ଛାତ୍ର ସଂସଦ ନିର୍ବାଚନରେ ବିସିଜେଡିର ବିପୁଳ ବିଜୟ
ନବୀନ ପଟ୍ଟନାୟକଙ୍କ ପ୍ରତି ବିପୁଳ ସମର୍ଥନ ଜଣାଇଲେ ଜେନ ଜି
ଛାତ୍ର ସଂସଦ ନିର୍ବାଚନ ଫଳାଫଳ କେବଳ ଆରମ୍ଭ ମାତ୍ର
ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ରାଜ୍ୟବ୍ୟାପୀ ବିସିଜେଡିକୁ ବିପୁଳ ସମର୍ଥନ ମିଳିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ, ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳର ବରିଷ୍ଠ ଉପସଭାପତି ସୋମ୍ୟ ରଞ୍ଜନ ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଛାତ୍ର ସଂସଦ ନିର୍ବାଚନରେ ଛାତ୍ରଛାତ୍ରୀ ମାନେ ବିଜେଡି ପ୍ରତି ବିପୁଳ ସମର୍ଥନ ଜଣାଇଛନ୍ତି । ଯାହାକି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରତି ଜେନ ଜି ମାନଙ୍କ ଭଲ ପାଇବାକୁ ପ୍ରମାଣିତ କରିଛି । ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଯେଉଁ ବୈପ୍ଲବିକ ପରିବର୍ତ୍ତନ ଆସିଥିଲା, ଯାହାକୁ ଛାତ୍ରଛାତ୍ରୀମାନେ କେବେ ବି ଭୁଲିପାରିବେ ନାହିଁ । ଇପ୍ସିତା ସାହୁଙ୍କ ଭଳି ଜଣେ ଛାତ୍ରୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଦାୟିତ୍ୱ ଦେଇଥିବା ବେଳେ ସେ ତାହାକୁ ସଠିକ୍ ଢଙ୍ଗରେ ତୁଲାଇ ନିର୍ବାଚନରେ ବିସିଜେଡିକୁ ବିଜୟ କରାଇଛନ୍ତି । ବିଜେଡି ପ୍ରତି ବିପୁଳ ସମର୍ଥନ ଜଣାଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଦଳ ଧନ୍ୟବାଦ ଜଣାଇବା ସହ ବିଜୟ ପ୍ରାର୍ଥୀ ମାନଙ୍କୁ ଅଭିନନ୍ଦନ ଜଣାଇଛି । ବିଜେପି ସରକାର ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ ନେବାକୁ ସରକାରୀ କଳ ଓ ବଳର ବ୍ୟାପକ ଅପପ୍ରୟୋଗ କରିଥିଲେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ସମର୍ଥନ ହାସଲ କରିପାରିଲେ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ରମାଦେବୀ ବିଶ୍ୱବିଦ୍ୟାଳୟ ବିଜୟ ନିହାତି ଆବଶ୍ୟକ ଥିଲା, କିନ୍ତୁ ଜେନ ଜି ତାକୁ କରାଇ ଦେଲେ ନାହିଁ । ସେହିପରି ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିସିଜେଡି ବଡ ବିଜୟ ହାସଲ କରିଛି । ବିଜେପି ଯେଉଁ ମିଥ୍ୟା କହି ରାଜ୍ୟରେ ସରକାର ଗଠନ କରିଥିଲା, ତାହାକୁ ରାଜ୍ୟବାସୀ ଭଲ ଭାବେ ଜାଣିସାରିଲେଣି । ରାଜ୍ୟର ୨୮୬ଟି କଲେଜରେ ଛାତ୍ର ସଂସଦ ନିର୍ବାଚନ ହୋଇଥିବା ବେଳେ ୧୭୦ କଲେଜରେ ବିଜେଡି ବିଜୟ ଲାଭ କରିଛି । କିନ୍ତୁ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମିଥ୍ୟା ତଥ୍ୟ ଉପସ୍ଥାପନ କରୁଛନ୍ତି । ବିଜେପି ନିଜ ପରାଜୟକୁ ସ୍ୱୀକାର କରିପାରୁ ନାହିଁ । ବିଜେପି ସରକାର ଜେନ ଜି ମାନଙ୍କ ସମ୍ମୁଖରେ ମିଛ କହିବା ବନ୍ଦ କରନ୍ତୁ । ଏହି ବିଜୟ କେବଳ ଆରମ୍ଭ ମାତ୍ର ।
ଇପ୍ସିତା ସାହୁ କହିଥିଲେ ଯେ, ଛାତ୍ର ସଂସଦ ନିର୍ବାଚନରେ ବିଜେଡି ପ୍ରତି ଛାତ୍ରଛାତ୍ରୀ ମାନେ ବିପୁଳ ସମର୍ଥନ ଜଣାଇଛନ୍ତି । ଯାହାକୁ ବିଜେପି ଅତି ସହଜରେ ଗ୍ରହଣ କରିପାରୁନାହିଁ । ରାଜ୍ୟର ୬୦ ପ୍ରତିଶତରୁ ଊଦ୍ଧ୍ୱର୍ କଲେଜରେ ବିଜେଡି ବିଜୟ ହାସଲ କରିଛି । କିନ୍ତୁ ଶାସକ ଦଳର ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅନ୍ୟ ନେତା ମାନେ ଏବିଭିପି ରାଜ୍ୟର ୮୦ ପ୍ରତିଶତ କଲେଜରେ ବିଜୟ ହୋଇଛି ବୋଲି ମିଛ ପ୍ରଚାର କରୁଛନ୍ତି । ବିଜେପି ସରକାରର ଯଦି ସତ୍ସାହସ ଅଛି, ସତକୁ ସ୍ୱୀକାର କରନ୍ତୁ ଏବଂ ତଥ୍ୟ ଉପସ୍ଥାପନ କରନ୍ତୁ । ସରକାରୀ କଳ ଓ ବଳ ଲଗାଇ ଦେଇଥିଲେ ମଧ୍ୟ ଛାତ୍ର ସଂସଦ ନିର୍ବାଚନକୁ ଜିତିବାରେ ସଫଳ ହୋଇନାହିଁ ବିଜେପି । ଜେନ ଜି ମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଜେନ ଜି ମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଜଣାଇଛନ୍ତି । ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ ନେବାକୁ ବିଜେପି ସରକାର ଅନେକ ଚକ୍ରାନ୍ତ କରିଥିଲେ, ଏମିତି କି ଫଳାଫଳ ପ୍ରକାଶ କରିବାରେ ଅନେକ ବିଳମ୍ବ କରିଲେ । କିନ୍ତୁ ଜେନ ଜି ମାନଙ୍କ ସମ୍ମୁଖରେ ସରକାରୀ କଳ ଓ ବଳ କିଛି କାମ ଦେଲାନାହିଁ । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ଯୁବ ସଭାପତି ଓ ମନ୍ତ୍ରୀ ଏବଂ ନେତା ମାନଙ୍କ ଅଞ୍ଚଳରେ ଏବିଭିପି ପ୍ରାର୍ଥୀ ମାନେ ପରାଜୟ ବରଣ କରିଛନ୍ତି । ଶ୍ରୀ ସୌମ୍ୟ ରଞ୍ଜନ ମହାପାତ୍ର କହିଥିଲେ ଯେ, ସରକାରଙ୍କ ସବୁ ଚକ୍ରାନ୍ତ ବିଫଳ ହୋଇଛି । ବିସିଜେଡି ପ୍ରାର୍ଥୀ ମାନେ ବିପୁଳ ବିଜୟ ହାସଲ କରିଛନ୍ତି । ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ ନେବାକୁ ବିଜେପି ସରକାର ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଉପାୟ ଅବଲମ୍ୱନ କରିଥିଲେ । ଏହାସତ୍ତ୍ୱେ ବିଜେପି ସରକାରଙ୍କ ସବୁ ଚକ୍ରାନ୍ତ ବିଫଳ ହୋଇଛି । ପ୍ରାର୍ଥୀ ଚୋରି ଓ ଭୋଟ ଚୋରି କରିବା ପ୍ରୟାସ ସଫଳ ହୋଇନାହିଁ । ଜେନ ଜି ମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହ ରହିଛନ୍ତି ଓ ଆଗକୁ ମଧ୍ୟ ରହିବେ ।









