ଭୁବନେଶ୍ୱର : ରାଜ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଦର ଆକାଶଛୁଆଁ ହୋଇପଡ଼ିଛି । କାର୍ତ୍ତିକରେ ଗ୍ରାହକଙ୍କୁ ମହଙ୍ଗା ମାଡ଼ ଲାଗିଛି । ଖୁଚୁରା ଦରରେ ହରଡ଼ ଡାଲି କିଲୋ ପିଛା ୧୫୦ରୁ ୧୬୫ ଟଙ୍କା ରହିଛି । ମୁଗ ଡାଲି ୧୩୦ ଟଙ୍କା, ମସୁର ଡାଲି ୯୫ ଟଙ୍କା, ସୋରିଷ ତେଲ ଲିଟର ପିଛା ୨୬୦ ଟଙ୍କା, ସୂର୍ଯ୍ୟମୁଖୀ ତେଲ ୨୨୦ ଟଙ୍କା, ଆଳୁ କିଲୋ ୨୦ଟଙ୍କା, ପିଆଜ କିଲୋ ପିଛା ୬୫ ଟଙ୍କା, ଅଦା କିଲୋ ୧୨୦ଟଙ୍କା, ରସୁଣ କିଲୋ ୨୪୦ଟଙ୍କା ରହିଛି । ବିଶେଷକରି ଚଳିତବର୍ଷ ପଶ୍ଚିମବଙ୍ଗରେ ଆଳୁ କଟକଣା ନାହିଁ । ଆଳୁ ଯୋଗାଣ ବି ସ୍ୱାଭାବିକ ଅଛି । ତଥାପି ଦର କମୁନି ।ଗୋଟିଏ ପଟେ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ ପ୍ରତିଦିନ ବ୍ୟବହାର ହେଉଥିବା ସାମଗ୍ରୀର ଦରଦାମ ବୃଦ୍ଧି ହୋଇନାହିଁ । କେବଳ ଡାଲି ତେଲ, ଆଳୁ, ପିଆଜ ସାମାନ୍ୟ ଦର ରହିଛି । ସେଥିରେ କୌଣସି ସମସ୍ୟା ନାହିଁ । ମନ୍ତ୍ରୀଙ୍କ ଏହି ବିବୃତିକୁ ନେଇ ବିରୋଧୀ ଗର୍ଜିଛନ୍ତି । ଉଭୟ ବିଜେଡି ଓ କଂଗ୍ରେସ ଏହାର ପାଲଟା ଜବାବ ରଖିଛନ୍ତି । ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଯେଉଁମାନେ କହିଛନ୍ତି ଦର ବଢ଼ିନାହିଁ, ସେମାନେ କେବେ ବଜାର ଯାଆନ୍ତି ନାହିଁ । ବର୍ତ୍ତମାନ ଚିନିଠାରୁ କିରାସିନି ସବୁର ଦରଦାମ ବଢିଛି । ଏହାର ସମାଧାନ ସରକାରଙ୍କ ପାଖରେ ନାହିଁ ।










