ଭୁବନେଶ୍ୱର : ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳର ନେତା ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବିଜେଡିର ଏକ ପ୍ରତିନିଧି ଦଳ ଆଜି କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିବା ସହିତ କ୍ଷତିଗ୍ରସ୍ତ ପରିବାର ରାଇକିଆ ବ୍ଲକ ଅର୍ନ୍ତଗତ କିଳପାଙ୍ଗ ୟୁପି ସ୍କୁଲ ଠାରେ ଆଶ୍ରୟ ନେଇଥିବା ୩୦ ପରିବାରକୁ ଭେଟିଥିଲେ । ସେହିପରି ମାଣିକେଶ୍ୱରୀ ଗାଁର ଯୋଗେଶ୍ୱରୀ ହାଇସ୍କୁଲଠାରେ ଆଶ୍ରୟ ନେଇଥିବା ୧୦୫ ପରିବାରକୁ ଭେଟିବା ସହ ଇନ୍ଦ୍ରଗଡ ଗାଁର ୩୦ ପରିବାରକୁ ଭେଟିି ସମବେଦନା ଜ୍ଞାପନ କରିଥିଲେ ।
ବାତ୍ୟା “ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଘଟିଥିବା ଏହି ଭୟାବହ ଭୂସ୍ଖଳନରେ ଗୋଟିଏ ପରିବାରର ଜଣେ ଶିଶୁ ସମେତ ୩ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ପ୍ରାୟ ୧୨ ଜଣ ଏବେ ବି ନିଖୋଜ ଅଛନ୍ତି । ଏହି ଦୁଃଖଦ ଘଟଣାରେ ମୃତୁ୍ୟବରଣ କରିଥିବା ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ପ୍ରଭାବିତ ଲୋକଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ ବିଜେଡି ପ୍ରତିନିଧି ଦଳ । ଭୂସ୍ଖଳନ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ସହିତ ଉଦ୍ଧାର, ରିଲିଫ୍ ଓ ଥଇଥାନ କାର୍ଯ୍ୟର ସମୀକ୍ଷା କରିଥିଲେ । ଭୂସ୍ଖଳନରେ ପ୍ରଭାବିତ ହୋଇଥିବା ପରିବାରବର୍ଗଙ୍କୁ ବିଜେଡି ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି । କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ସରକାରୀ ସହାୟତା ତୁରନ୍ତ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି । ପ୍ରତିନିଧି ଦଳ ଡାଙ୍ଗେସି ଗ୍ରାମର ବାସ୍ତବ ସ୍ଥିତି ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ବିଜେଡି ସଭାପତି ତଥା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳର ନେତା ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ । ଏହି ଦୁଃଖଦ ସମୟରେ ବିଜୁ ଜନତା ଦଳ ଡାଙ୍ଗେସି ଗ୍ରାମବାସୀଙ୍କ ସହ ଦୃଢ଼ ଭାବରେ ଛିଡ଼ା ହୋଇଛି । ବିଜେଡିର ଏହି ପ୍ରତିନିଧି ଦଳରେ ଶ୍ରୀ ସୁଦାମ ମାରାଣ୍ଡି, ଶ୍ରୀ ପଦ୍ମନାଭ ବେହେରା ଏବଂ ଶ୍ରୀ ସାଲୁଗା ପ୍ରଧାନଙ୍କ ସହ ସ୍ଥାନୀୟ ବିଜେଡି ନେତୃମଣ୍ଡଳୀ ସାମିଲ ଥିଲେ ।










