ଭୁବନେଶ୍ୱର: କଂଗ୍ରେସ ଦଳ ଓ ଇଣ୍ଡିି ଗଠବନ୍ଧନ ଦେଶରେ ଅରାଜକତା କରିବାକୁ ଚାହୁଁଛନ୍ତି ବୋଲି ଆଜି ଦିଲ୍ଲୀରେ ହୋଇଥିବା ଆନ୍ଦୋଳନରୁ ସ୍ପଷ୍ଟ ହୋଇଛି। ଗଣତନ୍ତ୍ରରେ ଆନ୍ଦୋଳନ କରିବା ପାଇଁ ମନା ନାହିଁ। କିନ୍ତୁ ଯେଉଁ ପ୍ରସଙ୍ଗକୁ ସେମାନେ ଆଣୁଛନ୍ତି ଏବଂ ଯେଉଁ ଢଙ୍ଗରେ ଆନ୍ଦୋଳନ କରୁଛନ୍ତି ତାହା ଦେଶର ଶାନ୍ତି ଓ ଗଣତାନ୍ତିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିଛି। ନେହେରୁ ଖାନ୍ ଏବଂ ଭଦ୍ରା ପରିବାର ଗାନ୍ଧୀଙ୍କ ବଂଶଧର ନୁହନ୍ତି। ମହାତ୍ମା ଗାନ୍ଧୀଙ୍କ ସହ ଆଜିର ଯେଉଁ କଂଗ୍ରେସ ଦଳ ତାର ମାଲିକାନା ବୋଲି ଦର୍ଶାଉଛି ବାସ୍ତବରେ ସେମାନଙ୍କ ସହ ଗାନ୍ଧୀ ପରିବାରର କୌଣସି ସମ୍ପର୍କ ନାହିଁ। ସେମାନେ ଗାନ୍ଧିଜୀଙ୍କ ସାଙ୍ଗିଆକୁ ଚୋରେଇ ନେଇ ତା’ର ଅପବବ୍ୟବହାର କରୁଛନ୍ତି। ନେହେରୁ, ଭଦ୍ରା ଏବଂ ଖାନ୍ ଫ୍ୟାମିଲି ଏବଂ ଇଣ୍ଡି ଗଠବନ୍ଧନର ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି ଓ ଅନ୍ୟମାନେ, ବିଗତ ଦିନରେ ଚାହୁଁଥିଲେ ଯେ, ଜେନ୍ଜି ଆସି ରାଜରାସ୍ତାରେ ହିଂସା କରୁ, ଜେନ୍ଜି କାହିଁକି ହିଂସା କରୁନି ବୋଲି ସେମାନେ ବାରମ୍ବାର ଉଦ୍ୟମ କରୁଥିଲେ। ମାତ୍ର ଯେତେବେଳେ ଦେଶର ଜେନ୍ଜି ବୁଝିଗଲା ଯେ ଏହି ଇଣ୍ଡି ଗଠବନ୍ଧନରେ ଯେଉଁ ପଲିଟିକାଲ୍ ପାର୍ଟିମାନେ ଅଛନ୍ତି, ସେମାନେ ହିପୋକ୍ରେସିରେ ଭରା ହେଇଛନ୍ତି। ଦେଶର ଗଣତନ୍ତ୍ର, ଦେଶର ସାଧାରଣ ଜନଜୀବନ ସହ ସ୍ୱାର୍ଥରେ ସେମାନେ ନାହାନ୍ତି। ଏହାପରେ ସମ୍ପୃକ୍ତ ଦଳମାନେ ଏହି ରାଜନୈତିକ ମୋର୍ଚ୍ଚା ଖୋଲିଛନ୍ତି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରେସ୍ ବାର୍ତାରେ ରାଜ୍ୟ ମୁଖପାତ୍ର ଶ୍ରୀ ଅନୀଲ ବିଶ୍ୱାଳ କହିଛନ୍ତି।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଅନ୍ତର୍ଜାତୀୟ ଗଣମାଧ୍ୟମ “ଫକ୍ସ ନ୍ୟୁଜ୍’ର ତଦନ୍ତମୂଳକ ରିପୋର୍ଟ ଅନୁଯାୟୀ, ପ୍ୟାରିସ୍, ସ୍ପେନ୍ ଓ ଆଲବାନିଆରେ ହୋଇଥିବା ଦଙ୍ଗା ପଛରେ “ପ୍ରୋଗ୍ରେସିଭ୍ ଇଂଟରନ୍ୟାଶନାଲ୍’ ନାମକ ବାମପନ୍ଥୀ ମନୋଭାବସମ୍ପନ୍ନ ସଂଗଠନର ହାତ ରହିଥିଲା। ଏହି ସଂଗଠନ ସହ କଂଗ୍ରେସ ଦଳର ଶୀର୍ଷ ନେତୃତ୍ୱ ମଧ୍ୟ ବୈଠକ କରିଥିଲେ। ରାହୁଲ ଗାନ୍ଧୀ ବାରମ୍ବାର ବିଦେଶ ଗସ୍ତ କରି ଭାରତରେ ମଧ୍ୟ ପ୍ୟାରିସ, ବଙ୍ଗଳାଦେଶ ଓ ନେପାଳ ଭଳି ଘଟଣା ଘଟାଇ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛନ୍ତି। ଏଥିପାଇଁ କଂଗ୍ରେସ ଅନେକ ଥର ପ୍ରୟାସ
କରିଛି। ଏହାପୂର୍ବରୁ ଦିଲ୍ଲୀର କନ୍ନଡ୍ପ୍ଲେସ୍ରେ ସେମାନେ ଆନ୍ଦୋଳନ କରି ଯନ୍ତରମନ୍ତର ଯିବା ପାଇଁ ଚାହୁଁଥିଲେ, ସେତେବେଳେ ମଧ୍ୟ ପୋଲିସ୍ ସହ ଧସ୍ତାଧସ୍ତି ହୋଇଥିଲା ଏବଂ ଏଭଳି ହିଂସା ଓ ଅଶାନ୍ତିର ଚିତ୍ର ସାମ୍ନାକୁ ଆସିଥିଲା। ଆଜି ମଧ୍ୟ କଂଗ୍ରେସ ଦଳ ସେଭଳି ସମାନ ପ୍ରୟାସ କରିବା ପାଇଁ ଉଦ୍ୟମ କରୁଛି। ନିର୍ବାଚନରେ ପରାଜୟ ସ୍ୱୀକାର କରିବା ବଦଳରେ କଂଗ୍ରେସ ନିରନ୍ତର ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ କାଠଗଡ଼ାରେ ଠିଆ କରୁଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏକଚାଟିଆ ନିଷ୍ପତି ନେଉଛନ୍ତି ବୋଲି କଂଗ୍ରେସ ପକ୍ଷରୁ ସୁପ୍ରିକୋର୍ଟରେ ପିଟିଶନ ଫାଇଲ କରାଯାଇଥିଲା। ଏହି ସମୟରେ ଦେଶର ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ଦୁଇ ନିର୍ବାଚନ ଆୟୁକ୍ତଙ୍କ ମିଳିତ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ, ନିଷ୍ପତି ସମ୍ପୂର୍ଣ୍ଣ ସହମତିରେ ନିଆଯାଉଛି। ଏହାପରେ ଆଉ କୌଣସି ସନ୍ଦେହର ଅବକାଶ ନଥିଲା। ଏନେଇ କଂଗ୍ରେସର ଯୋଜନା ଫେଲ ହୋଇଯିବା ପରେ ଏହାର ଜବାବ ଦେବା ପାଇଁ କଂଗ୍ରେସ ସୁପ୍ରିମକୋର୍ଟରେ ୧୦ ଦିନ ସମୟ ମାଗିଥିଲା। ଏହି ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିଲାବେଳେ କଂଗ୍ରେସ ପକ୍ଷରୁ ମଗାଯାଇଥିବା ସମୟର ମାତ୍ର ୪ ଦିନ ବିିତିଛି। ଏଭଳିସ୍ଥିତିରେ କ’ଣ ପାଇଁ କଂଗ୍ରେସ ପକ୍ଷରୁ କୌଣସି ଜବାବ୍ ଦିଆ ନ ଯାଇ ରାଜରାସ୍ତାରେ ବିକ୍ଷୋଭ ଓ ଉତେଜନା କରାଯାଉଛି? ଏହାପଛର ଉଦ୍ଦେଶ୍ୟ କ’ଣ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ନ୍ୟାୟପାଳିକା ଓ ସେନାବାହିନୀଙ୍କ ଉପରେ ବିଶ୍ୱାସ ନାହିଁ ବୋଲି କଂଗ୍ରେସ ନେତାମାନେ ବୟାନବାଜି କରୁଛନ୍ତି। ପୂର୍ବରୁ ସର୍ଜିକାଲ୍ ଷ୍ଟ୍ରାଇକ୍, ଅପରେସନ ସିନ୍ଦୁର ଏବଂ ସୀମା ସୁରକ୍ଷା କ୍ଷେତ୍ରରେ ଭାରତୀୟ ସେନା ଓ ବାୟୁସେନାର ସାହସିକତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ନିଜର ଦେଶବିରୋଧୀ ମାନସିକତା ପ୍ରଦର୍ଶନ କରିଛି। କଂଗ୍ରେସ ଦଳ ଏବେ ଖାଲି କ୍ଷମତା ପାଇଁ ଡହଳବିକଳ ହେଉଛି। ୧୯୮୯ରେ ରାଜୀବ ଗାନ୍ଧୀଙ୍କ ପରାଜୟ ପରେ ବାଲଟ୍ ପେପର ବନ୍ଦ କରି ଇଭିଏମ୍ ଆଣିବାକୁ ଦାବି କରିଥିବା କଂଗ୍ରେସ ଆଜି ଠିକ୍ ଓଲଟା କଥା କହୁଛି। ନିକଟରେ ଚାରୋଟି ରାଜ୍ୟର ୨୮ଟି ଏମଏଲସି ଆସନରେ ବାଲଟ୍ ପେପରରେ ହୋଇଥିବା ନିର୍ବାଚନରେ କଂଗ୍ରେସ ଶୂନ ପାଇଛି। ଇଭିଏମ୍ ହେଉକି ବାଲ୍ଟ ପେପର ହେଉ କଂଗ୍ରେସ ପାଖରେ ଜନସମର୍ଥନ ରହିଛି କି ତାହାର ପ୍ରଥମେ ସମୀକ୍ଷା କରୁ।
୨୦୧୧ରେ ୟୁପିଏ ସରକାର ସମୟରେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ଦେଶର ଆଇନମନ୍ତ୍ରୀ ଥିଲେ। ସେତେବେଳେ ସେ କହୁଥିଲେ “ରାଇଟ୍ ଟୁ ପ୍ରୋଟେଷ୍ଟ ଇଜ୍ ନଟ୍ ଫଣ୍ଡାମେଟାଲ୍ ରାଇଟ୍ସ’ ଏବଂ କେଉଁ ଜାଗାରେ ଆନ୍ଦୋଳନ କରାଯିବ ସେ ନିଷ୍ପତି ସରକାର ନେବେ। କିନ୍ତୁ ଆଜି ଯେତେବେଳେ ଜନ୍ତରମନ୍ତରକୁ ଡି ନୋଟିଫିକେସନ୍ କରାଗଲା, ସେତେବେଳେ ବିକ୍ଷୋଭ ପ୍ରଦର୍ଶନ କରିବାକୁ କ’ଣ ପାଇଁ ଦିଆଗଲା ନାହଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଏଥିରୁ କଂଗ୍ରେସ ଦଳର ହିପୋକ୍ରାସି ପଦାରେ ପଡ଼ିଛି।
ଏସ୍ଆଇଆର୍କୁ ନେଇ କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଉଛି। କେରଳ ପିସିସି ସଭାପତି ଓ କର୍ଣ୍ଣାଟକର ମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି ଯେ ଏସ୍ଆଇଆର୍ ଦ୍ୱାରା ନକଲି ଓ ମୃତ ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଏବେ ଏସ୍ଆଇଆର୍ ହେବା ଯୋଗୁ ସେମାନେ କ୍ଷମତାକୁ ଆସିଥିବା କହିଛନ୍ତି। ଏସ୍ଆଇଆର୍ ସଂଶୋଧନରେ ଅନିୟମିତତା ହୋଇଛି ବୋଲି କଂଗ୍ରେସ ଯଦି କହୁଛି ତେବେ କେରଳ ଓ ତାମିଲନାଡୁରେ ମଧ୍ୟ କଂଗ୍ରେସ ନିଜର ବିଜୟକୁ ଅସ୍ୱୀକାର କରି ଇସ୍ତଫା ଦେଉ। ଏଥିରୁ କଂଗ୍ରେସର ଦୋହରା ଚରିତ୍ର ପଦାରେ ପଡ଼ିଛି। ବାସ୍ତବରେ ବାଂଲାଦେଶୀ ଅନୁପ୍ରବେଶକାରୀ ଓ ବୋଗସ୍ ଭୋଟରଙ୍କ ନାମ କଟିବା ଯୋଗୁଁ କଂଗ୍ରେସ ବ୍ୟଥିତ ହୋଇପଡ଼ିଛି। ସେମାନେ ଆହୁରି କହିଛନ୍ତି ଯେ, ଇଭିଏମ୍ରେ ତ୍ରୁଟି ରହିଛି। ଯଦି ଇଭିଏମ୍ ଭୁଲ୍ ତେବେ କର୍ଣ୍ଣାଟକ, ତେଲେଙ୍ଗାନା ଓ ଝାଡ଼ଖଣ୍ଡରୁ ଏହି ଦଳ ପ୍ରଥମେ ଇସ୍ତପା ଦେଉ। ଆଗକୁ କଂଗ୍ରେସ କହୁଥିଲା ଭୋଟ ପ୍ରତିଶତ ଗଡ଼ବଡ଼ି ହୋଇଛି। ଏଡିଆର୍ ରିପୋର୍ଟ ଆଧାରରେ ସେତେବେଳେ କଂଗ୍ରେସ ସଂସଦ ଚଲେଇ ଦେଇ ନ ଥିଲା। ମାତ୍ର ପରେ ଯେତେବେଳେ ଏଡିଆର୍ ନିଜ ତ୍ରୁଟି ପାଇଁ ସାର୍ବଜନୀନ କ୍ଷମା ପ୍ରାର୍ଥନା କରି ରିପୋର୍ଟ ପ୍ରତ୍ୟାହାର କଲା, ତାପରେ କଂଗେସ କହିଲା ଭୋଟର ତାଲିକାରେ ତ୍ରୁଟି ରହିଛି। ଏହାକୁ ସଂଶୋଧନ କରିବା ପାଇଁ ଯେତେବେଳେ ଏସ୍ଆଇଆର୍ ଆସିଲା, ସେତେବେଳେ କଂଗ୍ରେସ ତାହାକୁ ମଧ୍ୟ ବିରୋଧ କରିଛି। ଏବେ ସେମାନେ ନିର୍ବାଚନ ଆଯୁକ୍ତଙ୍କୁ ବିରୋଧ କରି ୟୁରୋପିଆନ୍ ଦେଶଗୁଡ଼ିକରେ ଯେପରି ହିଂସାମୟ ପରିସ୍ଥିତି ସୃଷ୍ଟି ହୋଇଛି ସେଭଳି ଭାରତର ଜନସାଧାରଣଙ୍କ ମନରେ ମଧ୍ୟ ସାମ୍ବିଧାନିକ ବ୍ୟବସ୍ଥା ଉପରେ ସନ୍ଦେହ ସୃଷ୍ଟି କରି ହିସାଂକାଣ୍ଡ ଘଟାଇବାକୁ କଂଗ୍ରେସ ପକ୍ଷରୁ ଷଡଯନ୍ତ୍ର କରାଯାଇଛି। ଦେଶର ଯୁବପିଢ଼ି ଜେନ୍ଜି ଏବଂ ସାଧାରଣ ଜନତା କଂଗ୍ରେସର ଏହି ଦୋମୁହାଁ ନୀତି ଓ ନକଲି ନାରେଟିଭ୍କୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି।
ଜନସମର୍ଥନ ହରାଇଥିବା କଂଗ୍ରେସ ଦଳ ‘ମ୍ୟାଚ୍ ହାରିଲେ ଅମ୍ପାୟାରଙ୍କୁ ଦୋଷ ଦେବା’ ଭଳି ନୀତି ଆପଣେଇଛି। ଭାରତବର୍ଷର ସଚେତନ ନାଗରିକ ଏହି ଷଡ଼ଯନ୍ତ୍ରକୁ ଭଲ ଭାବେ ବୁଝିସାରିଛନ୍ତି ଏବଂ ଗଣତନ୍ତ୍ରକୁ ଦୁର୍ବଳ କରିବାର କୌଣସି ଅପଚେଷ୍ଟାକୁ ଦେଶବାସୀ କଦାପି ସଫଳ ହେବାକୁ ଦେବେ ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।










