ଭୁବନେଶ୍ୱର: ଭୁବନେଶ୍ୱର ଆର୍ଆଣ୍ଡ୍ବି ଡିଭିଜନ୍-୧ରେ ଆର୍ଥିକ ଅନିୟମିତତା ତଥା ସରକାରୀ ଅର୍ଥର ଅପବ୍ୟବହାର ନେଇ ଆସିଥିବା ଅଭିଯୋଗକୁ ରାଜ୍ୟ ସରକାର ଗୁରୁତର ସହ ଗ୍ରହଣ କରିଛନ୍ତି I ଏହି କ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ନିର୍ମାଣ ବିଭାଗକୁ ନିର୍ଦେଶ ଦେଇଛନ୍ତି। ଅଭିଯୋଗର ଗୁରୁତ୍ୱ ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ନିର୍ମାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସବୁ ଦିଗକୁ ଆଧାର କରି ତଦନ୍ତ କରାଇବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ରିପୋର୍ଟରେ ଅଭିଯୋଗର ସବିଶେଷ ତଥ୍ୟ ସହ ଦୋଷୀ କର୍ମଚାରୀ ଓ ଅଧିକାରୀଙ୍କ ଦାୟିତ୍ୱ ନିର୍ଦ୍ଧାରଣ ଏବଂ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ପଦକ୍ଷେପ ସମ୍ପର୍କରେ ସୁପାରିଶ ଦେବାକୁ ନିର୍ଦେଶ ରହିଛି। ଏଥିସହ ନିର୍ମାଣ ବିଭାଗର ସମସ୍ତ ଡିଭିଜନ୍ର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଅଡିଟ୍ ହୋଇନଥିବା ହିସାବ ଯାଞ୍ଚ କରି ସମ୍ପୃକ୍ତ CCEଙ୍କ ଦ୍ୱାରା ପ୍ରତିସ୍ୱାକ୍ଷରିତ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ଏହି ମାମଲାକୁ ଅତ୍ୟନ୍ତ ଜରୁରୀ ଭାବେ ଗ୍ରହଣ କରିବା ସହିତ ତଦନ୍ତ ରିପୋର୍ଟ ଶୀଘ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି I ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ସବୁବେଳେ ଶୂନ୍ୟ ସହନଶୀଳତା ନୀତିକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି I ଏହି ଅଭିଯୋଗ ଆସିବା ପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ତତ୍କାଳ ତଦନ୍ତ ନିର୍ଦେଶ ଦେଇଥିବା ବେଳେ ନିର୍ମାଣ ବିଭାଗ ପକ୍ଷରୁ ଏଥି ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି I ଏହି କ୍ରମରେ ନିର୍ମାଣ ବିଭାଗ ପକ୍ଷରୁ ଆଜି ଅପରାହ୍ନରେ ଭୁବନେଶ୍ୱର ଆର୍ଆଣ୍ଡ୍ବି ଡିଭିଜନ୍-୧ରେ କାର୍ଯ୍ୟରତ ଅଧିକ୍ଷଣ ଯନ୍ତ୍ରୀଙ୍କୁ ସେହି ସ୍ଥାନରୁ ଅପସାରଣ କରାଯିବା ନେଇ ନିର୍ଦ୍ଦେଶନାମା ଜାରି ହେବା ସହ ଅନ୍ୟ ଜଣେ ଅଧିକ୍ଷଣ ଯନ୍ତ୍ରୀଙ୍କ ତାଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି I










