ଭୁବନେଶ୍ୱର: ଆଉ ମାତ୍ର ଦୁଇ ଦିନର ଅପେକ୍ଷା। ଶେଷ ହେବ ଗୋଟିଏ ବର୍ଷର ଅପେକ୍ଷା। ଧରାବତରଣ କରିବେ ପ୍ରଭୁ ଗଜାନନ। ଗଣେଶ ପୂଜାକୁ ନେଇ ଏବେଠାରୁ ଉତ୍ସବମୁଖର ହୋଇଉଠିଲାଣି କଟକ ସହର। ସହରର ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।ଚଳିତବର୍ଷ କଟକରେ ଗଣେଶ ପୂଜାର ମୁଖ୍ୟ ଆକର୍ଷଣ ପାଲଟିବ ତିନିଘରିଆର ୬୨ ଫୁଟ୍ ଉଚ୍ଚର ବିଶାଳ ଗଣେଶ ମୂର୍ତ୍ତି। ପ୍ରତିବର୍ଷ ଭଳି ଏଥର ମଧ୍ୟ ବିଶାଳକାୟ ମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚାରେ ରହିଛି ତିନିଘରିଆ ପୂଜା କମିଟି।କେବଳ ବିଶାଳ ମୂର୍ତ୍ତି ନୁହେଁ, ମଣ୍ଡପରେ ଆକର୍ଷଣୀୟ ସାଜସଜ୍ଜା ଓ ଭବ୍ୟ ତୋରଣ ନିର୍ମାଣରେ ମଧ୍ୟ ଲାଗିପଡ଼ିଛନ୍ତି ଆୟୋଜକ। ଭକ୍ତଙ୍କୁ ଆକୃଷ୍ଟ କରିବା ପାଇଁ ପୂଜା ମଣ୍ଡପଗୁଡ଼ିକରେ ଚାଲିଛି ଜୋରଦାର ପ୍ରସ୍ତୁତି। ସୂଚନା ଅନୁସାରେ, ଚଳିତବର୍ଷ କଟକ ସହରରେ ପ୍ରାୟ ୧୫ ଶହରୁ ଅଧିକ ପୂଜା ମଣ୍ଡପରେ ପ୍ରଭୁ ଗଣେଶ ପୂଜା ପାଇବେ। ଗଣେଶ ପୂଜାକୁ ଆଉ ମାତ୍ର ଦୁଇ ଦିନ ବାକି ଥିବାରୁ ସହରର ବିଭିନ୍ନ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନା ବଢ଼ିବାରେ ଲାଗିଛି। ଏବେ ସମସ୍ତଙ୍କ ଅପେକ୍ଷା ପ୍ରଭୁ ଗଜାନନଙ୍କ ଆଗମନକୁ।










