ଲଣ୍ଡନ: ଇରାନ ପକ୍ଷରୁ କରାଯାଉଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ବ୍ରିଟେନରେ ଥିବା ଏହାର ସାମରିକ ଘାଟିରେ ସୁରକ୍ଷା ବୃଦ୍ଧି କରିବା ପାଇଁ ବିମାନ ସ୍ଥାନାନ୍ତର କରିବା ଆରମ୍ଭ କରିଛି। ଆମେରିକା ସେନା ବ୍ରିଟେନର ଆରଏଏଫ ମିଲଡେନହଲ ଏୟାରବେସ୍ରୁ ଅନେକ ସାମରିକ ବିମାନକୁ ଜର୍ମାନୀ ଏବଂ ଅନ୍ୟାନ୍ୟ ଘାଟିକୁ ସ୍ଥାନାନ୍ତର କରିଛି। କିଛି ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ଆମେରିକା ସେନା ପକ୍ଷରୁ ବ୍ରିଟେନରେ ଥିବା ସାମରିକ ଏୟାରବେସ୍ରୁ ବିମାନ ସ୍ଥାନାନ୍ତର କରିବାକୁ ପଡିଛି। ଏହି ଅଞ୍ଚଳରେ ଇରାନ ଦ୍ୱାରା ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଇରାନର ଧମକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଆମେରିକାର ବିମାନ ଗତିବିଧି ସମ୍ପର୍କରେ ୟୁକେ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ସେମାନଙ୍କ ମନ୍ତ୍ରଣାଳୟ ସାଧାରଣତଃ ଅନ୍ୟ ଦେଶର ସାମରିକ କାର୍ଯ୍ୟକଳାପ ଉପରେ ମନ୍ତବ୍ୟ ଦିଏ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, କାର୍ଯ୍ୟକ୍ଷମ ଆବଶ୍ୟକତା ଅନୁସାରେ ବିମାନ ଏବଂ ସାମରିକ ସମ୍ବଳ ନିୟମିତ ଭାବରେ ବିଭିନ୍ନ ଘାଟିକୁ ସ୍ଥାନାନ୍ତରିତ ହୋଇଥାଏ।










