ଅନୁଗୋଳ: ଅନୁଗୋଳ ପିତାବଳୀ ଛକ ନିକଟରେ ଘଟିଛି ଦୁଇଟି ପୃଥକ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅନ୍ୟ ଜଣେ ଚାଳକ । ମିଳିଥିବା ସୂଚନା ଅନୁସାରେ, ପିତାବଳୀ ଛକ ନିକଟରେ ପ୍ରଥମେ ଏକ କୋଇଲା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ଟ୍ରକ୍ ଚାଳକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।ସେହିପରି, ଟ୍ରକ୍ ଓଲଟିଥିବା ସ୍ଥାନଠାରୁ କିଛି ଦୂରରେ ଆଉ ଏକ ହାଇୱା ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ତେବେ ହାଇୱା ଚାଳକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଏକାଧିକ ଭାରୀଯାନ ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ନିଶା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ଛାନଭିନ୍ ଆରମ୍ଭ କରିଛି ।










