ଭୁବନେଶ୍ୱର: ଆବାସିକ ଛାତ୍ରୀ ନିବାସରେ ନାବାଳିକା ଗର୍ଭବତୀ ହେବା ଘଟଣାକୁ ନେଇ ଚିନ୍ତା ବଢ଼ିଛି । ଗତ ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟରେ ମୋଟ ୧୫ ଜଣ ନାବାଳିକା ଆଦିବାସୀ ଛାତ୍ରୀ, ହଷ୍ଟେଲରେ ଗର୍ଭବତୀ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି ।ସେଥିମଧ୍ୟରୁ କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୫ ଜଣ ଏବଂ କୋରାପୁଟ ଜିଲ୍ଲାରେ ୪ ଜଣ ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡ଼ିଛି । ଏହାସହ ଅନ୍ୟ ଜିଲ୍ଲାରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି । ତେବେ ଏହି ସଂଖ୍ୟା ଗତ ଶିକ୍ଷାବର୍ଷ ତୁଳନାରେ ବଢ଼ିଛି । ୨୦୨୪-୨୫ ଶିକ୍ଷାବର୍ଷରେ ରାଜ୍ୟରେ ମୋଟ ୯ ଜଣ ଆଦିବାସୀ ନାବାଳିକା ହଷ୍ଟେଲରେ ଗର୍ଭବତୀ ହୋଇଥିଲେ । ଅର୍ଥାତ୍ ଗୋଟିଏ ବର୍ଷରେ ଏହି ସଂଖ୍ୟା ୯ରୁ ୧୫କୁ ବୃଦ୍ଧି ପାଇଛି । ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆବାସିକ ଛାତ୍ରୀ ନିବାସରେ ନାବାଳିକାଙ୍କ ସୁରକ୍ଷା ଓ ଏଭଳି ଘଟଣାର ରୋକଥାମକୁ ନେଇ ଏବେ ପ୍ରଶ୍ନ ଉଠିଛି ।










