ପୁରୀ: ଦୁଇଦିନିଆ ରତ୍ନଭଣ୍ଡାର ଗଣତି ପ୍ରକ୍ରିୟାର ପ୍ରଥମ ଦିନ ଶେଷ ହୋଇଛି ଭିତର ଭଣ୍ଡାରର ଗଣତି କାର୍ଯ୍ୟ । ଆଜି ସକାଳ ଧୂପ ପରେ ପୁଣି ଆରମ୍ଭ ହେବ ଗଣତି । ଗତକାଲି ପୂର୍ବାହ୍ନ ୧୧ଟା ୩୦ରୁ ସନ୍ଧ୍ୟା ୬ଟା ୫୫ ଯାଏଁ ଗଣତି ଚାଲିଥିଲା। ରାଜ୍ୟ ସରକାରଙ୍କ ଏସ୍ଓପି ଅନୁଯାୟୀ ଗଣତି କାର୍ଯ୍ୟ ହେଉଥିବା ବେଳେ ଅତିରିକ୍ତ ଏସଓପି ଜାରି କରିଛନ୍ତି ସରକାର । ଭିତର ଭଣ୍ଡାରରେ ୩ ସେଟ୍ କାସ୍କେଟରେ ବୃହତ୍ ତଥା ମୂଲ୍ୟବାନ ଅଳଙ୍କାର ରହିଛି। ଅତିରିକ୍ତ ଏସଓପି ଅନୁଯାୟୀ ଏହାକୁ ଭିତରେ ଗଣିବା ସମ୍ଭବ ନହେବାରୁ ଖଟଶେଯ ଘରକୁ ଆଣି ରଖାଯାଇଛି । ସେଠାରେ ଅଳଙ୍କାରର ମାପ, ଗଣତି, ଓଜନ, ଭିଡିଓ ଗ୍ରାଫି, ଇ-କାଟାଲଗ କରିବା ପରେ ପୁନଶ୍ଚ ଭିତର ଭଣ୍ଡାରକୁ ସ୍ଥାନାନ୍ତର କରାଯିବ ।
ସେହିପରି ୬ଟି କାଠ ଆଲମିରାକୁ ନୀଳାଦ୍ରି ମ୍ୟୁଜିଅମକୁ ଲାଗି ଘରେ ଏହାକୁ ନେଇ ରଖାଯିବ। ଯେଉଁଠାରେ ପୁରୁଣା ସିନ୍ଦୁକ ସବୁ ଲକ୍ ଓ ସିଲ୍ ହୋଇ ରହିଛି । ତେବେ ୧୯୭୮ ମସିହାରେ କିଛି ଅଳଙ୍କାରର ଓଜନ ମଧ୍ୟ ହୋଇ ନଥିଲା, ତାହା ମଧ୍ୟ ଗଣତି ମଣତି ହେବ । ଗୋଟିଏ ଗୋଟିଏ ଅଳଙ୍କାରର ଗଣତି, ଭିଡିଓ ଗ୍ରାଫି ଇତ୍ୟାଦି କରିବାକୁ ଅଧ ଘଣ୍ଟାରୁ ଘଣ୍ଟାଏ ସମୟ ଲାଗୁଥିବା କହିଛନ୍ତି ମୁଖ୍ୟ ପ୍ରଶାସକ । ୨୦୨୬ ମେ ୨୫ ରୁ ଆରମ୍ଭ ହୋଇ ବିଭିନ୍ନ ପର୍ଯ୍ୟାୟରେ ଗଣତି ପରେ ଏଯାବତ ୮୫ ଘଣ୍ଟା ୨୮ ମିନିଟର ଗଣତି କାର୍ଯ୍ୟ ହୋଇଛି ।










