ଭୁବନେଶ୍ୱର: ଦରଦାମ ବୃଦ୍ଧି ଓଡ଼ିଶାର ଗରିବ, ସ୍ୱଳ୍ପ ଆୟକାରୀବର୍ଗ, ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ବଡ ଚିନ୍ତାର କାରଣ ପାଲଟି ଗଲାଣି । ଲୋକଙ୍କ ପାଖରେ ଖର୍ଚ୍ଚ କରିବା ପାଇଁ ପଇସା କିନ୍ତୁ ପିଆଜ କିଲୋ ୬୫ ଟଙ୍କା, ଚିନି କିଲୋ-୭୫ ଟଙ୍କା ଓ ସମସ୍ତ ପନିପରିବା ଦାମ – ୮୦ ଟଙ୍କାରୁ ୧୦୦ ଟଙ୍କା ଏପରିକି ଖାଇବା ତେଲ ଠାରୁ ଆରମ୍ଭ କରି ଔଷଧ ପତ୍ର ସବୁ କିଛିର ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି । ଏହି ଅପ୍ରାକୃତିକ ଦରଦାମ ବୃଦ୍ଧି ଯୋଗୁ ସାରା ଓଡ଼ିଶାର ପ୍ରତ୍ୟେକ ପରିବାର ପାଇଁ ଏହା ବୋଝ ଉପରେ ନଳିତା ବିଡା ପାଲଟିଛି ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ । ଶ୍ରୀ ମହାନ୍ତି କହିଥିଲେ ଯେ, ୧୫ ଦିନ ପୂର୍ବରୁ ଚିନି କିଲୋ ବଜାରରେ ୫୦ ଟଙ୍କା ଥିଲାବେଳେ ହଠାତ୍କିନା ଏହା ୭୦ ଟଙ୍କା କୁ ପାର ହୋଇ ୭୫ ଟଙ୍କା ପହଂଚିଗଲାଣି । ସବୁଠାରୁ ଦୁଃଖର କଥା ଦେଶରେ ଚିନି ଉତ୍ପାଦନ ଆବଶ୍ୟକତା ଠାରୁ ଢ଼େର ଅଧିକ ହୋଇଥିଲାବେଳେ ଏଭଳି ପରିସ୍ଥିତି କାହିଁକି ଉପୁଜିଛି ବୋଲି ସେ ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ, ପ୍ରତିବର୍ଷ ଆମ ଦେଶରେ ୨୮୦ ରୁ ୩୦୦ ଲକ୍ଷ ଟନ ପର୍ଯ୍ୟନ୍ତ ଚିନିର ଆବଶ୍ୟକତା ପଡିଥାଏ । ସେହି ତୁଳନାରେ ୨୦୨୪ – ୨୫ ବର୍ଷରେ ୩୧୯ ଲକ୍ଷ ଟନ ଚିନି ଉତ୍ପାଦନ ହୋଇଥିଲାବେଳେ ୨୮୦ ଲକ୍ଷ ଟନ ଖାଇବା ପାଇଁ ଆବଶ୍ୟକତା ପଡିଥିଲା । ୨୦୨୫-୨୬ ବର୍ଷରେ ୩୧୦ ଲକ୍ଷ ଟନ ଚିନି ଉତ୍ପାଦନ ହୋଇଥିଲାବେଳେ ଆବଶ୍ୟକତା ମାତ୍ର ୨୯୫ ଲକ୍ଷ ଟନ ଥିଲା । ବିଗତ ୫ବର୍ଷର ଉତ୍ପାଦନ ଓ ଖାଉଟି ବ୍ୟବହାର ତଥ୍ୟକୁ ଦେଖିଲେ ଉତ୍ପାଦନ ଆବଶ୍ୟକତା ଠାରୁ ଢ଼େର ଅଧିକ ଥିଲାବେଳେ କାହିଁକି ଚିନି ଦାମ ହଠାତ୍ କିନା ହୁ ହୁ ହୋଇ ବଢ଼ିଗଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ଭାରତ ବର୍ଷର ଚିନି ଫ୍ରାକ୍ଟ୍ରି ମାଲିକମାନଙ୍କର ଆସୋସିଏସନ ତରଫରୁ ପ୍ରେସ ବିଜ୍ଞପ୍ତିରେ କୁହାଗଲା ଚିନିର କୌଣସି ସଙ୍କଟ ନାହିଁ । ଯଦି ଚିନି ଯଥେଷ୍ଟ ମହଜୁଦ ଅଛି ତାହାଲେ ବଜାରରେ ଦାମ କିପରି ବଢ଼ିଲା? ଏହା ହେଉଛି ସବୁଠାରୁ ବଡ ପ୍ରଶ୍ନ । ପ୍ରକୃତ କଥା ହେଉଛି କେନ୍ଦ୍ର ସରକାର ଚିନି ଯୋଗାଣକୁ ସୂଚାରୁରୂପେ ପରିଚାଳନା କରି ନ ପାରିବା ହେତୁ ଏବଂ ମହଜୁଦକାରୀଙ୍କ ପ୍ରତି ସରକାରଙ୍କର ଦୁର୍ବଳତା ଥିବା ହେତୁ ଆଜି ସାଧାରଣ ପରିବାରବର୍ଗଙ୍କୁ ଦଣ୍ଡ ଗଣିବାକୁ ପଡୁଛି ।
ଖାଲି ସେତିକି ନୁହେଁ ରାଜ୍ୟରେ ପିଆଜର ଦାମ ସପ୍ତାହ ତଳେ ବଜାରରେ ୩୦ ଟଙ୍କା କେଜି ପ୍ରତି ଥିଲାବେଳେ କାହିଁକି ଏହା ୬୫ ଟଙ୍କା ବୃଦ୍ଧି ପାଇଛି । ଏକ ଅନୁସନ୍ଧାନ ଭିତ୍ତିକ ତଥ୍ୟରୁ ଯାହା ଜଣାପଡୁଛି ଯେ ଆମ ଦେଶରେ ପ୍ରତିବର୍ଷ ୧୫୦ ଲକ୍ଷ ରୁ ୧୭୦ ଲକ୍ଷ ଟନ ପିଆଜ ଖାଇବା ପାଇଁ ଆବଶ୍ୟକତା ଥିଲାବେଳେ ଦେଶରେ ୨୪୦ ଲକ୍ଷ ଟନ ରୁ ଅଧିକ ପିଆଜ ଉତ୍ପାଦନ ହେଉଛି । କିନ୍ତୁ ତଥାପି ପିଆଜି ଶସ୍ତା ହେବା ପରିବର୍ତ୍ତେ ଦର ଆକାଶ ଛୁଆଁ । ଏହା ଆମ ସରକାରଙ୍କର ବେପାରୀମାନଙ୍କର ଥିବା ଦୁର୍ବଳତା ଓ ଅନୁକମ୍ପା ହେତୁ ଓଡ଼ିଶାର ଗରୀବ ଓ ଶ୍ରମିକ ପରିବାରଟି ଅଧିକ ପଇସା ଦେଇ ପିଆଜି କିଣିବାକୁ ପଡୁଛି । ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ ଏଭଳି ସ୍ଥିତି ପାଇଁ ସାମାନ୍ୟତମ ଚିନ୍ତ ମଧ୍ୟ ନାହିଁ । ପନିପରିବା ବଜାରରେ ନିଆଁ ଲାଗିଛି । ଓଡ଼ିଶା ଏକ ମାତ୍ର ରାଜ୍ୟ ଭାରତ ବର୍ଷରେ ଯେଉଁଠାରେ ଖୁଚୁରା ଖାଉଟି ମୁଦ୍ରାସ୍ଫିତି ସାରା ଦେଶ ଠାରୁ ଅଧିକ ଏବଂ ସବୁଠାରୁ ଚିନ୍ତାର ବିଷୟ ହେଲା ସହରାଂଚଳଠାରୁ ଗ୍ରାମାଂଚଳର ଲୋକେ ଦରଦାମ ବୃଦ୍ଧି ଯୋଗୁ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ଏ ରାଜ୍ୟରେ ଲୋକଙ୍କ ପାଖରେ ଆୟ ନାହିଁ, ଯୁବକଙ୍କର ନିଯୁକ୍ତି ନାହିଁ, ଚାଷୀ ହନ୍ତସନ୍ତ, ପେଟ ପାଇଁ ଦାଦନର ସୁଅ ଛୁଟୁଛି ତଥାପି ଲୋକଙ୍କ ସରକାର ନାହିରେ ତେଲ ଦେଇ ଶୋଇଛନ୍ତି । ରାଜ୍ୟରେ ଖାଦ୍ୟ ଯୋଗାଣମନ୍ତ୍ରୀଙ୍କର ଦାୟିତ୍ୱ କଣ? ବଜାର ଦରଦାମର ସ୍ଥିତିକୁ ନିୟନ୍ତ୍ରଣ କରିବା କାହାର ଦାୟିତ୍ୱ? ସରକାରଙ୍କର ନା କଂଗ୍ରେସର ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟତମ ନେତା ସୁଦର୍ଶନ ଦାସ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ରାଜ୍ୟରେ ଶତକଡା ୪୦ ପ୍ରତିଶତ ମିଠା ଦୋକାନ ରାକ୍ଷୀ ପୂର୍ଣ୍ଣିମାରେ ବନ୍ଦ ହୋଇଯାଇଛି । ଭଉଣୀଟିଏ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ମିଠାଟିଏ କିଣି ପାରିଲା ନାହିଁ । ରାଜ୍ୟର ଦରଦାମ ବୃଦ୍ଧି ଯୋଗୁ ଜନସାଧାରଣଙ୍କ ମନରେ ଘୋର ଅସନ୍ତୋଷ । ଏଭଳି ସ୍ଥିତି ପାଇଁ ଏ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ସେ କହିଥିଲେ।










