ବଲାଙ୍ଗୀର: ଗଣପର୍ବ ନୂଆଁଖାଇ ଅବସରରେ ମଙ୍ଗଳବାର ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସ୍ରେ ରାଜପରିବାରର ସଦସ୍ୟମାନେ ନୂଆଁଖାଇ ପାଳନ କରିଥିଲେ। ପ୍ୟାଲେସ୍ ପରିସରରେ ଥିବା ମନ୍ଦିରରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ରାଜପରିବାରର ସଦସ୍ୟମାନେ ଏକାଠି ବସି ନୂଆ ଖାଇଥିଲେ।ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ଓ ତାଙ୍କ ପତ୍ନୀ ମେଘନା ସିଂଦେଓ ଏକାଠି ବସି ନୂଆ ଖାଇଥିଲେ। ନୂଆଁଖାଇ ପରେ ପରସ୍ପର ମଧ୍ୟରେ ଜୁହାର ଭେଟ ହୋଇଥିଲା।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଗଣମାଧ୍ୟମ ଜରିଆରେ ବଲାଙ୍ଗୀରବାସୀଙ୍କ ସମେତ ସମସ୍ତ ଓଡ଼ିଶାବାସୀଙ୍କୁ ନୂଆଁଖାଇ ଜୁହାର ଜଣାଇଥିଲେ। ସେ ଚାଷୀବର୍ଗଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ।ବିଧାୟକ କଳିକେଶ ନାରାୟଣ ସିଂଦେଓ ନୂଆଁଖାଇ ଏକତାର ପର୍ବ ବୋଲି କହିବା ସହ ସମସ୍ତଙ୍କୁ ନୂଆଁଖାଇ ଜୁହାର ଜଣାଇଥିଲେ। ସେହିପରି ମେଘନା ସିଂଦେଓ ନୂଆଁଖାଇକୁ ଉତ୍ସାହ ଓ ଉଦ୍ଦୀପନାର ପର୍ବ ବୋଲି ଅଭିହିତ କରି ସମସ୍ତଙ୍କୁ ନୂଆଁଖାଇ ଜୁହାର ଜଣାଇଥିଲେ।










