ଭୁବନେଶ୍ୱର : ଗଞ୍ଜାମ ବନ୍ୟା ଅଞ୍ଚଳ ବୁଲି ଦେଖିବା ପରେ ଲୋକଙ୍କ ଦୁର୍ଦଶା ଓ ରିଲିଫ ଓ ସହାୟତା କାର୍ଯ୍ୟ ରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ ପତ୍ର ଲେଖିଛନ୍ତି। ଏହି ପତ୍ର ରେ ଶ୍ରୀ ପଟ୍ଟନାୟକ ରିଲିଫ ଓ ସହାୟତା ବଣ୍ଟନ ରେ ସ୍ୱଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରିବା ପାଇଁ ଦାବୀ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନାରେ ଅପାରଗ ବିଜେପି ସରକାର। ବିଜେଡିର ୨୪ ବର୍ଷର ସଫଳତାକୁ ୨୪ ମାସରେ ଧୂଳିସାତ୍ କରିସାରିଲାଣି,।ବିଜେପିର ତଥାକଥିତ ଡବଲ୍ ଇଞ୍ଜିନ୍ ସରକାର। ଗଞ୍ଜାମ ବନ୍ଯା ବିପନ୍ନଙ୍କୁ ରିଲିଫ ଓ ପୁନର୍ବାସ ପ୍ରଦାନରେ ଅବହେଳା ନେଇ ସରକାରଙ୍କୁ ଦାୟୀ କରି ମୁଖ୍ଯମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। କହିଛନ୍ତି, ଗଞ୍ଜାମରେ ବନ୍ୟା କେବଳ ଏକ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ। ବରଂ ରାଜ୍ୟ ବିଜେପି ସରକାରଙ୍କ ଚରମ ଅପାରଗତା ଅବହେଳା ଓ ଦୂରଦୃଷ୍ଟିହୀନତାର କରୁଣ ପରିଣତି।
ଏହା ସମ୍ପୂର୍ଣ ମନୁଷ୍ୟକୃତ ବୋଲି ଶ୍ରୀ ପଟ୍ଟ ନାୟକ କହି ଛନ୍ତି।ଗତ ୭ ତାରିଖରେ ଗଞ୍ଜାମର ହିଞ୍ଜିଳି, ଶେରଗଡ଼, ଆସିକା ଓ ସୋରଡ଼ାର ବନ୍ୟାଞ୍ଚଳ ଗସ୍ତ ପରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ବାସ୍ତବ ସ୍ଥିତି ଅନୁଧ୍ଯାନ କରି ଫେରିବା ପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ବିଜେପି ସରକାରଙ୍କୁ ଜବାବ ମାଗି ନବୀନ କହିଛନ୍ତି, IMDର ଆଗୁଆ ସତର୍କତା ସତ୍ତ୍ୱେ କାହିଁକି କୁମ୍ଭକର୍ଣ୍ଣ ନିଦ୍ରାରେ ଥିଲା ପ୍ରଶାସନ ? ଅକ୍ଟୋବର ୨୩ରୁ ଚେତାବନୀ ମିଳିବା ସତ୍ତ୍ୱେ ବର୍ଷା ପୂର୍ବରୁ ଡ୍ୟାମ ରୁ ଜଳ ନିଷ୍କାସନ ନ କରି ପ୍ରବଳ ବର୍ଷା ସମୟରେ ବିନା ପୂର୍ବ ସୂଚନାରେ ଗେଟ୍ ଖୋଲି ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ବିପଦରେ ପକାଇଲା କିଏ ? ବିଜେପି ସରକାର ନିଜେ ମାନୁଛନ୍ତି ଯେ ଗଞ୍ଜାମ ପାଇଁ ପ୍ରସ୍ତୁତି ନଥିଲା। ଦିନ ଦିନ ଧରି ଲୋକେ ଖାଦ୍ୟ ଓ ପାଣି ବିନା ଛଟପଟ ହେଲେ। ଉଦ୍ଧାର କାର୍ଯ୍ୟରେ ଅହେତୁକ ବିଳମ୍ବ ହେଲା।
ଏହି ଅକ୍ଷମଣୀୟ ଅପରାଧ ପାଇଁ ଦାୟୀ କିଏ ? ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।ବିଜେଡି ସରକାର ସମୟରେ ଗଢ଼଼ା ହୋଇଥିବା ବିଶ୍ୱସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା, ସରପଞ୍ଚ ଏବଂ ମିଶନ ଶକ୍ତିର ଭୂମିକାକୁ ଅଣଦେଖା କରି ଏ ସରକାର ସମଗ୍ର ବ୍ୟବସ୍ଥାକୁ ଭାଙ୍ଗିରୁଜି ଚୁରମାର୍ କରିଦେଇଛି। ବିଜେପି ସରକାରଙ୍କ ଦ୍ୱାରା ସରପଞ୍ଚମାନଙ୍କ ପ୍ରତି ଅବହେଳା ଏବଂ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ପ୍ରାୟତଃ ବନ୍ଦ କରିଦେବା ଫଳରେ ଏହି ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ପରେ ଏବେ ଗଞ୍ଜାମ। ପ୍ରତିଟି ବିପର୍ଯ୍ୟୟରେ ସରକାର ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଦେଉଛନ୍ତି। ସରକାରଙ୍କ ଅପାରଗତା ଏବଂ ଅବହେଳା କେବେବି ଲୋକଙ୍କ ଦୁର୍ଦ୍ଦଶାର କାରଣ ହେବା ଉଚିତ ନୁହେଁ। ସରକାରଙ୍କ ଅକ୍ଷମତାର ବୋଝ ନିରୀହ ଜନତା କାହିଁକି ସହିବେ ? ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ଗଞ୍ଜାମର କ୍ଷତିଗ୍ରସ୍ତ ଚାଷୀ, ମହିଳା, କ୍ଷୁଦ୍ର ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ଏବଂ ପୁନଃନିର୍ମାଣ ସହାୟତା ମିଳୁ। ଶ୍ରୀ ପଟ୍ଟ ନାୟକ ସତର୍କ କରି ଦେଇ ଛନ୍ତି ଯେ , ଯଦି ଓଡ଼ିଶାବାସୀଙ୍କ ଅଧିକାର ଛଡ଼ାଇ ନିଆଯାଏ, ତେବେ ଲୋକଙ୍କ ନ୍ୟାୟ ପାଇଁ ବିଜୁ ଜନତା ଦଳ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଗର୍ଜିବ ।
ଏହି ବିଫଳତା ପାଇଁ ସରକାର ଉତ୍ତରଦାୟିତ୍ୱ ସ୍ଥିର କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ପଟ୍ଟନାୟକ ଦାବୀ କରିଛନ୍ତି।










