ଛତ୍ରପୁର: କେରଳରେ ସଡ଼କ ଦୁର୍ଘଟଣାରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଝରପୋଖରୀ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଗ୍ରାମର ଜଗବନ୍ଧୁ ଦାସଙ୍କ ପୁଅ ଶୁଭମ ଦାସ। ସୂଚନା ଅନୁଯାୟୀ, ଶୁଭମ କେରଳର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। କାର୍ଯ୍ୟ ସାରି ଫେରୁଥିବା ସମୟରେ ଏକ ଆମ୍ବୁଲାନ୍ସ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣା ପରେ ଶୁଭମଙ୍କ ମୃତଦେହକୁ ଗାଁକୁ ଫେରାଇ ଆଣିବା ଏବଂ ତାଙ୍କର ବକେୟା ପ୍ରାପ୍ୟ ସହ ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ପରିବାରବର୍ଗ ଏବଂ ବିଜେଡିର ଏକ ପ୍ରତିନିଧି ଦଳ ଆଜି ଛତ୍ରପୁରସ୍ଥିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲା ଶ୍ରମ ଅଧିକାରୀ (ଡିଏଲ୍ଓ) ବର୍ଷାରାଣୀ ଜେନାଙ୍କୁ ଭେଟି ଗୁହାରି କରିଥିଲେ।










