ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବା ସହ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବିଶେଷକରି ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି। ଏହା ସହିତ ବର୍ଷା ସମୟରେ ବଜ୍ରପାତ ଓ ଝଟକା ପବନ ହେବାର ଆଶଙ୍କା ମଧ୍ୟ ରହିଛି। ତେଣୁ ଲୋକମାନଙ୍କୁ ପାଣିପାଗ ବିଭାଗର ସତର୍କ ସୂଚନା ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି। ବଙ୍ଗୋପସାଗରରେ ନୂଆ ଲଘୁଚାପ ସୃଷ୍ଟି ହେବା ଯୋଗୁ ପୂର୍ବ ଓ କେନ୍ଦ୍ରୀୟ ଭାରତରେ ମୌସୁମୀ ବର୍ଷା ପୁଣି ସକ୍ରିୟ ହେବାର ସମ୍ଭାବନା ରହିଛି।










