ଢେଙ୍କାନାଳ: ବିଳମ୍ବିତ ରାତିରେ ଘରେ ପଶି ଲୁଟିଲେ ଦୁର୍ବୃତ୍ତ। ଘରେ କେହି ପୁରୁଷ ଅନୁପସ୍ଥିତ ଥିବାର ସୁଯୋଗ ନେଇ ବିଳମ୍ବିତ ରାତିରେ ଘରେ ପଶିଲେ ଦୁର୍ବୃତ୍ତ। ମାରଣାସ୍ତ୍ର ଦେଖାଇ ଲୁଟିନେଲେ ସୁନା ଅଳଙ୍କାର ସମେତ ୨ ଲକ୍ଷ ନଗଦ ଟଙ୍କା । ଏଭଳି ଏକ ଚାଞ୍ଚଲ୍ୟକର ଲୁଟ୍ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନା ଅନ୍ତର୍ଗତ ବେଲମାଳିଆ ଗାଁରେ। ସୂଚନା ଅନୁସାରେ, ଗାଁର ସରତ ସେନାପତିଙ୍କ ଘରେ ବିଳମ୍ବିତ ରାତିରେ ଚାରି ଜଣ ଦୁର୍ବୃତ୍ତ ପଛପଟ ଗେଟ୍ ଦେଇ ପ୍ରବେଶ କରିଥିଲେ। ଦୁର୍ବୃତ୍ତମାନେ ପ୍ରଥମେ ଦୁଇ ମହିଳା ଓ ଭଣଜାଙ୍କୁ ମାରଣାସ୍ତ୍ର ଦେଖାଇ ରୋଷେଇ ଘରେ ବନ୍ଦ କରିଦେଇଥିଲେ। ପରେ ଶୋଇବା ଘର ଆଲମାରୀ ଭାଙ୍ଗି କୋଟିଏରୁ ଅଧିକ ମୂଲ୍ୟର ସୁନା ଗହଣା ଏବଂ ନଗଦ ୨ ଲକ୍ଷ ଟଙ୍କା ଲୁଟି ନେଇ ସେଠାରୁ ଚମ୍ପଟ ମାରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ତେବେ ଘଟଣାସ୍ଥଳରେ ଦୁର୍ବୃତ୍ତମାନେ ଛାଡ଼ି ଯାଇଛନ୍ତି ଏକ ଲୁହାରଡ୍ ଏବଂ ହେଲମେଟ୍। ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଜିଲ୍ଲା ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଅନ୍ୟପଟେ, ଦୁର୍ବୃତ୍ତମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ପୂର୍ବରୁ ଦେଖିଥିବା ପରିବାରର ସଦସ୍ୟମାନେ ପୋଲିସକୁ ସୂଚନା ଦେଇଛନ୍ତି । ତେଣୁ ଏହି ଲୁଟ୍ ପଛରେ କୌଣସି ପୂର୍ବ ଯୋଜନା ରହିଥିବା ସନ୍ଦେହ କରାଯାଉଛି।










