31.1 C
Bhubaneswar
Saturday, September 5, 2026
Homeଦେଶ ବିଦେଶ‘ନ୍ୟାୟିକ ଅଧିକାରୀଙ୍କ ଅବସର ୬୨କୁ ବଢ଼ାଅ’

‘ନ୍ୟାୟିକ ଅଧିକାରୀଙ୍କ ଅବସର ୬୨କୁ ବଢ଼ାଅ’

ନୂଆଦିଲ୍ଲୀ : ଅଭିଜ୍ଞ ନ୍ୟାୟିକ ପ୍ରତିଭାଙ୍କୁ ଅବହେଳା ବନ୍ଦ କରିବା ଓ ସମସ୍ତଙ୍କ ପାଖରେ ନ୍ୟାୟ ପହଞ୍ଚାଇବା ପାଇଁ ସୁପ୍ରିମକୋର୍ଟ ୭ ରାଜ୍ୟକୁ ବଡ଼ ନିର୍ଦେଶ ଦେଇଛନ୍ତି। ନ୍ୟାୟିକ ଅଧିକାରୀଙ୍କ ଅବସର ବୟସ ୬୦ରୁ ବଢ଼ାଇ ୬୨ କରିବାକୁ କହିଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି ମୋହନଙ୍କ ପୀଠ ଏହି ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ମାର୍ଚ୍ଚ ୩୧ରେ ଅବସରଗ୍ରହଣ କରିଥିବା ଛତିଶଗଡ଼, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତାମିଲନାଡୁ, ସିକିମ ଓ ପଶ୍ଚିମବଙ୍ଗର ନ୍ୟାୟିକ ଅଧିକାରୀଙ୍କୁ ସେବାରେ ଯୋଗ ଦେବା ପାଇଁ ଆଉ ଏକ ସୁଯୋଗ ଦିଆଯାଉ। ତେବେ ଯେଉଁ ଅଧିକାରୀମାନେ ଆଉ କୌଣସି ଚାକିରି କରି ନ ଥିବେ ସେମାନଙ୍କୁ ବିଚାରକୁ ନିଆଯାଉ। ଏଥିପାଇଁ ଚାକିରି ନିୟମରେ ତୁରନ୍ତ ସଂଶୋଧନ କରିବାକୁ ରାଜ୍ୟଗୁଡ଼ିକୁ କହିଛନ୍ତି ଓ ଦୁଇ ମାସ ସମୟ ଦେଇଛନ୍ତି। ଉପରୋକ୍ତ ରାଜ୍ୟ ଗୁଡିକରେ ୬୦ ବର୍ଷରେ ପଦାର୍ପଣ କରିଥିବା କୌଣସି ନ୍ୟାୟିକ ଅଧିକାରୀ ୬୨ ବର୍ଷ ନ ହେବା ପର୍ଯ୍ୟନ୍ତ ଅବସର ଗ୍ରହଣ କରିବେ ନାହିଁ। ତେବେ ସମ୍ବନ୍ଧିତ ହାଇକୋର୍ଟଙ୍କ ତାଙ୍କ କାର୍ଯ୍ୟଦକ୍ଷତା ଓ ଯୋଗ୍ୟତାର ମୂଲ୍ୟାଙ୍କନ କରିବା ପରେ ଅବସର ନେଇ ନିଷ୍ପତ୍ତି ନେବେ।

ସେହିପରି ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କେରଳମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ରାଜସ୍ଥାନ, ତେଲଙ୍ଗନା, ତ୍ରିପୁରା, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ଦିଲ୍ଲୀ ଏନସିଟି, ଜାମ୍ମୁ-କାଶ୍ମୀର ଓ ପୁଡୁଚେରୀକୁ ନ୍ୟାୟିକ ଅଧିକାରୀଙ୍କ ଅବସର ବୟସ ବଢ଼ାଇବା ସମ୍ବନ୍ଧିତ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ୨ ସପ୍ତାହ ଭିତରେ ଏ ସମ୍ବନ୍ଧରେ ନିଷ୍ପତ୍ତି ନେଇ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ସର୍ବୋଚ୍ଚ ନ୍ୟାୟପାଳିକା ଗୁଡ଼ିକରେ ବୟସ ପାର୍ଥକ୍ୟ ଏକ ବୈଧ ଆଶା ହୋଇପାରେ ବୋଲି ପୀଠ ବିଚାରକୁ ନେଇଛନ୍ତି। ଏବେ ଅଭିଜ୍ଞ ନ୍ୟାୟିକ ପ୍ରତିଭା ସଂଖ୍ୟା ହ୍ରାସକୁ ବନ୍ଦ କରିବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ନ୍ୟାୟିକ ସେବାରେ ମଞ୍ଜୁରୀପ୍ରାପ୍ତ ଏବଂ କାର୍ଯ୍ୟରତ ଅଧିକାରୀଙ୍କ ମଧ୍ୟରେ ପାର୍ଥକ୍ୟ ହ୍ରାସ ପାଇବ। ଖାଲି ପଦ ଯୋଗୁଁ ନ୍ୟାୟ ପାଇବାକୁ କେହି ଅପେକ୍ଷା କରି ରହିବେ ନାହିଁ। ଏଥିପାଇଁ ହାଇକୋର୍ଟ ଓ ରାଜ୍ୟଗୁଡ଼ିକୁ ଜିଲ୍ଲା ନ୍ୟାୟାଳୟରେ ଅବସର ବୟସ ବୃଦ୍ଧି ସମ୍ପର୍କରେ ପୁନର୍ବିଚାର କରିବାକୁ ଅନୁରୋଧ କରୁଛୁ। ରାଜ୍ୟର ସର୍ତ୍ତାବଳୀ ଆଧାରରେ ପ୍ରସ୍ତୁତ ନିୟମ ଦ୍ୱାରା ଏହା ପରିଚାଳିତ ହେବ। କୋର୍ଟ କହିଛନ୍ତି ଯେ କିଛି ହାଇକୋର୍ଟ ନ୍ୟାୟିକ କାର୍ଯ୍ୟର ମୂଲ୍ୟାଙ୍କନକୁ ଏକ ବାଧ୍ୟତାମୂଳକ ସର୍ତ୍ତ ଯୋଡ଼ିଛନ୍ତି। ଏହା ଦ୍ବାରା ଅଯୋଗ୍ୟ ବ୍ୟକ୍ତିଙ୍କୁ ବାହାର କରାଯାଇପାରିବ ଓ ଦକ୍ଷ ଅଧିକାରୀମାନଙ୍କୁ ହିଁ କ୍ୟାଡରରେ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦିଆଯାଇପାରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking