ନୟାଗଡ: ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଲାଗି ଚାଲିଗଲା ରୋଗୀଙ୍କ ଜୀବନ । ଶବ ରଖି ପରିବାର ଲୋକଙ୍କ ଧାରଣା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡାରେ । ଅଭିଯୋଗ ଅନୁଯାୟୀ, ଗତ ୨୫ ତାରିଖ ଦିନ କୋମନା ବ୍ଲକ ପେଣ୍ଡରାପଦର ଗାଁର ଲଛନ୍ତି ମାଝୀ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେଠାରେ ଡାକ୍ତର ଅଜୟ ପଣ୍ଡା ତାଙ୍କୁ ଇଞ୍ଜେକ୍ସନ ଦେଇଥିଲେ । ଏହାର କିଛି ସମୟ ପରେ ଲଛନ୍ତିଙ୍କର ପେଟ ଫୁଲିଥିଲା । ତାପରେ ଲଛନ୍ତିଙ୍କ ସ୍ୱାମୀ ତୁଲସୀ ମାଝୀ ଏନେଇ ଡାକ୍ତରଙ୍କୁ ଜଣାଇଥିଲେ । ତାପରେ ଡାକ୍ତର ମେଡିସିନ ଦେଇଥିଲେ । ଏହାପରେ ଗତ ରାତିରେ ଲଛନ୍ତିଙ୍କ ମୃତ୍ୟୁ ଘଟିଥିଲା । ଆଜି ସକାଳେ ଲଛନ୍ତିଙ୍କର ପରିବାର ଲୋକେ ଶବ ଧରି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସେମାନେ କ୍ଷତିପୂରଣ ଓ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଘଟଣାସ୍ଥଳରେ ସିଡିଏମଓ ଡାକ୍ତର ଦ୍ୱାରିକାନାଥ ଶତପଥୀ, ଉପ ଜିଲ୍ଲାପାଳ ତହସିଲଦାର ଏବଂ ଥାନା ଅଧିକାରୀ ଗଙ୍ଗାଧର ମେହେର ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ପୋଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଥିବା ଜଣାଯାଇଛି ।










