ଓଡ଼ିଶା ବିଧାନସଭାର ପବ୍ଲିକ୍ ଆକାଉଣ୍ଟସ୍ କମିଟିର ଅଧ୍ୟକ୍ଷା ଓ ସଭ୍ୟଙ୍କ ଯୋଗଦାନ
ଭୁବନେଶ୍ୱର: ଭାରତର ପାର୍ଲାମେଣ୍ଟ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ଓ ବିଧାନ ପରିଷଦର ପବ୍ଲିକ୍ ଆକାଉଣ୍ଟସ୍ କମିଟିର ଅଧ୍ୟକ୍ଷମାନଙ୍କର ସମ୍ମିଳନୀ କେରଳମ୍ର ଥିରୁଅନନ୍ତପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯୋଗଦେଇ ଓଡ଼ିଶା ବିଧାନସଭାର ପବ୍ଲିକ୍ ଆକାଉଣ୍ଟସ୍ କମିଟିର ଅଧ୍ୟକ୍ଷା ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ ‘ଅଡ଼ିଟ୍, ଉତ୍ତରଦାୟିତ୍ୱ ଏବଂ ସୁଶାସନ’ ଉପରେ ନିଜର ଅଭିମତ ଉପସ୍ଥାପନ କରି କହିଲେ ଯେ ଆମର ସଂସଦୀୟ ଗଣତନ୍ତ୍ରରେ ସାର୍ବଜନୀନ ହିସାବ କମିଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଦ୍ୱାରା ସରକାରୀ ଅନୁଦାନର ବ୍ୟୟ ଉପରେ ନଜର ରହିବା ସହ ପାଣ୍ଠିର ଉଚିତ ବିନିଯୋଗ ପାଇଁ କାର୍ଯ୍ୟପାଳିକାକୁ ଉତ୍ତରଦାୟୀ କରିଥାଏ । ଅନୁଦାନର ବ୍ୟୟ କ୍ଷେତ୍ରରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଏକ ଉତ୍ତମ ଆର୍ଥିକ ପରିଚାଳନା କ୍ଷେତ୍ରରେ ପବ୍ଲିକ୍ ଆକାଉଣ୍ଟସ୍ କମିଟି ପ୍ରତିଶ୍ରୁତିବଦ୍ଧ ହେବା ଉଚିତ । ଆମେ ନିଶ୍ଚିତ କରିବା ଦରକାର ଯେ ପ୍ରତ୍ୟେକଟି ଟଙ୍କା ଜନସାଧାରଣଙ୍କ କଲ୍ୟାଣ ପାଇଁ ବ୍ୟୟ ହେଉଛି ଓ ରାଜ୍ୟ ତଥା ରାଷ୍ଟ୍ରର ବିକାଶରେ ଏହା ଯୋଡ଼ି ହୋଇପାରୁଛି । ସମ୍ମିଳନୀରେ ଯୋଗଦେଇ ଓଡ଼ିଶା ପବ୍ଲିକ୍ ଆକାଉଣ୍ଟସ୍ କମିଟିର ସଭ୍ୟ ବିଧାୟକ ଡ. ଅରୁଣ କୁମାର ସାହୁ ଆଲୋଚନାରେ ଅଂଶଗ୍ରହଣ କରି କହିଲେ ଯେ ଆମକୁ ସଚ୍ଚୋଟତାର ସହ ସାବ୍ୟସ୍ତ କରିବାକୁ ହେବ ଯେ କମିଟି ଏହାର ମୂଳ ଉଦ୍ଦେଶ୍ୟ ହାସଲ କରିବାର କେତେ ଦୂର ସଫଳ ହୋଇଛି । ଗୁରୁତ୍ୱପୂର୍ଣ୍ଣ ଅଡ଼ିଟ୍ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସାରିବାକୁ ହେବ । ଏଥିରେ ଥିବା ଅସଙ୍ଗତିଗୁଡ଼ିକୁ ଗୁରୁତର ସହ ବିଚାର କରି ଏ ଦିଗରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଏଠାରେ ସୂଚନାଯୋଗ୍ୟ ଯେ ଏହି ସମ୍ମିଳନୀରେ ଲୋକସଭାର ବାଚସ୍ପତି ଶ୍ରୀ ଓମ୍ ବିର୍ଲା, ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ, ପାର୍ଲିଆମେଣ୍ଟ ପବ୍ଲିକଆକାଉଣ୍ଟସ କମିଟିର ଅଧକ୍ଷ ଶ୍ରୀ କେ. ସି ଭେନୁଗୋପାଳ, କେରଳମ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଭି. ଡି. ସଥିଶନ୍ ପ୍ରମୁଖ ଯୋଗଦେଇଥିବାବେଳେ, ଏହି ସମ୍ମିଳନୀରେ ପାର୍ଲିଆମେଣ୍ଟ ସମେତ ୨୦ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ପ୍ରତିନିଧି ପ୍ରତିନିଧିତ୍ବ କରୁଥିବା ବେଳେ,ଓଡ଼ିଶା ବିଧାନସଭାର ପବ୍ଲିକ୍ ଆକାଉଣ୍ଟସ୍ କମିଟିର ସଭ୍ୟ ବିଧାୟକ ଶ୍ରୀ ରାମଚନ୍ଦ୍ର କାଡ଼ାମ୍, ଶ୍ରୀ ଅମର କୁମାର ନାୟକ ଓ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ପ୍ରମୁଖ ଯୋଗ ଦେଇଛନ୍ତି ।










