ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଛୁରି ଦେଖାଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ନାବାଳିକା ଜଣକ ୫ ମାସର ଗର୍ଭବତୀ ଥିବା ବେଳେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି । ଭଞ୍ଜନଗର ଥାନା ଅଞ୍ଚଳର ନାବାଳିକା ଜଣକ ନିଜ ସଂପର୍କୀୟଙ୍କ ଘରେ ରହି ପାଠ ପଢୁଥିଲେ । ଗତ ଫେବୃଆରୀ ମାସରେ ଦଶମ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିଥିବା ବେଳେ ଜଣେ ସାଙ୍ଗଘରକୁ ପଢିବାକୁ ଯାଇଥିଲେ । ଏହି ସମୟରେ ଜଣେ ମୁଖାପିନ୍ଧା ଦୁର୍ବୃତ୍ତ ନାବାଳିକାଙ୍କୁ ଛୁରି ଦେଖାଇ ଭୟଭୀତ କରିବା ସହ ଗୋଟିଏ ଘର ବାରିପଟକୁ ନେଇ ଦୁଷ୍କର୍ମ କରିଥିଲା । ଏହାସହ କାହାକୁ ନ କହିବାକୁ ଧମକ ଦେଇଥିଲା । କିଛି ମାସ ପରେ ନାବାଳିକାଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବାରୁ ପରିବାରବର୍ଗ ତାଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ପରୀକ୍ଷା ବେଳେ ନାବାଳିକା ଜଣଙ୍କ ଗର୍ଭବତୀ ଥିବା ଜଣାପଡିବାରୁ ବ୍ରହ୍ମପୁର ଏମକେସିଜିକୁ ରେଫର କରାଯାଇଥିଲା । ଡାକ୍ତର ଏନେଇ ହିଞ୍ଜିଳିକାଟୁ ପୋଲିସକୁ ସୂଚନା ଦେଇଥିଲେ । ବର୍ତ୍ତମାନ ନାବାଳିକାଙ୍କ ଚିକିତ୍ସା ଜାରି ରହିଛି । ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ସହ ଗର୍ଭପାତ କରିବା ନେଇ ମେଡିକାଲ ବୋର୍ଡ ଗଠନ କରାଯାଇଥିବା ସୂଚନା ମିଳିଛି ।









