ନୂଆଦିଲ୍ଲୀ: ଦେଶରେ ଧନୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଅସମାନତା କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି। ଅର୍ଥାତ ୧୦ ପ୍ରତିଶତ ଧନୀ ଲୋକଙ୍କ ହାତରେ ଦେଶର ୬୫ ପ୍ରତିଶତ ସଂପତ୍ତି ରହିଛି। ଠିକ୍ ସମାନ ସ୍ଥିତି ଦେଶ ରାଜନୈତିକ ପାର୍ଟିଗୁଡ଼ିକର। ଗୋଟିଏ ପଟେ ଗୋଟିଏ ରାଜନୈତିକ ଦଳକୁ ଚାନ୍ଦାର ପରିମାଣ ବଢୁଥିବା ବେଳେ ଅନ୍ୟପଟେ ବାକି ଦଳ ପ୍ରତି କମିବାରେ ଲାଗିଛି। ସରଳ ଭାଷାରେ କହିବାକୁ ଗଲେ ଭାରତର ଜାତୀୟ ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଚାନ୍ଦାର ୯୧.୩୬% କେବଳ ବିଜେପିକୁ ମିଳୁଛି। ଅର୍ଥାତ୍ ଜାତୀୟ ଦଳଗୁଡ଼ିକୁ ମିଳୁଥିବା ପ୍ରତି ୧୦୦ ଟଙ୍କା ଚାନ୍ଦାରୁ ପ୍ରାୟ ୯୧ ଟଙ୍କା ବିଜେପି ଖାତାକୁ ଯାଉଛି। ଏହି ଆଧାରରେ କଂଗ୍ରେସକୁ ଆର୍ଥିକ ବର୍ଷ ୨୦୨୫-୨୬ରେ ମିଳିଥିବା ଚାନ୍ଦାରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ପାର୍ଟିକୁ ୨୦ ହଜାରରୁ ଅଧିକ ଚାନ୍ଦା ରୂପେ ମୋଟ୍ ୧୩୦ କୋଟି ୬୯ ଲକ୍ଷ ଟଙ୍କା ଚାନ୍ଦା ମିଳିଛି। ଏହି ରାଶି ଗତ ଆର୍ଥିକ ବର୍ଷ ୨୦୨୪-୨୫ରେ ମିଳିଥିବା ୫୧୭.୩୯ କୋଟି ଟଙ୍କା ତୁଳନାରେ ୭୫ ପ୍ରତିଶତ କମ। ଗତ ଏକ ଦଶନ୍ଧିରେ କଂଗ୍ରେସକୁ ଏହା ସବୁଠୁ କମ ଚାନ୍ଦା ମିଳିଛି। ଅନ୍ୟପଟେ ବିଜେପି ଖାତାକୁ କଂଗ୍ରେସଠୁ ୧୨ ଗୁଣ ଅଧିକ ଚାନ୍ଦା ଯାଇଛି।
ନିର୍ବାଚନ ଆୟୋଗକୁ ଦିଆଯାଇଥିବା ରିପୋର୍ଟର ବିଶ୍ଳେଷଣ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ ପାର୍ଟିକୁ ୨୦୨୪-୨୫ରେ ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା ଭାବେ ୫୧୭.୩୯ କୋଟି ଟଙ୍କା ମିଳିଥିଲା। ଅନ୍ୟପଟେ ୨୦୨୫-୨୬ରେ ଏହି ଅର୍ଥ ରାଶି ହ୍ରାସ ପାଇ ୧୩୦.୬୯ କୋଟି ଟଙ୍କାକୁ ଖସି ଆସିଛି। ଅର୍ଥାତ ଗୋଟିଏ ବର୍ଷରେ ପାର୍ଟିକୁ ପ୍ରାୟ ୩୮୬.୭୦ କୋଟି ଟଙ୍କାର କମ ଚାନ୍ଦା ମିଳିଛି।କଂଗ୍ରେସକୁ ମିଳୁଥିବା ଚାନ୍ଦାରେ ହ୍ରାସ ହେବାର ସବୁଠୁ ବଡ଼ କାରଣ ପ୍ରୁଣ୍ଡେଟ ଇଲେକ୍ଟୋରାଲ ଟ୍ରଷ୍ଟରୁ ସବୁଠୁ କମ୍ ଚାନ୍ଦା ମିଳୁଛି। ଏହି ଟ୍ରଷ୍ଟ ୨୦୨୪-୨୫ରେ କଂଗ୍ରେସକୁ ୨୧୬.୩୪ କୋଟି ଟଙ୍କା ଚାନ୍ଦା ରୂପେ ଦେଇଥିଲା। ମାତ୍ର ୨୦୨୫-୨୬ରେ ଏହି ଟ୍ରଷ୍ଟ କଂଗ୍ରେସକୁ ମାତ୍ର ୨୫ କୋଟି ଟଙ୍କା ଅର୍ଥାତ ଗତ ବର୍ଷ ତୁଳନାରେ ୮୮ ପ୍ରତିଶତ କମ ଚାନ୍ଦା ଭାବେ ଦେଇଛି।










