ଭୁବନେଶ୍ୱର: ବିଜୁ ଜନତା ଦଳର ମାନ୍ୟବର ସଭାପତି ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବିଜେଡିର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ଭୂସ୍ଖଳନ ପ୍ରଭାବିତ ଡାଙ୍ଗେସି ଗ୍ରାମ ପରିଦର୍ଶନ କରିବ । ଏହି ଗସ୍ତ ସମୟରେ ପ୍ରତିନିଧି ଦଳ ସେଠାକାର ସ୍ଥିତି ଅନୁଧ୍ୟାନ କରିବା ସହିତ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇବ । ଘୂର୍ଣ୍ଣିଝଡ଼ “ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଘଟିଥିବା ଭୟାବହ ଭୂସ୍ଖଳନରେ ଗୋଟିଏ ପରିବାରର ଏକ ଶିଶୁ ସମେତ ୩ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ପ୍ରାୟ ୧୨ ଜଣ ଏବେ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି । ଏହି ପ୍ରତିନିଧି ଦଳରେ ଶ୍ରୀ ସୁଦାମ ମାରାଣ୍ଡି, ଶ୍ରୀ ପଦ୍ମନାଭ ବେହେରା ଏବଂ ଶ୍ରୀ ସାଲୁଗା ପ୍ରଧାନ ସାମିଲ ହେବେ । ଗସ୍ତ ସମୟରେ ପ୍ରତିନିଧି ଦଳ ମୃତକଙ୍କ ପରିବାରବର୍ଗଙ୍କୁ ଭେଟିବା ସହିତ ପ୍ରଭାବିତ ଗ୍ରାମବାସୀଙ୍କ ସହ ଆଲୋଚନା କରିବେ । ପ୍ରଭାବିତ ପରିବାରଗୁଡ଼ିକର ତୁରନ୍ତ ଆବଶ୍ୟକତା ସମ୍ପର୍କରେ ଅନୁଧ୍ୟାନ କରିବେ । ଏହି ଗସ୍ତ ସମୟରେ ଦୃଷ୍ଟିକୁ ଆସିଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଦଳୀୟ ନେତୃତ୍ୱଙ୍କ ନଜରକୁ ଅଣାଯିବ । ଗସ୍ତରୁ ଫେରିବା ପରେ ପ୍ରତିନିଧି ଦଳ ମାନ୍ୟବର ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ । ଏଥିରେ ସ୍ଥିତିର ବିବରଣୀ ସହିତ ପ୍ରଭାବିତ ପରିବାର ଗୁଡ଼ିକର ରିଲିଫ୍, ଥଇଥାନ ଓ ସହାୟତା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ସୁପାରିସ କରାଯିବ । ଏହି ଦୁଃଖଦ ସମୟରେ ବିଜୁ ଜନତା ଦଳ ପ୍ରଭାବିତ ପରିବାରଗୁଡ଼ିକ ସହିତ ଦୃଢ଼ ଭାବେ ଛିଡ଼ା ହୋଇଛି ଏବଂ ସେମାନଙ୍କ ଦୁଃଖରେ ସମଭାଗୀ ହୋଇଛି ।










