ଭୁବନେଶ୍ୱର: ରାଜ୍ୟରେ ଦେବୋତ୍ତର ବିଭାଗ ଅଧିନରେ ଅନେକ ମନ୍ଦିର, ମଠ ଏବଂ ଧାର୍ମିକ ଅନୁଷ୍ଠାନମାନ ରହିଛି । ଏଥି ମଧ୍ୟରୁ ଅନେକ ମନ୍ଦିର ଓ ମଠଗୁଡ଼ିକ ବହୁ ପୁରାତନ ହୋଇଥିବାବେଳେ ଏହାର ପରିଚାଳନା ନେଇ ସ୍ପଷ୍ଟ ନିୟମାବଳୀ ନାହିଁ । ଏହି କ୍ରମରେ ପ୍ରଚଳିତ ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ଆଇନ ୧୯୫୧ରେ ଆବଶ୍ୟକ ସଂଶୋଧନ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଚଳିତ ଆଇନରେ ଥିବା ବହୁ ଅନାବଶ୍ୟକ ଧାରା ଏବଂ ଉପଧାରାକୁ ଯୁଗୋପଯୋଗୀ ଅନୁଯାୟୀ ସଂଶୋଧନ ନେଇ ଆଲୋଚନା ହୋଇଥିଲା । ଏଥି ସହିତ କମିଶନର, ଅତିରିକ୍ତ କମିଶନର ଏବଂ କ୍ଷମତାପ୍ରାପ୍ତ ଅଧିକାରୀଙ୍କ କ୍ଷମତା, କ୍ୟାଡର ପୁନର୍ଗଠନ, ଦେବୋତ୍ତର ବିଭାଗରେ ନୂଆ ନିଯୁକ୍ତି ସୃଷ୍ଟି ନେଇ ମଧ୍ୟ ଆଲୋଚନା ହୋଇଥିଲା । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଏହି ସଂଶୋଧିତ ଆଇନ କାର୍ଯ୍ୟକାରୀ ହେଲେ ମନ୍ଦିର, ମଠ ଏବଂ ଧାର୍ମିକ ଅନୁଷ୍ଠାନର ପ୍ରଶାସନିକ ଓ ଆର୍ଥିକ ସୁପରିଚାଳନା ଅଧିକ ସୁଦୃଢ଼ ହୋଇପାରିବ । ଏହି ବୈଠକରେ ଲ’କମିଶନର ଶ୍ରୀ ଜଷ୍ଟିସ୍ ବିଶ୍ୱନାଥ ରଥ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ଦେବୋତ୍ତର କମିଶନର ଶ୍ରୀ ସତ୍ୟ ନାରାୟଣ ଷଡ଼ଙ୍ଗୀ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରଣବ କୁମାର ପାତ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ଶିବ ପ୍ରସାଦ ମହାପାତ୍ର ଏବଂ ଅତିରିକ୍ତ ସରକାରୀ ଅଧିବକ୍ତା ଶ୍ରୀ ମନ୍ମୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।










