ସମ୍ବଲପୁର: ସମ୍ବଲପୁର ସାଇବର ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଫେସବୁକରେ ଫେକ୍ ଆଇଡି ଖୋଲି ଉଚ୍ଚ ରିଟର୍ଣ୍ଣର ପ୍ରଲୋଭନ ଦେଖାଇ ୨୫ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ଝାରସୁଗୁଡ଼ା ଅଞ୍ଚଳର ତିନି ଭାଇ-ଭଉଣୀ ଝରଣା ବାଦୀ, ରାଜେଶ ବାଦୀ ଓ ରାଜକୁମାରୀ ବାଦୀ ବୋଲି ଜଣାପଡ଼ିଛି ।’ଦିଶା ଅଗ୍ରୱାଲ’ ନାମରେ ଏକ ନକଲି ଫେସବୁକ୍ ଆଇଡି ପ୍ରସ୍ତୁତ କରି ଅଭିଯୁକ୍ତ ମାନେ ଟଙ୍କା ଦୁଇଗୁଣ କରିଦେବାର ମିଥ୍ୟା ପ୍ରତିଶ୍ରୁତି ଦେଉଥିଲେ । ସମ୍ବଲପୁରର ଲିପକ କୁମାର ପ୍ରଧାନଙ୍କୁ ଏହି ଜାଲରେ ଫସାଇ ଉଚ୍ଚ ଆର୍ଥିକ ରିଟର୍ଣ୍ଣ ଆଶା ଦେଖାଇ ୨୫ ଲକ୍ଷ ଟଙ୍କା ଠକି ନେଇଥିଲେ । ଏନେଇ ଅଭିଯୋଗ ହେବା ପରେ ସମ୍ବଲପୁର ସାଇବର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ଠାରୁ ୧୫ ଲକ୍ଷ ୫୦ ହଜାର ଟଙ୍କା, ୧୨ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା, ୨୦ଟି ମୋବାଇଲ ଫୋନ୍, କେତେକ ନକଲି ଆଧାର କାର୍ଡ ଜବତ ହୋଇଛି ।କେବଳ ସମ୍ବଲପୁର ନୁହେଁ, ରାଉରକେଲାରେ ମଧ୍ୟ ଏହି ଗ୍ୟାଙ୍ଗ ଅନେକ ଲୋକଙ୍କୁ ଠକିଥିବା ସୂଚନା ମିଳିଛି । ସାଇବର ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ଏହି ଠକେଇ ରାକେଟ୍ରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ, ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ।









