ଭୁବନେଶ୍ବର: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆଜି ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ, ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ସ୍ବାଗତ କରିଛନ୍ତି। ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି।
ରାଜ୍ୟପାଳଙ୍କ ସହ ଝାଡ଼ଖଣ୍ଡରୁ ପ୍ରାୟ ୩୦୦ଜଣ ଅତିଥି ଆସିଛନ୍ତି। ଆସନ୍ତା ୧୮ତାରିଖରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ଓଡ଼ିଶା ଲୋକଭବନ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଶେଷ ହୋଇଛି। ୧୮ତାରିଖ ପୂର୍ବାହ୍ନ ୧୧ଟାରେ ଲୋକଭବନର ନୂଆ ଅଭିଷେକ ହଲ୍ରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ନୂଆ ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ।










