27.1 C
Bhubaneswar
Tuesday, November 3, 2026
Homeଓଡିଶା୧୮ଟି ଏମ୍‌ଓୟୁ ସ୍ବାକ୍ଷରିତ : ସ୍ୱଚ୍ଛ ଶକ୍ତିରେ ଓଡ଼ିଶାକୁ ଆସିବ ୧.୧୭ ଲକ୍ଷ କୋଟି ଟଙ୍କାର...

୧୮ଟି ଏମ୍‌ଓୟୁ ସ୍ବାକ୍ଷରିତ : ସ୍ୱଚ୍ଛ ଶକ୍ତିରେ ଓଡ଼ିଶାକୁ ଆସିବ ୧.୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ

ନୂଆଦିଲ୍ଲୀ/ ଭୁବନେଶ୍ୱର: ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଅନୁଷ୍ଠିତ ‘ଭାରତ ଅକ୍ଷୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ ୨୦୨୬’ରେ ଓଡ଼ିଶା ୧୮ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିବା ସହ ପ୍ରାୟ ₹୧,୧୭,୫୫୭ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟର ଅକ୍ଷୟ ଶକ୍ତି କ୍ଷେତ୍ରରେ ପ୍ରାୟ ୧୧,୭୪୨ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ଯୋଡ଼ିହେବ। ସ୍ୱଚ୍ଛ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଏତେ ବଡ ପୁଞ୍ଜିନିବେଶକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ କହିଛନ୍ତି ଯେ, ଆଜିର ଦିନଟି ହେଉଛି ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଓଡିଶା ପାଇଁ ଏକ ଐତିହାସିକ କ୍ଷଣ (Watershed Moment)। ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ପୂରଣ କରିବା ଦିଗରେ ଓଡିଶା ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପୁଞ୍ଜିନିବେଶ ମୁଖ୍ୟତଃ ପମ୍ପଡ୍‌ ଷ୍ଟୋରେଜ୍‌, ସୌର ଓ ପବନ ଶକ୍ତି, ହାଇବ୍ରିଡ୍‌ ଅକ୍ଷୟ ଶକ୍ତି, ବ୍ୟାଟେରୀ ଷ୍ଟୋରେଜ୍‌, ଗ୍ରୀନ୍‌ ହାଇଡ୍ରୋଜେନ୍‌, ଗ୍ରୀନ୍‌ ଡାଟା ସେଣ୍ଟର ଏବଂ ଅନ୍ୟାନ୍ୟ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିନିଯୋଗ ହେବ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମିଳିତ ଭାବେ ‘ଓଡ଼ିଶା ପାଭିଲିୟନ୍’ ଓ ‘ନେଦରଲ୍ୟାଣ୍ଡ୍‌ସ ପାଭିଲିୟନ୍’ର ଉଦ୍‌ଘାଟନ କରିବା ପରେ ଏହି ବୁଝାମଣାପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଗ୍ରିଡ୍‌କୋ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଡ. ସତ୍ୟପ୍ରିୟ ରଥ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ ଏହି ଏମ୍‌ଓୟୁଗୁଡ଼ିକ ଆଦାନପ୍ରଦାନ କରିଥିଲେ। ଏହାପରେ “ଓଡ଼ିଶାରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ସୁଯୋଗ” ଶୀର୍ଷକ ରାଜ୍ୟସ୍ତରୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ନବୀନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ନବୀନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ସଚିବ ଶ୍ରୀ ସନ୍ତୋଷ କୁମାର ଷଡ଼ଙ୍ଗୀ ଏବଂ ଓଡ଼ିଶା ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ ଦେବ ପ୍ରମୁଖ ଉପସ୍ଥିତ ଥିଲେ।

ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ଯେ, ଭାରତର ସ୍ବଚ୍ଛ ଶକ୍ତି ରୂପାନ୍ତରଣ ପ୍ରକ୍ରିୟାରେ ଓଡ଼ିଶାର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ରାଜ୍ୟର ବିପୁଳ ପ୍ରାକୃତିକ ସମ୍ପଦ, ସୁଦୃଢ଼ ଶିଳ୍ପ ଆଧାର ଏବଂ ଉନ୍ନତ ବନ୍ଦର ଭିତ୍ତିଭୂମି ନିବେଶକଙ୍କ ପାଇଁ ଶ୍ରେଷ୍ଠ ସୁଯୋଗ ସୃଷ୍ଟି କରୁଛି। ଅକ୍ଷୟ ଶକ୍ତି, ଶକ୍ତି ସଂରକ୍ଷଣ, ଫ୍ଲୋଟିଂ ସୋଲାର, ପବନ ଶକ୍ତି, ଗ୍ରୀନ୍‌ ହାଇଡ୍ରୋଜେନ୍‌ ଓ ଗ୍ରୀନ୍‌ ଆମୋନିଆ କ୍ଷେତ୍ରରେ ରହିଥିବା ସମ୍ଭାବନା ଉପରେ ସେ ଆଲୋକପାତ କରିବା ସହ ଏହି ସବୁ କ୍ଷେତ୍ରକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନୀତିଗତ ପ୍ରୋତ୍ସାହନ ବିଷୟରେ ଉଲ୍ଲେଖ କରିଥିଲେ। ଦେଶର ସବୁଜ ଶକ୍ତି ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର, ରାଜ୍ୟ ଓ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରେ ମିଳିତ ସହଯୋଗ ଉପରେ ସେ ଗୁରୁତ୍ବାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ଦେଶର ଅଗ୍ରଣୀ ସ୍ବଚ୍ଛ ଶକ୍ତି ହବ୍‌ରେ ପରିଣତ କରିବା ସହ ଭାରତର ଶ୍ରେଷ୍ଠ ପାଞ୍ଚଟି ବିଦ୍ୟୁତ୍‌ ରପ୍ତାନିକାରୀ ରାଜ୍ୟ ମଧ୍ୟରେ ସାମିଲ କରିବାର ଦୀର୍ଘମିଆଦୀ ରୋଡ୍‌ମାପ୍‌ ଉପସ୍ଥାପନ କରିଥିଲେ। “ଓଡ଼ିଶା ନିବେଶ ପାଇଁ ପ୍ରସ୍ତୁତ ଏବଂ ସ୍ବଚ୍ଛ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶକୁ ସ୍ବାଗତ କରୁଛି” ବୋଲି ପ୍ରକାଶ କରି ସେ କହିଥିଲେ ଯେ, ୨୦୪୭ ସୁଦ୍ଧା ରାଜ୍ୟର ମୋଟ ସ୍ଥାପିତ ବିଦ୍ୟୁତ୍‌ କ୍ଷମତାର ୭୪ ପ୍ରତିଶତ ଅଣ-ଜୀବାଶ୍ମ ଉତ୍ସରୁ(Non-Fossil Fuel) ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହ ଶିଳ୍ପ କ୍ଷେତ୍ରର ଅନ୍ତତଃ ୩୩ ପ୍ରତିଶତ ବିଦ୍ୟୁତ୍‌ ଆବଶ୍ୟକତା ସୁଲଭ ଦରରେ ସବୁଜ ଶକ୍ତି ମାଧ୍ୟମରେ ପୂରଣ କରାଯିବ ବୋଲି ସେ କହିଥିଲେ।

ନିବେଶକମାନଙ୍କୁ ସ୍ୱଚ୍ଛ ଶକ୍ତିରେ ଓଡିଶାର ଭିଜନ ସମ୍ପର୍କରେ ବିସ୍ତୃତ ବିବରଣୀ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ସୁଦ୍ଧା ଓଡିଶାରେ ୭ ହଜାର ମେଗାୱାଟର ଫ୍ଲୋଟିଙ୍ଗ୍ ସୋଲାର, ୨୦୪୭ ସୁଦ୍ଧା ୨୬ ହଜାର ପମ୍ପଡ୍ ଷ୍ଟୋରେଜ୍ ଏବଂ ୧ ହଜାର ମେଗାୱାଟ ପବନ ଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି। ତେଣୁ, ଓଡିଶାରେ ନିବେଶ କରିବା ପାଇଁ ବ୍ୟାପକ ସୁଯୋଗ ରହିଛି ବୋଲି ସେ କହିଥିଲେ। ନିବେଶକଙ୍କୁ ଓଡିଶାରେ ସ୍ୱଚ୍ଛ ଶକ୍ତି ପ୍ରକଳ୍ପ ସ୍ଥାପନ କରିବାକୁ ଆମନ୍ତ୍ରଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟ ସରକାରଙ୍କ ତିନୋଟି ପ୍ରମୁଖ ସଂକଳ୍ପ ବିଷୟରେ ଦୋହରାଇଥିଲେ– ସ୍ଥିର ଓ ସ୍ପଷ୍ଟ ନୀତି, ସିଙ୍ଗଲ୍‌ ୱିଣ୍ଡୋ ମାଧ୍ୟମରେ ସମୟବଦ୍ଧ ମଞ୍ଜୁରୀ ଏବଂ ବିଦ୍ୟୁତ୍‌ ଉତ୍ପାଦନ ପୂର୍ବରୁ ପ୍ରସାରଣ ଭିତ୍ତିଭୂମିର ସୁଦୃଢ଼ୀକରଣ। ଏହି ଅବସରରେ ସେ ‘ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା’ ଅଧୀନରେ ରାଜ୍ୟର ପାୱାର ଟ୍ରାନ୍ସମିସନ୍‌ ନେଟୱର୍କର ସମ୍ପ୍ରସାରଣ ପାଇଁ ମଞ୍ଜୁର ହୋଇଥିବା ୧୫,୯୪୮ କୋଟି ଟଙ୍କାର ବ୍ୟବସ୍ଥା ବିଷୟରେ ସୂଚନା ଦେଇଥିଲେ।

ଓଡ଼ିଶାର ଅନୁକୂଳ ଶିଳ୍ପ ପରିବେଶ, ଅକ୍ଷୟ ଶକ୍ତିର ସମ୍ଭାବନା ସହ ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର ସ୍ବଚ୍ଛ ଶକ୍ତି ଓ ଗ୍ରୀନ୍‌ ହାଇଡ୍ରୋଜେନ୍‌ କ୍ଷେତ୍ରରେ ସ୍ୱଚ୍ଛ ଶକ୍ତି ଉତ୍ପାଦନ ଓ ରପ୍ତାନୀ କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି କରିବ ବୋଲି ସେ ପ୍ରକାଶ କରିଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟର ବିଦ୍ୟୁତ୍‌ କ୍ଷେତ୍ରର ସାମ୍ପ୍ରତିକ ସଫଳତା ସମ୍ପର୍କରେ ଉଲ୍ଲେଖ କରି କହିଥିଲେ ଯେ, ବିଗତ ଗ୍ରୀଷ୍ମଋତୁରେ ରାଜ୍ୟର ସର୍ବାଧିକ ୬,୨୪୨ ମେଗାୱାଟ୍‌ ବିଦ୍ୟୁତ୍‌ ଚାହିଦାକୁ ବିନା କୌଣସି ପାୱାରକଟ୍‌ରେ ସଫଳତାର ସହ ପୂରଣ କରାଯାଇଛି। ଗୋପାଳପୁର ଓ ପାରାଦୀପଠାରେ ଗ୍ରୀନ୍‌ ହାଇଡ୍ରୋଜେନ୍‌ ଏବଂ ଆମୋନିଆ ହବ୍‌ ପ୍ରତିଷ୍ଠା ସହ ପମ୍ପଡ୍‌ ଷ୍ଟୋରେଜ୍‌, ଫ୍ଲୋଟିଂ ସୋଲାର ଓ ପବନ ଶକ୍ତି କ୍ଷେତ୍ରରେ ରାଜ୍ୟ ଆଗେଇ ଚାଲିଛି। କେନ୍ଦ୍ର ନବୀନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ସଚିବ ଶ୍ରୀ ସନ୍ତୋଷ କୁମାର ଷଡ଼ଙ୍ଗୀ ସୂଚନା ଦେଇଥିଲେ ଯେ, ‘ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨’ ଅଧୀନରେ ୨୦୩୦ ସୁଦ୍ଧା ୧୦.୯୬ ଗିଗାୱାଟ୍‌ ଅକ୍ଷୟ ଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି। ୩୦ ସେପ୍ଟେମ୍ବର ୨୦୨୬ ସୁଦ୍ଧା ରାଜ୍ୟରେ ୩,୬୪୧.୨୩ ମେଗାୱାଟ୍‌ ଅକ୍ଷୟ ଶକ୍ତି କ୍ଷମତା ସ୍ଥାପିତ ହୋଇସାରିଛି।

ଓଡ଼ିଶା ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ ଦେବ ରାଜ୍ୟର ନୀତିଗତ ଢାଞ୍ଚା, ପ୍ରକଳ୍ପ ଅନୁମୋଦନ ବ୍ୟବସ୍ଥା ଏବଂ ଶକ୍ତି ସଂରକ୍ଷଣ ପ୍ରକଳ୍ପଗୁଡ଼ିକର ବିସ୍ତୃତ ରୋଡ୍‌ମାପ୍‌ ଉପସ୍ଥାପନ କରିଥିଲେ। ଏହି ସମ୍ମିଳନୀରେ ଏନ୍.ଏଲ୍.ସି. ଇଣ୍ଡିଆ, ଆଦାନୀ ପୋର୍ଟ୍‌ସ୍ ଆଣ୍ଡ୍ ଏସ୍.ଇ.ଜେଡ୍., ଆଭାଡା ଗ୍ରୁପ୍, ଗ୍ରୀନକୋ ଗ୍ରୁପ୍, ଏକମେ ଗ୍ରୁପ୍, ଏଭ୍ରେନ୍ ଏବଂ ବ୍ରୁକ୍‌ଫିଲ୍ଡ ରିନିଉଏବଲ୍‌ସ୍ ଭଳି ଦେଶ-ବିଦେଶର ଅଗ୍ରଣୀ କମ୍ପାନୀଗୁଡ଼ିକର ସକ୍ରିୟ ଭାଗିଦାରୀ ଓଡ଼ିଶାର ସ୍ବଚ୍ଛ ଶକ୍ତି କ୍ଷେତ୍ର ପ୍ରତି ବିଶ୍ବସ୍ତରୀୟ ଆଗ୍ରହକୁ ପ୍ରମାଣିତ କରୁଛି। ଏହି ୧୮ଟି ଏମ୍‌ଓୟୁ ଓଡ଼ିଶାର ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ସୁଯୋଗକୁ ଆଗକୁ ବଢ଼ାଇବା ଦିଗରେ ଏକ ମାଇଲଖୁଣ୍ଟ। ଏହି ସମ୍ମିଳନୀରେ ଅଂଶୀଦାର ରାଜ୍ୟ ଭାବେ ଯୋଗଦେଇ ଓଡ଼ିଶା ଏକ ସୁଦୃଢ଼ ସବୁଜ ଶକ୍ତି ପରିବେଶ ଗଠନ କରିବା ସହ ଦେଶର ଶକ୍ତି ରୂପାନ୍ତରଣ ଅଭିଯାନରେ ନିଜର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking