30.1 C
Bhubaneswar
Wednesday, September 9, 2026
Homeଓଡିଶାଆୟୁର୍ବେଦ ଭବିଷ୍ୟତର ସ୍ୱାସ୍ଥ୍ୟସେବାକୁ ନୂଆ ଦିଗ ଦେଇପାରିବ: ରାଜ୍ୟପାଳ

ଆୟୁର୍ବେଦ ଭବିଷ୍ୟତର ସ୍ୱାସ୍ଥ୍ୟସେବାକୁ ନୂଆ ଦିଗ ଦେଇପାରିବ: ରାଜ୍ୟପାଳ

ଭୁବନେଶ୍ୱର: ଆୟୁର୍ବେଦ ଭବିଷ୍ୟତର ସ୍ୱାସ୍ଥ୍ୟ ସେବାକୁ ନୁଆ ଦିଗ ଦେଇ ପାରିବ ବୋଲି ଓଡିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି l ମଙ୍ଗଳବାର ଦିନ ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି l ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଭାରତର ପ୍ରାଚୀନ ଜ୍ଞାନ ପରମ୍ପରା ଓ ଭବିଷ୍ୟତର ସ୍ୱାସ୍ଥ୍ୟସେବାର ଆବଶ୍ୟକତା ମଧ୍ୟରେ ଆୟୁର୍ବେଦ ଏକ ଶକ୍ତିଶାଳୀ ସେତୁ ଭାବେ କାର୍ଯ୍ୟ କରିପାରିବ।ଭାରତ ସମେତ ବିଶ୍ୱସ୍ତରରେ ଆୟୁର୍ବେଦ ପାଇଁ ସୁଯୋଗ ବଢ଼ୁଥିବା ବେଳେ ଏହାର ବ୍ୟାପକ ସ୍ୱୀକୃତି ଓ ବିଶ୍ୱସ୍ତରୀୟ ପରିଚୟ ପାଇଁ ବୈଜ୍ଞାନିକ ଗବେଷଣା, ପ୍ରମାଣଭିତ୍ତିକ ଅଧ୍ୟୟନ, ଗୁଣାତ୍ମକ ମାନଦଣ୍ଡ ଓ ଦାୟିତ୍ୱପୂର୍ଣ୍ଣ ଚିକିତ୍ସା ପଦ୍ଧତି ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି। ଭାରତର ପାରମ୍ପରିକ ଜ୍ଞାନ ପଦ୍ଧତିଗୁଡ଼ିକୁ ନେଇ ବଢ଼ୁଥିବା ଆଗ୍ରହ ଆୟୁର୍ବେଦର ନୂଆ ପିଢ଼ିର ବୃତ୍ତିଧାରୀମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି। ଏହି ସମୃଦ୍ଧ ପରମ୍ପରାକୁ ଗବେଷଣା, ନବସୃଜନ, ପ୍ରଯୁକ୍ତି ଓ ଆଧୁନିକ ସ୍ୱାସ୍ଥ୍ୟସେବା ପଦ୍ଧତି ସହ ଆଗକୁ ନେବାର ଦାୟିତ୍ୱ ମଧ୍ୟ ସେମାନଙ୍କ ଉପରେ ରହିଛି।

ଏହି ସେତୁକୁ ଆହୁରି ଅଧିକ ମଜବୁତ କରିବାର ଦାୟିତ୍ୱ ସ୍ନାତକମାନଙ୍କର ବୋଲି ରାଜ୍ୟପାଳ କହିଥିଲେ। ଆୟୁର୍ବେଦର ବ୍ୟାପକ ସ୍ୱୀକୃତି ଓ ବିଶ୍ୱସ୍ତରୀୟ ପରିଚୟ ପାଇଁ ବୈଜ୍ଞାନିକ ଗବେଷଣା, ପ୍ରମାଣ, ଗୁଣାତ୍ମକ ମାନଦଣ୍ଡ ଏବଂ ଦାୟିତ୍ୱପୂର୍ଣ୍ଣ ଚିକିତ୍ସା ପ୍ରଚଳନକୁ ଗୁରୁତ୍ୱ ଦେବାକୁ ରାଜ୍ଯପାଳ ଆହ୍ୱାନ ଦେଇଥିଲେ। ଆୟୁର୍ବେଦ ସ୍ନାତକମାନଙ୍କ ପାଇଁ ପାରମ୍ପରିକ ଚିକିତ୍ସା କ୍ଷେତ୍ର ବାହାରେ ମଧ୍ୟ ବ୍ୟାପକ ସୁଯୋଗ ରହିଛି ବୋଲି ରାଜ୍ଯପାଳ କହିଥିଲେ। ଗବେଷଣା, ଶିକ୍ଷା, ଜନସ୍ୱାସ୍ଥ୍ୟ, ଉଦ୍ୟମିତା, ଡିଜିଟାଲ ସ୍ୱାସ୍ଥ୍ୟସେବା, ଉତ୍ପାଦନ, ମେଡିକାଲ ଭାଲ୍ୟୁ ଟୁରିଜମ୍ ଓ ୱେଲନେସ୍ ସେବା ଭଳି କ୍ଷେତ୍ରରେ ସେମାନେ କ୍ୟାରିୟର ଗଢ଼ିପାରିବେ। କେବଳ ଚାକିରି ଖୋଜିବା ପରିବର୍ତ୍ତେ ଚାକିରି ସୃଷ୍ଟିକର୍ତ୍ତା ହେବାକୁ ରାଜ୍ଯପାଳ ସ୍ନାତକମାନଙ୍କୁ ପରାମର୍ଶ ଦେଇଥିଲେ। ପାରମ୍ପରିକ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିକୁ ଯୋଡ଼ି ନୀତି ଆଧାରିତ ଓ ବିଶ୍ୱସନୀୟ ଉଦ୍ୟୋଗ ଗଢ଼ିବାକୁ ସେ ଆହ୍ୱାନ ଦେଇଥିଲେ। ଭାରତୀୟ ଚିକିତ୍ସା ପଦ୍ଧତିକୁ ସୁଦୃଢ଼ କରିବା ଦିଗରେ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ସୁଦୃଢ଼ ଅନୁଷ୍ଠାନ, ଗବେଷଣା, ଆୟୁଷ ସେବାର ବ୍ୟାପକ ସମନ୍ୱୟ ଏବଂ ୱେଲନେସ୍‌ର ପ୍ରଚାର ମାଧ୍ୟମରେ ଭାରତୀୟ ଚିକିତ୍ସା ପଦ୍ଧତିକୁ ଆହୁରି ଆଗକୁ ନେବାର ଉଦ୍ୟମ ହେଉଛି ବୋଲି କହିଥିଲେ।

ଲୋକଭବନର ୱେଲନେସ୍ ସେଣ୍ଟର ସମ୍ପର୍କରେ ରାଜ୍ୟପାଳ କହିଥିଲେ ଯେ, ସେ ନିକଟରେ ଏହି କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ସେଠାରେ ମୂଲ୍ୟବାନ ଔଷଧୀୟ ଉଦ୍ଭିଦଗୁଡ଼ିକ ସଂରକ୍ଷିତ ହୋଇଥିବା ଦେଖି ଖୁସି ହୋଇଥିଲେ। ଔଷଧୀୟ ଉଦ୍ଭିଦର ଚିକିତ୍ସାତ୍ମକ ଗୁଣ ଓ ଭାରତର ପାରମ୍ପରିକ ଜ୍ଞାନ ପଦ୍ଧତି ସମ୍ପର୍କରେ ଜନସଚେତନତା ବୃଦ୍ଧି ଉପରେ ରାଜ୍ୟପାଳ ଗୁରୁତ୍ୱ ଦେଇଥିଲେ। ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ପ୍ରସଙ୍ଗ ଉଲ୍ଲେଖ କରି ରାଜ୍ଯପାଳ କହିଥିଲେ ଯେ, ଏହା ଭାରତର ଜ୍ଞାନ ପରମ୍ପରାକୁ ବହୁବିଷୟକ ଶିକ୍ଷା, ଗବେଷଣା ଓ ନବସୃଜନ ସହ ଯୋଡ଼ିବାର ଏକ ସୁଯୋଗ ସୃଷ୍ଟି କରିଛି। ପରମ୍ପରାରୁ ମିଳିଥିବା ଜ୍ଞାନକୁ ସୁରକ୍ଷିତ ରଖିବା ସହ ତାହା ଉପରେ ଗବେଷଣା କରିବା ଓ ନୂଆ ଚିନ୍ତାଧାରା ଆଣିବା ମାଧ୍ୟମରେ ଆୟୁର୍ବେଦକୁ ନୂଆ କ୍ଷେତ୍ରକୁ ନେବା ପାଇଁ ରାଜ୍ଯପାଳ ସ୍ନାତକମାନଙ୍କୁ ଆହ୍ୱାନ ଦେଇଥିଲେ। ଚିକିତ୍ସା କ୍ଷେତ୍ରରେ ନୈତିକତାର ଗୁରୁତ୍ୱ ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, ଜ୍ଞାନ ଚିକିତ୍ସକଙ୍କୁ ସେବା କରିବାର ଶକ୍ତି ଦିଏ, କିନ୍ତୁ ନୈତିକତା ସେହି ଶକ୍ତିକୁ ସଠିକ୍ ଦିଗ ଦେଇଥାଏ। ରୋଗୀଙ୍କ ଆସ୍ଥାକୁ ସମ୍ମାନ ଜଣାଇ ସଚ୍ଚୋଟତା, ସହାନୁଭୂତି, ନମ୍ରତା ଓ ମାନବିକତାର ସହ ଦାୟିତ୍ୱ ତୁଲାଇବାକୁ ରାଜ୍ଯପାଳ ନବସ୍ନାତକମାନଙ୍କୁ ପରାମର୍ଶ ଦେଇଥିଲେ।

ଅନୁଷ୍ଠାନର ନାମକରଣର ଆଧାର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରାଜ୍ୟପାଳ ସମସ୍ତ ସ୍ନାତକ, ସେମାନଙ୍କ ପରିବାର, ଅଧ୍ୟାପକ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଆଗାମୀ ଦିନରେ ଆୟୁର୍ବେଦ ଶିକ୍ଷା, ଗବେଷଣା ଓ ଚିକିତ୍ସା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ଭାବେ ଆହୁରି ବିକଶିତ ହେବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଥିଲେ। ଏହି ଅବସରରେ ରାଜ୍ୟପାଳ ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ସ୍ନାତକ ପ୍ରମାଣପତ୍ର ପ୍ରଦାନ କରିଥିଲେ। ସମାରୋହରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ମାନ୍ୟବର ପୁରୀ ସାଂସଦ ଶ୍ରୀ ସମ୍ବିତ ପାତ୍ର, ଆୟୁଷ ନିର୍ଦ୍ଦେଶକ ଶ୍ରୀମତୀ ଅଞ୍ଜନା ପଣ୍ଡା ଏବଂ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ପୁରୀର ୟୁନିୟନ ଆଡଭାଇଜର ଶ୍ରୀ ରଞ୍ଜନ କୁମାର କସ୍ତା ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ବିପିନ ବିହାରୀ ଖୁଣ୍ଟିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking