ଲଇକେରା: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକ ଅଞ୍ଚଳରେ ଦୁଇ ଦିନ ଧରି ଲାଗି ରହିଛି ଲଗାଣ ବର୍ଷା । ଏହାର ପ୍ରଭାବରେ ଅମଳ ଅପେକ୍ଷାରେ ଥିବା ପାଚିଲା ଧାନ କ୍ଷେତରେ ଶୋଇ ପଡ଼ିଥିବାବେଳେ ବିଭିନ୍ନ ସ୍ଥାନରେ ଘରୋଇ କ୍ଷୟକ୍ଷତି ମଧ୍ୟ ଘଟିଛି । ସୂଚନା ଅନୁଯାୟୀ, ବୁଧବାର ରାତିରେ ଲଇକେରା ବ୍ଲକର ସାହାସପୁର ପଞ୍ଚାୟତ ଅନ୍ତର୍ଗତ ନାଏକବନ୍ଦପାଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଗାଈ ଗୁହାଳଟି ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା । ଅନ୍ୟପକ୍ଷରେ, ବାତ୍ୟାର ପ୍ରଭାବରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ଶତାଧିକ ଏକର ଚାଷଜମିରେ ପାଚିଲା ଧାନ ଶୋଇ ପଡ଼ିଥିବା ଜଣାପଡ଼ିଛି । ଅମଳ ସମୟରେ ଏଭଳି ସ୍ଥିତି ଉପୁଜିଥିବାରୁ ଧାନ ଉତ୍ପାଦନ ଓ ମାନ ହ୍ରାସ ପାଇବା ଆଶଙ୍କାରେ ଚାଷୀକୁଳ ଚିନ୍ତିତ ହୋଇପଡ଼ିଛନ୍ତି । ଲଗାଣ ବର୍ଷା ଯୋଗୁଁ ଚାଷୀଙ୍କ ଆର୍ଥିକ କ୍ଷତି ବଢ଼ିବାର ଆଶଙ୍କା ରହିଥିବାରୁ କ୍ଷୟକ୍ଷତିର ଆକଳନ କରି ଆବଶ୍ୟକ ସହାୟତା ଯୋଗାଇଦେବାକୁ ଚାଷୀ ମହଲରେ ଦାବି ହେଉଛି ।










