ମୟୂରଭଞ୍ଜ: ଲଗାଣ ବର୍ଷାରେ ବେହାଲ ମୟୂରଭଞ୍ଜ। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ଏକାଧିକ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ପରିସ୍ଥିତି ଉଦ୍ବେଗଜନକ ହେବାରେ ଲାଗିଛି। ବାରିପଦା ଠାରେ ବୁଢ଼ାବଳଙ୍ଗ ନଦୀ କ୍ରମାଗତ ଭାବେ ଫୁଲୁଥିବା ବେଳେ, ଶିମିଳିପାଳରୁ ବାହାରିଥିବା ପଳପଳା ନଦୀରେ ବନ୍ୟା ଯୋଗୁଁ ବୁଢ଼ାବଳଙ୍ଗର ଜଳସ୍ତର ମଧ୍ୟ ବଢ଼ୁଛି। ଲଗାଣ ବର୍ଷାର ପ୍ରଭାବରେ ଉଦଳା-ବାରିପଦା ୧୯ ନମ୍ବର ରାଜ୍ୟ ରାଜପଥର ନାହ୍ଲୁଆ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।
ଫଳରେ ଉକ୍ତ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ବାଙ୍ଗିରିପୋଷି କାଳିଆମୀ ନିକଟରେ ବୁଢ଼ାବଳଙ୍ଗ ପୋଲ ଉପରେ ପ୍ରାୟ ଦେଢ଼ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ପଳପଳା ନଦୀ ଓ ବିଭିନ୍ନ ନାଳରେ ଜଳସ୍ତର ବଢ଼ିବାରୁ ଏକାଧିକ ପୋଲ ଉପରେ ବନ୍ୟାପାଣି ଚାଲୁଛି । ଏହା ଯୋଗୁଁ ବାଲିଡିହା-କୁଚିଳାଘାଟୀ ଏବଂ ଲୁଲୁଙ୍ଗ-ରଙ୍ଗାମାଟିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଲୁଲୁଙ୍ଗ ଓ ସୀତାକୁଣ୍ଡ ଅଞ୍ଚଳର ବିଭିନ୍ନ ରିସର୍ଟ ମଧ୍ୟ ବନ୍ୟାଜଳ ଘେରରେ ରହିଛି। ଉଦ୍ଧାର କାର୍ୟ୍ୟ ପାଇଁ ଓଡ୍ରାଫ୍ ଟିମ୍କୁ ପଠାଯାଇଛି ।










