟିଏଲଭି ଥିଓରୀ (କେବଳ ମୂଳ-ବଧିର ପରୀକ୍ଷାର୍ଥୀଙ୍କ ପାଇଁ) ଏବଂ ୨୭ ତାରିଖ ଶନିବାର ତୃତୀୟ ଭାଷା ସଂସ୍କୃତ, ଓଡ଼ିଆ, ପାର୍ଶି ଓ ଟିଏଲ ଭୋକେଶନାଲ ଏଜୁକେଶନ ଥିଓରୀ (କେବଳ ଭୋକେଶନାଲ ପରୀକ୍ଷାର୍ଥୀଙ୍କ ପାଇଁ) ଅନୁଷ୍ଠିତ ହେବ। ଟିଏଲଭି ଓ ଭୋକେସନାଲ ଟ୍ରେଡ୍ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୫୦ ମାର୍କର ସବ୍ଜେକ୍ଟିଭ ଓ ୫୦ ମାର୍କର ଅବଜେକ୍ଟିଭ ପ୍ରଶ୍ନ ଆସିବ। ଅବଜେକ୍ଟିଭ ପ୍ରଶ୍ନର ଉତ୍ତର ଓଏମ୍ଆର ସିଟ୍ରେ ଏବଂ ସବ୍ଜେକ୍ଟିଭ ପ୍ରଶ୍ନର ଉତ୍ତର ପ୍ରଶ୍ନପତ୍ର ସଂଲଗ୍ନ ଉତ୍ତରଖାତାରେ ଦେବାକୁ ହେବ।
ଭୋକେସନାଲ ଟ୍ରେଡ୍ ଥିଓରୀ ବିଷୟଗୁଡ଼ିକରେ ୫୦ ମାର୍କ ଓ ଟିଏଲଭି ଥିଓରିରେ ୨୦ ମାର୍କର ସବ୍ଜେକ୍ଟିଭ ପ୍ରଶ୍ନ ଆସିବ। ଭୋକେସନାଲ ଟ୍ରେଡ୍ଗୁଡ଼ିକର ପ୍ରାକ୍ଟିକାଲ ପରୀକ୍ଷା (୫୦ ମାର୍କ) ନିଜ ନିଜ ବିଦ୍ୟାଳୟରେ ଫେବୃଆରୀ ୧୯ ତାରିଖରୁ ମାର୍ଚ୍ଚ ୩ ତାରିଖ ମଧ୍ୟରେ ଓସେପା ତତ୍ତ୍ୱାବଧାନରେ ହେବ। ସେହିପରି ଟିଏଲଭି ପ୍ରାକ୍ଟିକାଲ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ୮୦ ମାର୍କର ଅନୁଷ୍ଠିତ ହେବ। ସେହିପରି ମଧ୍ୟମା ସଂସ୍କୃତ ପରୀକ୍ଷା ନିମନ୍ତେ ପ୍ରଦତ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ମାର୍ଚ୍ଚ ୧୨ ତାରିଖ ଶୁକ୍ରବାର ମାତୃଭାଷା ଓଡ଼ିଆ, ହିନ୍ଦୀ, ୧୫ ତାରିଖ ସୋମବାର ବିଜ୍ଞାନ, ୧୬ ତାରିଖ ମଙ୍ଗଳବାର ପ୍ରୟୋଗାତ୍ମକ ସଂସ୍କୃତ (କର୍ମକାଣ୍ଡ ଓ ଜ୍ୟୋତିଷ କିମ୍ବା ଆୟୁର୍ବେଦ ଓ ଯୋଗ), ୧୭ ତାରିଖ ବୁଧବାର ଗଣିତ, ୧୯ ତାରିଖ ଶୁକ୍ରବାର ସାମାଜିକ ବିଜ୍ଞାନ, ୨୦ ତାରିଖ ଶନିବାର ସଂସ୍କୃତ ବ୍ୟାକରଣ ଓ ଦର୍ଶନ, ୨୪ ତାରିଖ ବୁଧବାର ଇଂରାଜୀ ଏବଂ ୨୫ ତାରିଖ ଗୁରୁବାର ସଂସ୍କୃତ ସାହିତ୍ୟମ୍ ପରୀକ୍ଷା ଅନୁଷ୍ଠିତ ହେବ। ଅବଜେକ୍ଟିଭ ପ୍ରଶ୍ନର ଉତ୍ତର ଓଏମ୍ଆର ସିଟ୍ରେ ଏବଂ ସବ୍ଜେକ୍ଟିଭ ପ୍ରଶ୍ନର ଉତ୍ତର ପ୍ରଶ୍ନପତ୍ର ସଂଲଗ୍ନ ଉତ୍ତରଖାତାରେ ଦେବାକୁ ହେବ।
ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର କାର୍ଯ୍ୟସୂଚୀ ଅନୁଯାୟୀ, ମାର୍ଚ୍ଚ ୧୨ ତାରିଖ ଶୁକ୍ରବାର ଓଡ଼ିଆ, ତେଲୁଗୁ, ଉର୍ଦ୍ଦୁ, ହିନ୍ଦୀ, ସଂସ୍କୃତ, ୧୩ ତାରିଖ ଶନିବାର ଇଣ୍ଡିଆନ କଲଚର ଆଣ୍ଡ ହେରିଟେଜ, ୧୫ ତାରିଖ ସୋମବାର ସାଧାରଣ ବିଜ୍ଞାନ, ୧୭ ତାରିଖ ବୁଧବାର ଗଣିତ, ୧୯ ତାରିଖ ଶୁକ୍ରବାର ସାମାଜିକ ବିଜ୍ଞାନ, ୨୪ ତାରିଖ ବୁଧବାର ଇଂରାଜୀ, ୨୫ ତାରିଖ ଗୁରୁବାର ହୋମ ସାଇନ୍ସ ଥିଓରି ଏବଂ ୨୭ ତାରିଖ ଶନିବାର ପେଣ୍ଟିଂ ଥିଓରୀ ପରୀକ୍ଷା ଅନୁଷ୍ଠିତ ହେବ। ହୋମ ସାଇନ୍ସ ଓ ପେଣ୍ଟିଂ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୫୦ ମାର୍କର ସବ୍ଜେକ୍ଟିଭ ଓ ୫୦ ମାର୍କର ଅବଜେକ୍ଟିଭ ପ୍ରଶ୍ନ ଆସିବ। ଅବଜେକ୍ଟିଭ ପ୍ରଶ୍ନର ଉତ୍ତର ଓଏମ୍ଆର ସିଟ୍ରେ ଏବଂ ସବ୍ଜେକ୍ଟିଭ ପ୍ରଶ୍ନର ଉତ୍ତର ପ୍ରଶ୍ନପତ୍ର ସଂଲଗ୍ନ ଉତ୍ତରଖାତାରେ ଦେବାକୁ ହେବ। ହୋମ ସାଇନ୍ସ ଥିଓରୀରେ ସବ୍ଜେକ୍ଟିଭ ୮୫ ମାର୍କ ଓ ପ୍ରାକ୍ଟିକାଲ ୧୫ ମାର୍କ ଏବଂ ପେଣ୍ଟିଂ ଥିଓରୀରେ ସବ୍ଜେକ୍ଟିଭ ୩୦ ମାର୍କ ଓ ପ୍ରାକ୍ଟିକାଲ ୭୦ ମାର୍କର ପ୍ରଶ୍ନ ଆସିବ। ପ୍ରାକ୍ଟିକାଲ ପରୀକ୍ଷା ଷ୍ଟଡି ସେଣ୍ଟର ପ୍ରଧାନଶିକ୍ଷକମାନେ ଫେବୃଆରୀ ୧୫ ତାରିଖ ପୂର୍ବରୁ ସାରିବେ ଓ ଏହାର ମାର୍କ ବୋର୍ଡ ୱେବସାଇଟ୍ରେ ପ୍ରଦତ୍ତ ଲିଙ୍କ୍ରେ ଅପଲୋଡ୍ କରିବେ ବୋଲି ବୋର୍ଡ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି।










