34.1 C
Bhubaneswar
Monday, September 7, 2026
Homeଦେଶ ବିଦେଶନେପାଳର ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୩୫୫କୁ ବୃଦ୍ଧି, ୫ ହଜାର ଏବେ ବି ନିଖୋଜ

ନେପାଳର ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୩୫୫କୁ ବୃଦ୍ଧି, ୫ ହଜାର ଏବେ ବି ନିଖୋଜ

କାଠମାଣ୍ଡୁ : ନେପାଳର ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୩୫୫କୁ ବୃଦ୍ଧି ପାଇଛି । ପ୍ରାୟ ୫ ହଜାର ଏବେ ବି ନିଖୋଜ ଅଛନ୍ତି । ସେପଟେ ୧୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ନେପାଳ ସରକାରଙ୍କ ସୂଚନା ମୁତାବକ, ବିଭିନ୍ନ ସ୍ଥାନରୁ ଅଚିହ୍ନା ମୃତଦେହ ଓ ଶରୀରର ଅବଶେଷ ସମେତ ମୋଟ ୧,୩୫୫ଟି ମୃତଦେହ ଉଦ୍ଧାର କରାଯାଇଛି । ଯେଉଁଥିରୁ ୯୮ଟି ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ​ବନ୍ୟା ପ୍ରକୋପରେ ପ୍ରାୟ ୪,୯୯୬ ଜଣ ନିଖୋଜ ଥିବା ସୂଚନା ମିଳିଛି । ସେଥିବାରୁ ​ବିଦେଶୀ ନାଗରିକ ସଂଖ୍ୟା ରହିଛି ୫୮୯ । ଏହାସହ ପ୍ରାୟ ୧୦୦ ଜଣ ​ସୁରକ୍ଷା କର୍ମୀ ଓ ସରକାରୀ ଅଧିକାରୀ ନିଖୋଜ ଅଛନ୍ତି । ବିଭିନ୍ନ ଅଞ୍ଚଳରେ ଆହତ ହୋଇଥିବା ୬,୬୭୨ ଜଣ ଲୋକଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି । ​ବନ୍ୟା ପ୍ରଭାବିତ ଅଞ୍ଚଳରେ ଜୀବନ ରକ୍ଷା ପାଇଁ ବଡ଼ ଧରଣର ଅପରେସନ ଜାରି ରହିଛି । ଖବର ମୁତାବକ, ରାସୁୱାରେ ତାଣ୍ଡବ ରଚିସାରିଥିଲା ପ୍ରଳୟ । ମାତ୍ର କିଛି ମିନିଟରେ ପାହାଡ଼ ଉପରୁ ମାଡ଼ିଆସିଲା ବରଫ, ପଥର, କାଦୁଅ ଓ ପାଣିର ବିଶାଳ ସ୍ରୋତ । ଗତ ୨୬ ତାରିଖରେ ସକାଳ ୮ଟା ୩୭ ମିନିଟରେ ନେପାଳ-ତିବ୍ବତ ସୀମା ନିକଟ ଲେହନ୍ଦେ ଉପତ୍ୟକାରେ ବିଶାଳ ବରଫ ଓ ପଥର ଧସିଥିଲା ।

ଏହାପରେ ଲ୍ହେନ୍ଦେ-ଭୋଟେକୋଶୀ-ତ୍ରିଶୂଳୀ ନଦୀପଥରେ ଅତି ଦ୍ରୁତ ଗତିରେ ମାଡ଼ିଆସିଥିଲା ପାଣି, କାଦୁଅ, ବରଫ ଓ ବିଶାଳ ପଥରର ସ୍ରୋତ । ମାତ୍ର ୧୦ ମିନିଟରେ ରାସୁୱାଗଢ଼ିରୁ ସ୍ୟାବ୍ରୁବେସୀରେ ପହଞ୍ଚିଥିଲା ବନ୍ୟା । ଜିଲ୍ଲା ପ୍ରଶାସନ ପ୍ରାୟ ସକାଳ ୯ଟାରେ ଜଳବିଜ୍ଞାନ ବିଭାଗ ଏବଂ ଜାତୀୟ ବିପର୍ଯ୍ୟୟ ସଂସ୍ଥାକୁ ଖବର ଦେଇଥିଲା । ଏହାପରେ ୯ଟା ୧୫ ମିନିଟ୍ ରେ SMS, କଲର୍-ଟ୍ୟୁନ୍ ଆଲର୍ଟ, ଗଣମାଧ୍ୟମ ଓ ପୋଲିସ ମାଇକ୍ ଯୋଗେ ଲୋକଙ୍କୁ ନଦୀକୂଳ ଛାଡ଼ି ଉଚ୍ଚ ସ୍ଥାନକୁ ଯିବାକୁ କୁହାଯାଇଥିଲା । ଅର୍ଥାତ୍ ବରଫ-ପଥର ଧସିବାର ୩୮ ମିନିଟ୍ ପରେ ସରକାରୀ ସତର୍କ ସୂଚନା ପହଞ୍ଚିଥିଲା । ସେତେବେଳକୁ ଉପରମୁଣ୍ଡର ଅନେକ ଅଞ୍ଚଳରେ ପ୍ରଳୟ ଘଟିସାରିଥିଲା । ପ୍ରଥମ ବନ୍ୟା ସ୍ରୋତରେ ଟେଲିକମ୍ ଟାୱାର ଓ ବିଭିନ୍ନ ସେନ୍ସର ନଷ୍ଟ ହୋଇଯିବାରୁ ସୂଚନା ପହଞ୍ଚାଇବା ଆହୁରି କଷ୍ଟକର ହୋଇଥିଲା । ବନ୍ୟାର ପ୍ରଚଣ୍ଡତା ଏତେ ଅଧିକ ଥିଲା ଯେ କେତେକ ସ୍ଥାନରେ ମାତ୍ର ଅଧଘଣ୍ଟା ମଧ୍ୟରେ ତ୍ରିଶୂଳୀ ନଦୀର ଜଳସ୍ତର ପ୍ରାୟ ୯ ମିଟର ବଢ଼ିଯାଇଥିଲା । ଜଳବିଦ୍ୟୁତ ପ୍ରକଳ୍ପ, ସେତୁ, ରାସୁୱାଗଢ଼ି କଷ୍ଟମ୍ସ କମ୍ପ୍ଲେକ୍ସ ଏବଂ ନଦୀକୂଳର ଅନେକ ଜନବସତି ଧ୍ୱଂସ ହୋଇଯାଇଥିଲା । କାଦୁଅ ଓ ଧ୍ୱଂସାବଶେଷ ନୁୱାକୋଟ, ଧାଦିଙ୍ଗ ଓ ଚିତୱାନ ପର୍ଯ୍ୟନ୍ତ ତଳମୁଣ୍ଡକୁ ଭାସିଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking