ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନ (EV) କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନରେ ଉନ୍ନତି ହୋଇଥିଲେ ମଧ୍ୟ ଦେଶର ମୋବିଲିଟି ଇଣ୍ଡେକ୍ସରେ ରାଜ୍ୟ ଗୋଟିଏ ସ୍ଥାନ ତଳକୁ ଖସିଛି । ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ଇଣ୍ଡିଆ ଇଲେକ୍ଟ୍ରିକ୍ ମୋବିଲିଟି ଇଣ୍ଡେକ୍ସ (IEMI) ୨୦୨୫ ରିପୋର୍ଟ ଅନୁଯାୟୀ, ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିଛି । ୨୦୨୫ରେ ଓଡ଼ିଶା ୧୦୦ରୁ ୫୫ ପଏଣ୍ଟ ହାସଲ କରିଛି। ୨୦୨୪ରେ ରାଜ୍ୟର ସ୍କୋର ୪୯ ଥିବାରୁ ଏଥର ସ୍କୋରରେ ୬ ପଏଣ୍ଟ ବୃଦ୍ଧି ହୋଇଛି। ତେବେ ଅନ୍ୟ କିଛି ରାଜ୍ୟର ଉନ୍ନତି ଅଧିକ ହେବାରୁ ଓଡ଼ିଶାର ରାଙ୍କ ଗୋଟିଏ ସ୍ଥାନ କମିଛି। ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଛି ।
ଇଣ୍ଡେକ୍ସରେ ଦିଲ୍ଲୀ ୮୪ ପଏଣ୍ଟ ସହ ପ୍ରଥମ, ମହାରାଷ୍ଟ୍ର ୭୮, କର୍ଣ୍ଣାଟକ ୭୩ ଏବଂ ଚଣ୍ଡିଗଡ଼ ୭୧ ପଏଣ୍ଟ ସହ ଆଗରେ ରହିଛନ୍ତି । ମଧ୍ୟପ୍ରଦେଶ ୫୯ ପଏଣ୍ଟ ସହ ଓଡ଼ିଶାଠାରୁ ଆଗକୁ ଯାଇଛି । ରିପୋର୍ଟ ଅନୁଯାୟୀ, ଓଡ଼ିଶା ପରିବହନ ବିଦ୍ୟୁତୀକରଣରେ ୫୮, ଚାର୍ଜିଂ ଭିତ୍ତିଭୂମିରେ ୫୭ ଏବଂ EV ଗବେଷଣା ଓ ନବସୃଜନରେ ୪୫ ପଏଣ୍ଟ ପାଇଛି । ବ୍ୟକ୍ତିଗତ EV ପଞ୍ଜୀକରଣ ଓ ସରକାରୀ ପଦକ୍ଷେପରେ ରାଜ୍ୟ ୧୦୦ ପଏଣ୍ଟ ଲେଖାଏଁ ପାଇଥିବା ବେଳେ ଫ୍ୟୁଏଲ୍-ପ୍ରାଇସ୍ ପ୍ୟାରିଟିରେ ୯୦ ପଏଣ୍ଟ ରହିଛି ।ତେବେ ବାଣିଜ୍ୟିକ EV ପଞ୍ଜୀକରଣ ଓ କ୍ରୟ ପ୍ରୋତ୍ସାହନ କ୍ଷେତ୍ରରେ ରାଜ୍ୟର ସ୍କୋର କମ୍ ରହିଛି। EV କନଭର୍ସନ୍ କିଟ୍ ପାଇଁ ସବସିଡି, ଅଧିକ ଚାର୍ଜିଂ ସୁବିଧା, ସଂରକ୍ଷିତ ପାର୍କିଂ, କମ୍ ଉତ୍ସର୍ଜନ ଜୋନ୍ ଏବଂ EV କ୍ରୟ ପ୍ରୋତ୍ସାହନ ବଢ଼ାଇବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ଓଡ଼ିଶାକୁ ‘Front Runners’ ବର୍ଗରେ ସ୍ଥାନ ମିଳିଛି ।










