ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗତ 8 ସେପ୍ଟେମ୍ୱର 2026ରୁ ଆରମ୍ଭ ହୋଇଥିବା ୟୁଏଇ ଓ ଦୁବାଇ ଗସ୍ତରୁ ପ୍ରାୟ 2.43 ଲକ୍ଷ କୋଟି ଟଙ୍କାର ନିବେଶ ସହ ଏଥିରୁ 6.18 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା କଥା ରାଜ୍ୟ ସରକାର କହୁଛନ୍ତି। ତେବେ ରାଜ୍ୟରେ ଏହି ପୁଂଜି ନିବେଶ ଓ ଏଥିରୁ ଲକ୍ଷଲକ୍ଷ ନିଯୁକ୍ତି ସୃଷ୍ଟି ହେବାକୁ ନେଇ ଯାହା କୁହାଯାଊଛି, ଏଥିରେ ଆଦୌ ସତ୍ୟତା ନାହିଁ ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ସନ୍ଦେହ ପ୍ରକାଶ ପାଇଛି।
ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ସରକାରୀ ଭାବେ ମୋହନ ମାଝୀଙ୍କ ଦ୍ୱିତୀୟ ଆନ୍ତର୍ଜାତିକ ପୁଞ୍ଜିନିବେଶ ନେଇ ଯାହା ଫାଇଦା ମିଳିବ ବୋଲି କୁହାଯାଊଛି ଓ ଏଥିରୁ ପ୍ରକୃତରେ ରାଜ୍ୟକୁ କେତେ ଫାଇଦା ମିଳିବ, ଏଥିରେ କୌଣସି ସତ୍ୟତା ନାହିଁ।
ଶ୍ରୀ ଦାସ୍ କହିଛନ୍ତି ଯେ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କର 2024 ମସିହାରେ ୟୁଏଇ ଓ ସିଙ୍ଗାପୁର ଗସ୍ତବେଳେ ପୁଞ୍ଜିନିବେଶ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ବଡବଡ ଘୋଷଣା କରାଯାଇଥିଲା। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତକୁ ପ୍ରାୟ ଦୁଇ ବର୍ଷ ହୋଇଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଉକ୍ତ ଗସ୍ତରୁ ଓଡିଶାକୁ କି ଫାଇଦା ମିଳିଛି ତାହା ଲୋକେ ବୁଝି ଗଲେଣି।ମୁଖ୍ୟମନ୍ତ୍ରୀଙ୍କର ପୂର୍ବ ଗସ୍ତଗୁଡିକରେ ରାଜ୍ୟକୁ କୌଣସି ଲାଭ ମିଳିନଥିବା ବେଳେ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କର ଏହି ଦ୍ୱିତୀୟ ବିଦେଶ ଗସ୍ତରୁ ଓଡିଶାବାସୀ କ’ଣ ଆଶା କରିବେ କରିବେ ବୋଲି ଶ୍ରୀ ଦାସ ଏକ ପ୍ରେସ ବିବୃତିରେ ପ୍ରଶ୍ନ କରିଛନ୍ତି।
ଶ୍ରୀ ଦାସ କହିଛନ୍ତି ଯେ, ବିଜେପି ସରକାରଙ୍କ ଦୁଇ ବର୍ଷର ଶାସନରେ ସରକାରଙ୍କର ଘୋଷଣା ଓ ଏଥିରେ କେତେ ବାସ୍ତବତା ରହିଛି,ଏହାକୁ ବୁଝିବାକୁ କାହାକୁ ଆଊ ଅଛପା ନାହିଁ।
କଂଗ୍ରେସ ସଭାପତି କହିଛନ୍ତି ଯେ, ସରକାରୀ ଭାବେ ଉତ୍କର୍ଷ ଓଡ଼ିଶା ବ୍ୟାନରରେ ମେକ-ଇନ-କନକ୍ଲେଭ-2025ରେ ପ୍ରାୟ 16.73 ଲକ୍ଷ କୋଟି ଟଙ୍କାର ନିବେଶ ସହ 593ଟି ପ୍ରକଳ୍ପ ପ୍ରତିଷ୍ଠା ହେବାକୁ ସେତେବେଳେ ଘୋଷଣା କରାଯାଇଥିଲା। ତେବେ ଏଥି ମଧ୍ୟରୁ ମାତ୍ର 261ଟି ପ୍ରକଳ୍ପର ଅନୁମୋଦନ ହୋଇଥିବା ବେଳେ 103ଟି ପ୍ରକଳ୍ପର ଭୂମି ପୂଜନ କିମ୍ବା ଶିଳାନ୍ୟାସ ହୋଇଥିବା କୁହାଯାଉଛି। ପ୍ରକୃତରେ ବାସ୍ତବତା ହେଉଛି, ଗତ 2 ବର୍ଷରେ ମାତ୍ର 2ରୁ 3 ଲକ୍ଷ କୋଟି ଟଙ୍କା ବ୍ୟୟରେ ମାତ୍ର 30ଟିରୁ 50 ପ୍ରକଳ୍ପରେ କାମ ଆରମ୍ଭ ହୋଇଛି। ଉପରୋକ୍ତ ପ୍ରକଳ୍ପଗୁଡିକରୁ 12.90 ଲକ୍ଷ ଚାକିରି ସୃଷ୍ଟି କରିବା ପାଇଁ କୁହାଯାଇଥିଲା । ମାତ୍ର ଆଜି ସୁଦ୍ଧା ମାତ୍ର 30 ହଜାରରୁ 32 ହଜାର ଭିତରେ ନିଯୁକ୍ତି ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।
ଅପରପକ୍ଷରେ ବିଜେପି ରାଜ୍ୟରେ କ୍ଷମତାସୀନ ହେବା ପରଠାରୁ ରାଜ୍ୟରୁ ବହୁ ବଡ ବଡ କମ୍ପାନୀ ରାଜ୍ୟ ଛାଡ଼ି ଚାଲିଯାଇଛନ୍ତି। JSW କମ୍ପାନୀ ଓଡିଶାରେ 40ହଜାର କୋଟି ଟଙ୍କା ବ୍ୟୟରେ ଏକ ଇଭି କାରଖାନା କରିବ ବୋଲି ଯେଉଁ ଘୋଷଣା କରିଥିଲା, ଓଡିଶାର ଏହାର ପ୍ରକଳ୍ପକୁ ଅନ୍ୟତ୍ର ସ୍ଥାନାନ୍ତର କରି ନେଇଛି।ସେହିଭଳି ଏକ ଲକ୍ଷ କୋଟି ଟଙ୍କା ନିବେଶରେ କେନ୍ଦ୍ରାପଡ଼ାରେ ସ୍ଥାପିତ ହେବାକୁ ଥିବା ଆର୍ସେଲର ମିତ୍ତଲର ଇସ୍ପାତ କାରଖାନା କେବଳ କାଗଜ କଲମରେ ସୀମୀତ ହୋଇ ରହିଯାଇଛି ଏବଂ ଏହି ପ୍ରକଳ୍ପ ବିଶାଖାପାଟଣାକୁ ସ୍ଥାନାନ୍ତରିତ ହୋଇଥିବା କୁହାଯାଊଛି। ଏହିଭଳି ଆହୁରି ଅନେକ ସୋଲାର ଏବଂ ଅନ୍ୟାନ୍ୟ କମ୍ପାନୀ ସେମାନଙ୍କର ପ୍ରସ୍ତାବକୁ ପ୍ରତ୍ୟାହାର କରି ନେଇଛନ୍ତି।
ରାଜ୍ୟ ସରକାରଙ୍କର ଘୋଷଣା ଓ ଏହାର କାର୍ଯ୍ୟକାରିତା ମଧ୍ୟରେ ବହୁ ଅନ୍ତର ରହିଛି। ତେଣୁ ସରକାର ତୁରନ୍ତ ଓଡିଶାବାସୀଙ୍କୁ ପୁଂଜି ନିବେଶ ସହ ଚାକିରୀ ଦେବା ନାରେ ପ୍ରତାରଣା ନ କରି ବର୍ତ୍ତମାନ ଯାଏ ପ୍ରକୃତରେ ରାଜ୍ୟରେ କେତେଟି କମ୍ବାନୀ କେତେ ଟଙ୍କାର ପୁଂଜି ନିବେଶ କରିଛନ୍ତି ଓ ପ୍ରକଳ୍ପଗୁଡିକରୁ କେତେ ନିଯୁକ୍ତି ଦିଆଯାଇଛି ଲୋକଙ୍କ ସାମନାରେ ଏହାର ତଥ୍ୟ ରଖନ୍ତୁ ବୋଲି ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦାବି ରଖିଛନ୍ତି।
ଆଗାମୀ ବିଧାନ ସଭା ଅଧିବେଶନ ବେଳେ ରାଜ୍ୟ ସରକାର ଜୁନ୍ 2024ରେ ଏମଓୟୁ ସ୍ୱାକ୍ଷରିତ କରିବା ପରଠାରୁ ଏ ପର୍ଯ୍ୟନ୍ତ କେତେ ନିଯୁକ୍ତି ସୃଷ୍ଟି କରାଯାଇଛି ବୋଲି ରାଜ୍ୟ ସରକାର ମତ ରଖନ୍ତୁ ବୋଲି ଶ୍ରୀ ଦାସ ଦାବି କରିଛନ୍ତି।










