ନୂଆଦିଲ୍ଲୀ: ଆଜି କନ୍ନଟ୍ ପ୍ଲେସ୍ରେ ସିଜେପିର ଆନ୍ଦୋଳନ। ଦିଲ୍ଲୀର କନ୍ନଟ୍ ପ୍ଲେସ୍ସ୍ଥିତ ସେଣ୍ଟ୍ରାଲ ପାର୍କରେ ଆଜି ଆନ୍ଦୋଳନ ପାଇଁ କକ୍ରୋଚ୍ ଜନତା ପାର୍ଟି ଘୋଷଣା କରିଛି । ତେବେ ଜାତୀୟ ପତାକା ଧରି ଜାତୀୟ ସଙ୍ଗୀତ ଗାନ କରିବା ପାଇଁ ଉପଯୁକ୍ତ ସ୍ଥାନରେ କେବଳ ୧୧ ଜଣଙ୍କୁ ସୁଯୋଗ ଦିଆଯିବ ବୋଲି ଦିଲ୍ଲୀ ପୁଲିସ କହିଛି । ଦିଲ୍ଲୀ ହାଇକୋର୍ଟ ଆନ୍ଦୋଳନ ବନ୍ଦ ପାଇଁ ନିର୍ଦ୍ଦେଶ ଦେବାକୁ ମନା କରିବା ସହ ପୁଲିସକୁ ଆଇନଶୃଙ୍ଖଳା ରକ୍ଷା କରିବାକୁ କହିବା ପରେ ପୁଲିସ ଏହି ନିଷ୍ପତ୍ତ ନେଇଛି। ଅପରପକ୍ଷେ କନ୍ନଟ୍ ପ୍ଲେସ୍ ଓ ଏହାର ଆଖପାଖ ଅଞ୍ଚଳରେ ବିଏନ୍ଏସ୍ଏସ୍ର ଧାରା ୧୬୩ ଜାରି କରାଯାଇଛି ।
ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଗୁରୁବାର ଅପରାହ୍ନ ୫ଟାରେ ସେଣ୍ଟ୍ରାଲ ପାର୍କରେ ତ୍ରିରଙ୍ଗା ଧରି ଏକାଠି ହେବାକୁ ନାଗରିକମାନଙ୍କୁ ଆହ୍ବାନ ଦେଇଛନ୍ତି । ଦଳର ସଦସ୍ୟ ସୌରଭ ଦାସ ଓ ଆଶୁତୋଷ ରାଙ୍କା ଯନ୍ତରମନ୍ତରରେ ପତାକା ଉଡ଼ାଇବା ଘଟଣାରେ ଗିରଫ ହୋଇ ତିହାର ଜେଲ୍ରେ ନ୍ୟାୟିକ ହାଜତରେ ଅଛନ୍ତି। ସେମାନଙ୍କ ଗିରଫକୁ ବିରୋଧ କରି ଦୀପକେ ଏହି କାର୍ଯ୍ୟକ୍ରମ ଡାକରା ଦେଇଛନ୍ତି । ସେପଟେ ନୂଆଦିଲ୍ଲୀ ପୌର ପରିଷଦ ସୁରକ୍ଷା ଓ ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଆଜି ଓ ଆସନ୍ତାକାଲି ସାଧାରଣ ଜନତାଙ୍କ ପାଇଁ ସେଣ୍ଟ୍ରାଲ ପାର୍କ ବନ୍ଦ ରଖିବାକୁ ନୋଟିସ୍ ଜାରି କରିଛି ।










